ସାଇକୋ କିଲରକୁ ନେଇ କଟକରେ କୋକୁଆ ଭୟ: ହତ୍ୟାର ୨ ଦିନ ପରେ ବି ଟେର ପାଉନି ପୋଲିସ । କଣ ପାଇଁ କରୁଛି ହତ୍ୟା, ପଢନ୍ତୁ କାରଣ…

497

କନକ ବ୍ୟୁରୋ: ସିଲଭର ସିଟିର ସାଇକୋ କିଲରକୁ ନେଇ ଏବେ ସବୁଠି ଚର୍ଚ୍ଚା । ୪୮ ଘଣ୍ଟା ମଧ୍ୟରେ ତିନି ତିନିଟି ହତ୍ୟାକାଣ୍ଡ ପରେ କମିଶନରେଟ୍ ପୋଲିସ ଆଖିରୁ ନିଦ ହଜିଛି । କିଏ ଏବଂ କାହିଁକି ରାସ୍ତା ଉପରେ ଶୋଇଥିବା ନିରୀହ ଲୋକଙ୍କୁ ହତ୍ୟା କରୁଛି ତାର ଟେର ପାଉନି ପୋଲିସ । ନିରାଶ୍ରୟ ଲୋକ, ଫୁଟପାଥରେ ଶୋଉଥିବା ଲୋକ ଆଉ ଖଟିଖିଆଙ୍କୁ ସାଇକୋ କିଲର ଟାର୍ଗେଟ କରୁଥିବାରୁ ଫୁଟପାଥରେ ଶୋଇଥିବା ଲୋକଙ୍କୁ ସଚେତନ କରିବା ସହ ସହରରେ ସାରା ରାତି ପାଟ୍ରୋଲିଂ କରୁଛି ପୋଲିସ ।

ସେପଟେ ଗୋଟିଏ ହତିଆରରେ ତିନି ତିନି ଜଣଙ୍କୁ ହତ୍ୟା କରିବା ପରେ କଟକରେ ଚାଞ୍ଚଲ୍ୟ ଖେଳି ଯାଇଛି । ହତ୍ୟାକାରୀ ୩ ଜଣଙ୍କୁ ସମାନ ଢଙ୍ଗରେ ମାରିଛି । ପ୍ରଥମେ ପଥରରେ ଛେଚି ଆଉ ପରେ ଗଳା କାଟି ହତ୍ୟାକରୁଛି କିଲର । ଆଉ ସେଇଥିପାଇଁ ସହରର ସାହି ଗଳିରେ ପଇଁତରା ମାରୁଛି ପୋଲିସ । ଫୁଟପାଥରେ ଶୋଇଥିବା ଲୋକଙ୍କୁ ପରିଚୟ ପଚରାଯାଉଛି । ସେମାନେ କିଏ, କଣ କରନ୍ତି ଆଉ କେଉଁଠୁ ଆସିଛନ୍ତି । ପାଖରେ ଶୋଇଥିବା ଲୋକଙ୍କୁ ଚିହ୍ନିଛନ୍ତି କି ନାହିଁ । ଜଣ ଜଣ କରି ସମସ୍ତଙ୍କୁ ପଚରାଉଚରା କରୁଛି ପୋଲିସ ।

ତେବେ ୪୮ ଘଣ୍ଟାରେ ଜଘନ୍ୟକାଣ୍ଡ ଘଟିବା ପରେ ପୋଲିସ ସ୍କାନରରେ ରହିଛନ୍ତି ବିଳମ୍ବିତ ରାତିରେ ଯାଆସ କରୁଥିବା ଯାତ୍ରୀ । ତେବେ ଜଣେ ସାଇକୋ କିଲର ଏମିତି କରୁଥିବା ପୋଲିସ କହିଛି । ତେବେ କଣ କଲେ ପୋଲିସ ଖୁବ ଶୀଘ୍ର ଅପରାଧୀକୁ ଧରିପାରିବ ଆଉ ଲୋକଙ୍କୁ ସଚେତନ କରିପାରିବ ସେନେଇ ମତ ରଖିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପୋଲିସ ପୋଷାକରେ ନବୁଲି ସାଧା ପୋଷାକରେ ବୁଲିଲେ, ବିନା ନାିବତିରେ ସହରର ଗଳି କନ୍ଦି ବୁଲିଲେ ପୋଲିସ ଉକ୍ତ ଅପରାଦୀକୁ ଧରିପାରିବ । ନାଲିବତୀ ଥିବା ଗାଡିରେ ବୁଲୁଥିବାରୁ ଅପରାଧୀ ଜାଣିପାରି ଖସି ଯାଉଛି । ପୋଲିସ ଦଳବଦ୍ଧ ଗୋଷ୍ଠୀଙ୍କୁ ଧରିବା ଉଚିତ ଆଉ ଲୋକଙ୍କ ସଚେତନ ପାଇଁ ଟିଭି, ରେଡିଓ ଆଉ ସିନେମା ଆରମ୍ଭରେ ସଚେତନତା କରିବା ଦରକାର ବୋଲି ସେ ମତ ରଖିଛନ୍ତି ।

ସେପଟେ କଣ ପାଇଁ ଏ ଷ୍ଟୋନମ୍ୟାନ ମଣିଷଙ୍କୁ ହତ୍ୟା କରୁଛି ତାର କାରଣ ମଧ୍ୟ କହିଛନ୍ତି ମନସ୍ତତ୍ୱବିତ । ଅପରାଧୀ ସିରିଜ ଦୁର୍ଘଟଣା କରି ଆତ୍ମସନ୍ତୋଷ ପାଏ । ସିରିଜ ହତ୍ୟା କରି ନିଜକୁ ଖୁସି କରାଏ ହତ୍ୟାକାରୀ । ପିଲାବେଳର କଷ୍ଟକୁ ଭୁଲିବାକୁ ବା ପ୍ରତିଶୋଧ ନେବାକୁ ସେ ଅନ୍ୟମାନଙ୍କୁ ହତ୍ୟା କରେ ବୋଲି ମନସ୍ତତ୍ୱବିତ କହିଛନ୍ତି ।