ଖୋଲୁଛି କୋଟିପତି ଏସସିବି ଡାକ୍ତରଙ୍କ ଅମାପ ସଂପତ୍ତିର ଗୁମର : ବ୍ୟାଙ୍କ୍ ଲକରରୁ ମିଳିଲା ଆଉ ୧୨ ଲକ୍ଷ ଟଙ୍କାର ହୀରା ଅଳଙ୍କାର

25

କନକ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ପଡିଥିବା ଏସସିବି ମେଡିକାଲର କୋଟିପତି ଡାକ୍ତର ଅମାପ ସଂପତ୍ତି ନେଇ ଚାଲିଛି ତନାଘନା । ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଖୋଳାତାଡ କରୁଛି ଭିଜିଲାନ୍ସ । ୟୁକୋ ବ୍ୟାଙ୍କ ଲକରରୁ ଆଉ ୧୨ ଲକ୍ଷ ଟଙ୍କାର ହୀରା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । ୨୦୧୫ରୁ ୨୦୧୭ ଭିତରେ ୨ ବର୍ଷରେ ପାଖାପାଖି ୧୦ରୁ ଅଧିକ ଦେଶ ବୁଲୁଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଜେନା ।

ଏପରିକି ଅନେକ ଦେଶ ଯିବା ପାଇଁ ଆବେଦନ କରିଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଅନୁମତି ଦେଇନଥିବା ଜଣାପଡିଛି । ଭିଜିଲାନ୍ସକୁ ମିଳିଥିବା ଅଭିଯୋଗ ମୁତାବକ, ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ମେଡିସିନ୍ ଲେଖୁଥିଲେ ଡାକ୍ତର ରବିନ୍ଦ୍ର କୁମାର ଜେନା । ଆଉ ସେହି ଫାର୍ମା କମ୍ପାନୀଙ୍କ ସହ ଥିଲା ଡାକ୍ତରଙ୍କ ଘନିଷ୍ଠ ସମ୍ପର୍କ । ଅଭିଯୋଗ ଅନୁସାରେ ରୋଗୀଙ୍କୁ ଅନ୍ୟ କମ୍ପାନୀର ଔଷଧ ଦରକାର ପଡୁଥିଲେ ମଧ୍ୟ ଡାକ୍ତର ରବିନ୍ଦ୍ର ଜେନା କିନ୍ତୁ କେବଳ ସେହି କମ୍ପାନୀର ମେଡିସିନ୍ ହିଁ ପ୍ରେସକ୍ରାଇବ୍ କରନ୍ତି । କାରଣ ଏହା ବଦଳରେ ତାଙ୍କୁ ପ୍ରଚୁର ପରିମାଣର ଟଙ୍କା ମିଳୁଥିଲା ।