ସାଧାରଣ ନିର୍ବାଚନ ଆଗରୁ ଅନୁଷ୍ଠିତ ହେବ ରାଉରକେଲା ଇସ୍ପାତ୍ କାରଖାନାର ଟ୍ରେଡ ୟୁନିୟନ ସ୍ୱୀକୃତି ନିର୍ବାଚନ ! ଲଢେଇ ପାଇଁ ମଇଦାନକୁ ଓହ୍ଲାଇଲେ ୮ଟି ଶ୍ରମିକ ସଂଗଠନ

33

କନକ ବ୍ୟୁରୋ : ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ ରାଉରକେଲା ଇସ୍ପାତ୍ କାରଖାନାର ଟ୍ରେଡ ୟୁନିୟନ ସ୍ୱୀକୃତି ନିର୍ବାଚନ । ଏହି ନିର୍ବାଚନ ପ୍ରକ୍ରିୟାରେ ଲଢେଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୮ଟି ଶ୍ରମିକ ସଂଗଠନ । ଏମାନଙ୍କ ମଧ୍ୟରେ ଅଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଛାମୁଁଆ ଶ୍ରମିକ ସଂଗଠନ ଏବଂ ଭାରତୀୟ ମଜଦୁର ସଂଘ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ଓ ଆଇଏନଟିୟୁସି ସହବନ୍ଧିତ ରାଉରକେଲା ଶ୍ରମିକ ସଂଘ । ଆସନ୍ତା ସାଧାରଣ ନିର୍ବାଚନକୁ ନଜରରେ ରଖି ଆରଏସପି ଟ୍ରେଡ ୟୁନିୟନ ସ୍ୱୀକୃତି ନିର୍ବାଚନ ଗୁରୁତ୍ୱ ବହନ କରୁଥିବା ବେଳେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କ ଆଭିମୂଖ୍ୟ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।

୨୦୧୯ ସାଧାରଣ ନିର୍ବାଚନ ଆଗରୁ ଆରଏସପିର ଟ୍ରେଡ ୟୁନିୟନ ସ୍ୱୀକୃତି ନିର୍ବାଚନ,  ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ନିର୍ବାଚନରେ ବାଜିମାତ କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ସମର୍ଥୀତ ଶ୍ରମିକ ସଂଗଠନ ସହ ଅନ୍ୟ ଶ୍ରମିକ ସଂଗଠନ ମଧ୍ୟରେ କଡା ଟକ୍କର ହେବ । ଏହାରି ଭିତରେ ବିଜେପି ଶ୍ରମିକ ସଂଗଠନର ନିର୍ବାଚନ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି । କାରଣ, ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ଓ ଦଳର ତୁଙ୍ଗନେତାଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ରାଉରକେଲା ବିଧାୟକ ଦୀଲ୍ଲିପ ରାୟଙ୍କ ଭୂମିକା ରହସ୍ୟ ଓ ସନ୍ଦେହ ବଳୟକୁ ଆସିଛି । କୁହାଯାଉଛି, ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଫାଳ ଫାଳ ହୋଇଗଲେଣି ଦିଲ୍ଲୀପଙ୍କ ସମର୍ଥକ । ଗୋଟିଏ ଗୋଷ୍ଠୀ ବିଜେପି ସମର୍ଥୀତ ଶ୍ରମିକ ସଂଗଠନକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ କଂଗ୍ରେସ ସମର୍ଥୀତ ଶ୍ରମିକ ସଂଗଠନକୁ ଜିତାଇବା ପାଇଁ ଅଂଟା ଭିଡିଛି ।

ଦିଲ୍ଲୀପ ରାୟ ସିଧାସଳଖ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ବେଳେ ତାଙ୍କର ଘନିଷ୍ଠ ଅନୁଗତମାନେ କଂଗ୍ରେସ ସମର୍ଥୀତ ଶ୍ରମିକ ସଂଗଠନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ରାଉରକେଲା ବିଜେପିର କାର୍ଯ୍ୟକର୍ତା କଂଗ୍ରେସ ସମର୍ଥୀତ ଶ୍ରମିକ ସଂଗଠନ ପାଇଁ ନିର୍ବାଚନ ମଇଦାନକୁ ଲମ୍ଫ ମାରିବା ଘଟଣା ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଦୈତ ନୀତିକୁ ପଦାରେ ପକାଇଛି ।

ଅନ୍ୟପଟେ ଆଗୁଆ ଲୋକସଭା ନିର୍ବାଚନ ହୋଇପାରେ ବୋଲି ଶୁଣିବାପାଇଁ ମିଳୁଛି । ମେ ୨୦୧୯ ବଦଳରେ ଚଳିତ ବର୍ଷ ଡିସେମ୍ବରରେ ହେବା ସମ୍ଭାବନା ରହିଛି । ଏଭଳି ଏକ ଖବର ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଥିବା ଜଣାପଡିଛି । ଚଳିତ ବର୍ଷ ସାରା ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବରରେ ଆଗୁଆ ଲୋକସଭା ନିର୍ବାଚନ କରିବା ପାଇଁ କେନ୍ଦ୍ର ସରକାର କ୍ଷେତ୍ରରେ ପ୍ରସ୍ତୁତ କରିସାରିଥିବା ଚର୍ଚ୍ଚା ହେଉଛି । ଚଳିତ ବର୍ଷ ପ୍ରଥମାର୍ଧରେ ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଏବଂ କର୍ଣ୍ଣାଟକରେ ନିର୍ବାଚନ ହେବ । ସେହିପରି ଦ୍ୱିତୀୟାର୍ଧରେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱଦେଉଥିବା ବେଳେ ଏନେଇ ବିଜେପିର ନେତୃତ୍ୱ ସମୀକ୍ଷା କରୁଥିବା କୁହାଯାଉଛି । ସେପଟେ ପୂର୍ବରୁ ବିଜୁ ଜନତା ଦଳ ଓ ରାଜ୍ୟ ବିଜେପି ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିସାରିଛନ୍ତି । ଏବେ  ନିର୍ବାଚନୀ ବିଗୁଲ ବାଜି ସାରିଲା ପରେ  ଜୋର ଧରିବ ରାଜ୍ୟ ରାଜନୀତି । ଆଗୁଆ ନିର୍ବାଚନ ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।  ଯେ କୌଣସି ସମୟରେ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି ବୋଲି ନବୀନ କହିଛନ୍ତି ।