କେନ୍ଦୁଝର : ହଦଗଡ ସରକାରୀ ନୋଡାଲ ସ୍କୁଲରେ ଦୁଇଦିନ ହେଲା ପଡ଼ିଛି ତାଲା, ନା ଆସୁଛନ୍ତି ଶିକ୍ଷୟିତ୍ରୀ ନା ଛାତ୍ରଛାତ୍ରୀ

40

କନକ ବ୍ୟୁରୋ : ଦୁଇଦିନ ହେଲା ସ୍କୁଲରେ ପଡିଛି ତାଲା । ନା ଆସୁଛନ୍ତି ଶିକ୍ଷୟିତ୍ରୀ ନା ଛାତ୍ରଛାତ୍ରୀ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ସରକାରୀ ନୋଡାଲ ସ୍କୁଲରେ । ଶିକ୍ଷକ ବଦଳରେ ଶିକ୍ଷୟତ୍ରୀ ନିଯୁକ୍ତି ପ୍ରତିବାଦରେ କିଛିଦିନ ହେଲା ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କମିଟି ସଦସ୍ୟମାନେ ଆନ୍ଦୋଳନ କରିଛନ୍ତି । ତଥାପି କୌଣସି ପଦକ୍ଷେପ ନେଉନି ଜିଲ୍ଲା ଶିକ୍ଷା ବିଭାଗ । ଶେଷରେ ବାଧ୍ୟ ହୋଇ ଶତାଧିକ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି ।

ଫଳରେ ଦୁଇଦିନ ହେଲା ସ୍କୁଲରେ ତାଲା ପଡିଛି । ଶିକ୍ଷୟିତ୍ରୀ ମାନେ ସ୍କୁଲକୁ ଆସୁନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଆସୁନାହାନ୍ତି । ହଦଗଡ଼ ସରକାରୀ ନୋଡ଼ାଲ ବିଦ୍ୟାଳୟଟି ଏକ ଆଦିବାସୀ ବହୁଳ ସ୍ଥାନରେ ରହିଛି । ସ୍କୁଲରେ ୮ଟି ଶ୍ରେଣୀରେ ମୋଟ ୨୩୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଏମାନଙ୍କ ମଧ୍ୟରେ ୧୦୭ ଜଣ ଛାତ୍ରୀ ଆଦିବାସୀ ଆବାସିକ ହଷ୍ଟେଲରେ ରହି ଶିକ୍ଷାଲାଭ କରିଥାନ୍ତି । ତେବେ ଏମାନଙ୍କ ପାଠପଢା ସାଙ୍ଗକୁ ଦେଖାଶୁଣା ପାଇଁ ୨ଜଣ ଶିକ୍ଷକ ଓ ୩ଜଣ ଶିକ୍ଷୟିତ୍ରୀ ଥିଲେ ।

ଏମାନଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକଙ୍କର ବଦଳି କରାଯାଇ ତାଙ୍କ ସ୍ଥାନରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଶିକ୍ଷୟିତ୍ରୀମାନେ ୧୦ଟାରୁ ୪ଟା ସ୍କୁଲ କାମ ସାରିବା ପରେ ଘରକୁ ପଳାଉଛନ୍ତି । ୪ ଦିନ ହେବା ହେଷ୍ଟେଲ କର୍ତ୍ତୃପକ୍ଷ ଛୁଟିରେ ଥିବା ବେଳେ ଛାତ୍ରୀଙ୍କ କଥା ବୁଝିବାକୁ କେହି ନାହାନ୍ତି । ଫଳରେ ଛାତ୍ରୀ ନିଜକୁ ଅସୁରକ୍ଷିତ ମଣି ହଷ୍ଟେଲ ଛାଡି ଘରକୁ ପଳାଇଛନ୍ତି । ଏଭଳି ସ୍ଥିତିରେ ଅଭିଭାବକମାନେ ସ୍କୁଲରେ ଜଣେ ଶିକ୍ଷକ ନିଯୁକ୍ତି ଦାବି କରୁଥିବା ବେଳେ ଶିକ୍ଷା ବିଭାଗ ଶୁଣୁନଥିବା ଅଭିଯୋଗ ହୋଇଛି । ଦୁଇ ଦିନ ଧରି ସ୍କୁଲ ବନ୍ଦ ରହିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ ।