ରାଷ୍ଟ୍ରପତି ନିର୍ବାଚନ ରେସ୍! ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ନେତାଙ୍କ ଗହଣରେ ଆଜି ନାମାଙ୍କନପତ୍ର ଦାଖଲ କରିବେ ରାମନାଥ କୋବିନ୍ଦ

41

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ଅନ୍ୟ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡିଛି । ବିଜେପି ସହ ଏନଡିଏର ସମସ୍ତ ଦଳ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରୁଛନ୍ତି । ଅଣ-ଏନଡିଏ ଦଳ ମଧ୍ୟରେ ଏଆଇଡିଏମକେ, ବିଜେଡି, ଟିଆରଏସ ଓ ଜେଡିୟୁ ତାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି ।

ଏନଡିଏ ପାଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୪୮. ୬ ପ୍ରତିଶତ ଭୋଟ ରହିଛି । ଅନ୍ୟ ଆଂଚଳିକ ଦଳର ସମର୍ଥନ ପରେ ଏହା ପ୍ରାୟ ୬୧ ପ୍ରତିଶତ ହେଉଥିବା ଆକଳନ କରାଯାଇଛି । ଅନ୍ୟ ଦଳର ସମର୍ଥନ ସହ ଏହା ବଢିବାର ସମ୍ଭାବନା ରହିଛି । ଏନଡିଏକୁ ଟକ୍କର ଦେବାକୁ ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ନାଁ ଘୋଷଣା କରିଛି କଂଗ୍ରେସ ନେତୃତ୍ୱ ବିରୋଧୀ ଦଳ । ମୀରା କୁମାରଙ୍କୁ ସମାଜବାଦୀ ପାର୍ଟି, ବିଏସପି ସମେତ ୧୭ଟି ଦଳ ସମର୍ଥନ ଦେଉଛନ୍ତି । ଆସନ୍ତା ୨୭ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ ।

ଚଳିତ ନିର୍ବାଚନ ଦଳିତ ବନାମ ଦଳିତ ହେବାକୁ ଯାଉଛି । ସେପଟେ ରାମନାଥ କୋବିନ୍ଦଙ୍କୁ ଜେଡିୟୁ ସମର୍ଥନ କରିବା ପରେ ରାଜନୀତି ସରଗରମ ହୋଇଛି । ଆରଜେଡି ମ୍ରୁଖ୍ୟ ଲାଲୁ ଯାଦବ ନିତିଶଙ୍କ ନିଷ୍ପତି ଏକ ଐତିହାସିକ ଭୁଲ ବୋଲି କହିଛନ୍ତି । ଆସନ୍ତା ଜୁଲାଇ ୧୭ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଛି । ପରେ ୨୦ ତାରିଖରେ ଭୋଟ ଗଣତି ହେବ । ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପଦରୁ ଆସନ୍ତା ଜୁଲାଇ ୨୪ ତାରିଖରେ ଅବ୍ୟହତି ନେବେ ।