ସାବରିମାଳାରେ ତୃତୀୟ ଦିନରେ ବି ପଶି ପାରିଲେନି ମହିଳା ! ବିବାଦରେ ଘିଅ ଢାଲୁଛି ନେତାଙ୍କ ବୟାନ ।

41

କନକ ବ୍ୟୁରୋ : ସାବରିମାଳା ମନ୍ଦିରରେ ପଶି ପାରିଲେନି ମହିଳା । ପ୍ରବଳ ବିରୋଧ ଯୋଗୁ ଦର୍ଶନ କରି ନପାରି ଫେରିଗଲେ ୨ ଜଣ ମହିଳା । କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରର ଦ୍ୱାର ଖୋଲିବାକୁ ଆଜିକୁ ୩ ଦିନ ହେଲାଣି । ହେଲେ ମନ୍ଦିର ଭିତରକୁ ଏପର୍ଯ୍ୟନ୍ତ ଯାଇପାରୁନାହାନ୍ତି ମହିଳାମାନେ । ଗତ ୩ଦିନ ହେବ ହିନ୍ଦୁ ସଙ୍ଗଠନ ଗୁଡିକ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି । ଯାହାକୁ ନେଇ ମନ୍ଦିର ସମେତ ତାର ଆଖପାଖ ଅଂଚଳରେ ଉତ୍ତେଜନା ଲାଗିରହିଛି ।

ଆଜି ସକାଳୁ ମନ୍ଦିର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଭିଡ ଭିତରେ ପୁଲିସ ଦୁଇଜଣ ମହିଳାଙ୍କୁ ହେଲମେଟ୍ ପିନ୍ଧାଇ ମନ୍ଦିର ଭିତରକୁ ନେଇଥିଲା । କିନ୍ତୁ ଆନ୍ଦୋଳନକାରୀମାନେ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଇନଥିଲେ । ପ୍ରବଳ ବିକ୍ଷୋଭ ଓ ପ୍ରତିବାଦ କରିବା ଯୋଗୁଁ ପୁଲିସ ମହିଳା ୨ ଜଣଙ୍କୁ ଆୟପ୍ପା ସ୍ୱାମୀଙ୍କ ଦର୍ଶନ କରାଇବାରେ ବିଫଳ ହୋଇଛି । ଆଉ ମନ୍ଦିରରୁ ଦୁଇଜଣ ଯାକ ମହିଳା ଫେରି ଯାଇଛନ୍ତି । ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ସାମ୍ବାଦିକା ଓ ଅନ୍ୟ ଜଣେ ସାମାଜିକ କର୍ମୀ ବୋଲି ଜଣାପଡିଛି ।

ଆନ୍ଦୋଳନାକରୀମାନେ ଏମାନଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି । ମହିଳାଙ୍କ କୋଚିସ୍ଥିତି ବାସଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଗତ ୩ଦିନ ହେବ ସେହି ଅଂଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ମଧ୍ୟ କିଛି ବିକ୍ଷୋଭକାରୀଙ୍କୁ ପୁଲିସ ହେପାଜତକୁ ନେଇଛି । ସାବରିମାଳା ମନ୍ଦିର ଭିତରକୁ ମହିଳା ପ୍ରବେଶ କରିବା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇ ସାରିଥିବା ବେଳେ କିଛି ସଙ୍ଗଠନ ଏବେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ସାବରିମାଳା ମନ୍ଦିର ବିବାଦ ତେଜୁଥିବା ବେଳେ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ନେତାଙ୍କ ପ୍ରତିକ୍ରିୟା ଏହି ବିବାଦ ନିଆଁରେ ଘିଅ ଢାଳିଲା ଭଳି କାମ କରୁଛି । ସିପିଏମ ନେତା ସୀତାରାମ ୟେଚୁରୀ ସାବରିମାଳା ବିବାଦ ଓ ବାବରୀ ମସଜିଦ ଭଙ୍ଗା ଘଟଣାର ଏକ ପ୍ୟାଟର୍ନ ବୋଲି କହିଛନ୍ତି । ସେହିପରି କେରଳ କଂଗ୍ରେସର ନେତା ପୁଲିସକୁ ଦୋଷ ଦେଇଛନ୍ତି ।