ଜେଲରୁ ସଜ ହୋଇ ବାହାରିଲେ ସାରଥୀ । ୪ ବର୍ଷ ପୂର୍ବରୁ ଯେମିତି ଯାଇଥିଲେ, ୪ ବର୍ଷ ପରେ ସେହି ବେଶରେ ବାହାରିଲେ । ଦେଖନ୍ତୁ ଭିଡ଼ିଓ

608

କନକ ବ୍ୟୁରୋ : ଚାରି ବର୍ଷ ର୍ପୂବରୁ ଜେଲକୁ ଯେଉଁ ବେଶରେ ଯାଇଥିଲେ, ଚାରି ବର୍ଷ ପରେ ସେହି ବେଶରେ ଜେଲରୁ ମୁକୁଳିଲେ ଭଣ୍ଡ ସାରଥୀ । ଜେଲର ଅନ୍ଧାରୀ ଚାରିକାନ୍ଥ ମଧ୍ୟରେ ୪ ବର୍ଷ କାଟିଥିଲେ ମଧ୍ୟ ସାରଥୀଙ୍କ ବେଶଭୂଷାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ମୁଣ୍ଡରେ ଚିତା ଚଇତନ, ବେକରେ ଧୋବ ଫରଫର ଗାମୁଛା ସାଙ୍ଗକୁ ଧୋତି ଓ ଗଞ୍ଜି । ଆଉ ମୁହଁରେ ଲାଗିଥିଲା ମେକଅପ୍ । ପୂରା ପୋଲିସ ଛାଉଣି ମଧ୍ୟରେ ଚୌଦ୍ୱାର ଜେଲରେ ମୁକୁଳିଥିଲେ ମାନ୍ୟବର । କିନ୍ତୁ ଜେଲ ଗଲା ବେଳେ ଯେଉଁ ଦମ୍ଭ ଦେଖାଇଥିଲେ ଫେରିବା ବେଳେ ସେଭଳି ଦମ୍ଭ ସାରଥୀଙ୍କ ମୁହଁରେ ଦେଖିବାକୁ ମିଳିନଥିଲା । ଗଣମାଧ୍ୟମ ସାମ୍ନାରେ ପୂରା ଚୁପ୍ ରହିବା ସହ ପୋଲିସ ଗାଡିରେ ଜେଲ ପରିସରରୁ ବାହାରିଯାଇଥିଲେ ସାରଥୀ । ପରେ ପୋଲିସ ଗାଡିରୁ ବାହାରି ବିଳାସପୂର୍ଣ୍ଣ ଡଷ୍ଟର ଗାଡିରେ ବସି ନିଜ ଓକିଲଙ୍କ ସହ କଟକ ଅଭିମୁଖେ ବାହାରିଯାଇଛନ୍ତି ବାବା ସାରଥୀ ।

ସାରଥୀ ଜେଲରୁ ମୁକୁଳିବା ପୂର୍ବରୁ ଆଜି ସକାଳେ ଜେଲରେ ଥିବା କଏଦୀ ମାନଙ୍କୁ ପ୍ରବଚନ ଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏପରିକି ଜେଲ ଭିତରେ ସାରଥୀ ଧ୍ୟାନମୁଦ୍ରାରେ ବସିଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଜେଲ ଭିତରେ ସାରଥୀଙ୍କୁ ସଜ ହେବା ପାଇଁ ମେକଅପ୍ ସାମଗ୍ରୀ କିଏ ଯୋଗାଇ ଦେଉଥିଲା ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଏପରିକି ଜେଲର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହା ଉପରେ ମଧ୍ୟ ପ୍ରଶ୍ନର ପାହାଡ ଛିଡା କରିଛି ।

ସାରଥୀଙ୍କ ଗିରଫ ପଛର କାହାଣୀ :

୪ ବର୍ଷ ପୂର୍ବରୁ ଏପରି ଏକ ଘଟଣା ଘଟିଥିଲା, ଯାହା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ହଜାର ହଜାର ଭକ୍ତଙ୍କ ଭଗବାନ ସାଜିଥିବା ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ପରଦା ଆଢୁଆଳରେ ରହିଥିବା ଅସଲ ରୂପ ସାମନାକୁ ଆସିଥିଲା । ହାଇଦ୍ରାବାଦର ଏକ ହୋଟେଲରେ ଜିନ୍ସ ପରିହିତ ସାରଥି ବାବାଙ୍କ ରୂପ ଦେଖି ତାଜୁବ ହୋଇଥିଲେ ରାଜ୍ୟବାସୀ । ଅଭିଯୋଗ ହୋଇଥିଲା, ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ହୋଟେଲରେ ରହୁଥିଲେ ସାରଥି ବାବା । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତଙ୍କ ଭାବାବେଗକୁ ଆଘାତ ଦେବା, ମହିଳାଙ୍କୁ ଯୌନ ଶୋଷଣ କରିବା, ଲୋକଙ୍କୁ ଠକିବା ଆଦି ମାମଲାରେ ୨୦୧୫ ଅଗଷ୍ଟ ମାସରେ ଗିରଫ ହୋଇଥିଲେ ସାରଥି ବାବା ।

ପୂର୍ବରୁ ଦୁଇଟି ମାମଲାରେ ଜାମିନ ମିଳିଥିବା ବେଳେ ତୃତୀୟ ମାମଲାରେ ଜାମିନ୍ ଦେଇଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ୍ରେ ଯିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଜାମିନ୍ ମଂଜୁର କରିବା ସହ ସର୍ତ ଆରୋପ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ ରଖାଯାଇଥିବା ବେଳେ ତଳ କୋର୍ଟ ଅନ୍ୟ ସର୍ତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବ ଦୁଇ ମାମଲାରେ ଜାମିନ୍ ଦେବା ବେଳେ କୋର୍ଟ ମଧ୍ୟ ରଖିଥିଲେ ସର୍ତ ।
– କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯିବେ ନାହିଁ
– ଧାର୍ମିକ ସମାବେଶ ଓ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ
– ରାଜ୍ୟ ବାହାରକୁ ଯାଇପାରିବେ ନାହିଁ
– ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ
– ତଦନ୍ତରେ ସହଯୋଗ କରିବେ
କ’ଣ ଥିଲା ତୃତୀୟ ମାମଲା?
– ସାରଥି ଗିରଫ ହେବା ପରେ ଆଶ୍ରମରେ ଦୀର୍ଘ ବର୍ଷ ଧରି ରହୁଥିବା ଜଣେ ମହିଳା ଓ ତାଙ୍କ ମାଆ ଅଭିଯୋଗ ଆଣିଥିଲେ
– ସେମାନଙ୍କୁ ନିର୍ଯର୍ାତନା ଦିଆ ଯାଉଥିବା ସହ ବିବାହ କରାଇଦେବା ବାହାନାରେ ସୁନା ଗହଣା ଓ ଟଙ୍କା ଲୁଟି ନିଆଯାଇଥିବା ନେଇ କେନ୍ଦ୍ରାପଡ଼ାରେ ଅଭିଯୋଗ କରିଥିଲେ ମାଆ, ଝିଅ

ପୂର୍ବରୁ ସାରଥିଙ୍କ ବିରୋଧରେ ହୋଇଥିବା ଦୁଇ ମାମଲାରେ ଜାମିନ୍ ମିଳିଥିବା ବେଳେ ତୃତୀୟ ମାମଲାରେ ଜାମିନ୍ ଖାରଜ ହୋଇଥିଲା । ଏହି ମାମଲାରେ ବେଲ୍ ପାଇବା ପାଇଁ ସାରଥୀଙ୍କୁ ସୁପ୍ରିମକୋର୍ଟ ମଧ୍ୟ ଯିବାକୁ ପଡ଼ିଥିଲା । ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ମିଳିଛି ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଜାମିନ୍ । ସାରଥି ଜାମିନ୍ ପାଇବା ଖବର ପାଇବା ପରେ ଖାଁ ଖାଁ ହୋଇ ପଡିଥିବା ବାରିମୂଳ ଆଶ୍ରମ ନିକଟରେ ଆଜି କିଛି ଭକ୍ତ ବୁଲୁଥିବାର ଦେଖିବାକୁ ମିଳିଛି ।

୩ଟି ଯାକ ମାମଲାରେ ସାରଥିଙ୍କୁ ଜାମିନ୍ ମିଳିଥିବାରୁ ଖୁବଶୀଘ୍ର ସେ ଚୌଦ୍ୱାର ଜେଲରୁ ମୁକୁଳିପାରନ୍ତି । ତେବେ ପ୍ରଶ୍ନ ଉଠୁଛି, ଜେଲରୁ ମୁକୁଳିବା ପରେ କ’ଣ କରିବେ, କେଉଁଠି ରହିବେ ସାରଥି? କାରଣ ବାରିମୂଳ ଆଶ୍ରମକୁ ଯିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି କୋର୍ଟ ଏବଂ ଧାର୍ମିକ ସମାବେଶରୁ ଦୂରେଇ ରହିବା ଲାଗି ମଧ୍ୟ ସର୍ତାରୋପ କରିଛନ୍ତି ନ୍ୟାୟାଳୟ ।