ମଦକୁ ନେଇ ମହାଭାରତ! ଦୋକାନ ବନ୍ଦ ଦାବିରେ କେନ୍ଦ୍ରାପଡା ଅଙ୍ଗୁଳେଇ ବଜାରରେ ତୁମୁଳ କାଣ୍ଡ, ବାଇକ୍ ପୋଡିଲେ ଉତ୍ୟକ୍ତ ଜନତା

30

କନକ ବ୍ୟୁରୋ : ମଦ ଦୋକାନ ଉଚ୍ଛେଦ ଦାବିରେ ପାଟକୁରାରେ ଜଳିଛି ପ୍ରତିବାଦର ନିଆଁ । ଉତ୍ୟକ୍ତ ଲୋକେ ମଦ ଦୋକାନରେ ଭଙ୍ଗାରୁଜା କରିବା ସହ ଗାଡି ପୋଡିଦେଇଛନ୍ତି । ଏପରିକି ଗ୍ରାମବାସୀଙ୍କ ମାଡରେ ଗୁରୁତର ଆହତ ହୋଇଛନ୍ତି ମଦ ଦୋକାନୀ । ଗାଁରେ ମଦ ଦୋକାନ ବନ୍ଦ କରିବାକୁ ଦୁଇ ଦିନ ହେଲା ଲୋକେ ଆମରଣ ଅନଶନରେ ବସିଥିଲେ । ଯାହା ଆଜି ହିଂସାର ରୂପ ନେଇଥିଲା ।

ମଦ ଦୋକାନ ବନ୍ଦ ଦାବିରେ ଲଙ୍କାକାଣ୍ଡ । ଦୋକାନ ଭିତରେ ଧଶେଇ ପଶିଲେ ଉତ୍ୟକ୍ତ ଲୋକ । ମଦ ବୋତଲ ଭାଙ୍ଗିବା ସହ ଦୋକାନ ମାଲିକଙ୍କୁ ମାଡ ମାରିଲେ । କିଏ ବାଉଁଶରେ ତ ଆଉ କିଏ ପଥରରେ କରୁଥିଲା ଆକ୍ରମଣ । ମାସ ମାସ ଧରି ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି । ଆଉ ସବୁ ରାଗ ଦୋକାନ ମାଲିକ ଓ ମଦ ବୋତଲ ଉପରେ ସୁଝାଇଥିଲେ ଲୋକ ।

କେନ୍ଦ୍ରାପଡା ପାଟକୁରାର ଅଙ୍ଗୁଳାଇ ବଜାରରେ ଥିବା ମଦ ଦୋକାନ ବନ୍ଦ କରିବାକୁ ଦୁଇ ଦିନ ହେଲା ଗାଁଲୋକ ଆମରଣ ଅନଶନରେ ବସିଥିଲେ । ଶହ ଶହ ମହିଳା ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ । ବୁଧବାର ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା ମଦ ଦୋକାନ ଉଚ୍ଛେଦ କରିବାକୁ । ହେଲେ ଆଜି ପୁଣି ଖୋଲିଥିଲା ଦୋକାନ । ଯାହାର ପ୍ରତିବାଦରେ ଲୋକେ ଉତ୍ୟକ୍ତ ହୋଇ ମଦ ଦୋକାନରେ ଭଂଗାରୁଜା କରିଛନ୍ତି । ଜାଳିଦେଇଛନ୍ତି ଦୋକାନୀଙ୍କ ବାଇକ୍ । ମଦ ଦୋକାନ କର୍ମଚାରୀ ଓ ଗ୍ରାମବାସୀ ଧସ୍ତାଧସ୍ତିରେ ୪ ଜଣ ଆହତ ହୋଇଛନ୍ତି । ସେପଟେ ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ମଦ ଦୋକାନୀ । ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି ।