ରାଷ୍ଟ୍ରପତି ନିର୍ବାଚନ କିଭଳି ହୁଏ, କଣ ଥାଏ ପୁରା ପ୍ରକ୍ରିୟା ! ଆପଣ ଜାଣିବା ପାଇଁ ସମସ୍ତ ତଥ୍ୟ 

150

୨୪ ଜୁଲାଇ ୨୦୧୭ରେ ସରୁଛି ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ୟ୍ୟକାଳ । ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଲାଣି । ଜୁଲାଇ ୧୭ରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି । ଏହାପରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । ପାଣିପାଗ ସରଗରମ ହେବାରେ ଲାଗିଛି, ବିରୋଧୀ ଆଉ ଶାସକ ନିଜ ଗୋଟିଚାଳନା ଆରମ୍ଭ କରିସାରିଲେଣି । ହେଲେ ଦେଶର ପ୍ରଥମ ନାଗରିକ କିଭଳି ନିର୍ବାଚିତ ହୁଅନ୍ତି? ଜାଣନ୍ତୁ ପୁରା ପ୍ରକ୍ରିୟା ।

– ରାଷ୍ଟ୍ରପତି ନିର୍ବାଚନରେ ଜନସାଧାରଣଙ୍କର ସିଧାସଳଖ ସଂପର୍କ ନଥାଏ ବରଂ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନପ୍ରତିନିଧି ଏଥିରେ ଭୋଟ ଦେଇଥାନ୍ତି । ପ୍ରତି ଭୋଟର ମୂଲ୍ୟ ଅଲଗା ଅଲଗା ଥାଏ ।

– ଜାଣନ୍ତୁ କିଭଳି ପ୍ରତିନିଧି ମାନଙ୍କର ଭୋଟ ନିର୍ଦ୍ଧାରିତ ହୁଏ । ଲୋକସଭାର ମୋଟ୍ ୫୪୩ ଓ ରାଜ୍ୟସଭାର ୨୩୩ ସଦସ୍ୟ ଏପରି ମୋଟ୍ ୭୭୬ ସଦସ୍ୟ ଭୋଟ ଦିଅନ୍ତି ।

– ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ଜାଣିବାକୁ, ସମସ୍ତ ବିଧାୟକଙ୍କ ଭୋଟର ମୋଟ ମୂଲ୍ୟ ୫ ଲକ୍ଷ ୪୯ ହଜାର ୪୭୪ରେ ଭାଗ କରାଯାଏ । ଅର୍ଥାତ୍ ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ।

– ସମସ୍ତ ସାଂସଦଙ୍କର ଭୋଟ୍ ମୁଲ୍ୟର ମୋଟ ପରିମାଣ ୫ ଲକ୍ଷ ୪୯ ହଜାର ୪୦୮ ।

– ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ମାନେ ମଧ୍ୟ ଭୋଟ୍ କରନ୍ତି । ହେଲେ ବଡ କଥା ହେଉଛି, ପ୍ରତି ରାଜ୍ୟରେ ବିଧାୟକଙ୍କ ଭୋଟ୍ ମୂଲ୍ୟ ଅଲଗା ଅଲଗା ।

– ବିଧାୟକଙ୍କ ଭୋଟର ମୂଲ୍ୟ ୧୯୭୧ର ଜନଗଣନା ଆଧାରରେ ନିର୍ଦ୍ଧାରିତ ହୁଏ । ମୋଟ୍ ଜନସଂଖ୍ୟାକୁ ଉକ୍ତ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଗୁଣନ ହଜାରରେ ବିଭକ୍ତ କରାଯାଏ । ଏହା ଦ୍ୱାରା ଯେଉଁ ସଂଖ୍ୟା ବାହାରେ, ତାହା ହେଉଛି ବିଧାୟକଙ୍କ ଭୋଟ୍ ମୂଲ୍ୟ ।

– ଉଦାହରଣ ସ୍ୱରୂପ, ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶ । ୧୯୭୧ଜନଗଣନା ଆଧାରରେ ମୋଟ ଜନସଂଖ୍ୟା ୮ କୋଟି ୩୮ ଲକ୍ଷ ୪୯ ହଜାର ୯୦୫ । ଏହି ସଂଖ୍ୟାକୁ ବିଧାନସଭାର ଆସନ ୪୦୩ ଗୁଣନ ୧୦୦୦ରେ ବିଭକ୍ତ କରାଯିବ । ଏଥିରୁ ସଂଖ୍ୟା ବାହାରିବ ୨୦୮, ଅର୍ଥାତ ଉତ୍ତରପ୍ରଦେଶରେ ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ୨୦୮ ।

– ଏମିତି ଦେଖିବାକୁ ଗଲେ କେରଳରେ ବିଧାୟକଙ୍କ ମୂଲ୍ୟ ୧୫୨, ମହାରାଷ୍ଟ୍ରରେ ୧୭୫, ତାମିଲନାଡୁରେ ୧୭୬, ଓଡିଶାର ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ୧୪୯ ।

– ପୁରା ଦେଶରେ ମୋଟ ବିଧାୟକଙ୍କ ସଂଖ୍ୟା ୪୧୨୦ । ପୁରା ଭୋଟର ମୂଲ୍ୟ ୫ ଲକ୍ଷ ୪୯ ହଜାର ୪୭୪ ।

– ସବୁ ସାଂସଦ ଓ ବିଧାୟକଙ୍କ ମୂଲ୍ୟ ମିଶାଇଲେ ମୋଟ୍ ଭୋଟ୍ ପରିମାଣ ୧୦ ଲକ୍ଷ ୯୭ ହଜାର ୯୯୮ ।

ଗଠବନ୍ଧନ ରାଜନୀତିର ସମୟରେ କାହା ପାଖରେ କେତେ ଭୋଟ ରହିଛି ନଜର ପକାନ୍ତୁ । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ କାହାର କେତେ ଦମ ଅଛି ପରଖନ୍ତୁ ।

– ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ମୋଟ୍ ୫ ଲକ୍ଷ ୩୪ ହଜାର ୫୮ ଭୋଟ୍ ଅଛି । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଆବଶ୍ୟକ କରୁଛି ୧୪ ହଜାର ୯୪୨ ଭୋଟ୍ । ତେବେ ଟିଆରଏସ ଓ ଏଆଇଏଡିଏମକେ ଭଳି ରାଜନୈତିକ ଦଳର ଏନଡିଏ ପ୍ରାର୍ଥୀ ପାଇଁ ବଢୁଥିବା ଆଭିମୁଖ୍ୟ ମୋଦିଙ୍କ ପ୍ରାର୍ଥୀଙ୍କ ରାସ୍ତାକୁ ସହଜ କରିଛି । ଏପରିକି ଦଳର ଅଧ୍ୟକ୍ଷ ଅମିତ ଶାହା ତିନି ଜଣିଆ କମିଟି ମଧ୍ୟ ଗଠନ କରିସାରିଛନ୍ତି ।

– ସେହିଭଳି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ଅଛି ୨ ଲକ୍ଷ ୫୪ ହଜାର ୬୫୧ ମୁଲ୍ୟର ଭୋଟ୍ । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଆବଶ୍ୟକ କରୁଛି ୨ ଲକ୍ଷ ୯୪ ହଜାର ୩୪୯ ଭୋଟ୍ । ଆଂଚଳିକ ଦଳର ସମର୍ଥନ ହାସଲ କରିବାକୁ ବିରୋଧୀ ପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି ।

– ଅନ୍ୟଙ୍କ ପାଖରେ ୩ ଲକ୍ଷ ୯ ହଜାର ୨୮୯ ମୁଲ୍ୟର ଭୋଟ୍ ଥିବା ବେଳେ ଆବଶ୍ୟକ କରୁଛନ୍ତି ୨ ଲକ୍ଷ ୩୯ ହଜାର ୭୧୧ ଭୋଟ୍ । ଏହି ମୂଲ୍ୟର ଭୋଟ୍ କେଉଁଆଡେ ଢଳିବ, ତାହା ଆଗାମୀ ଦିନରେ ଜାତୀୟ ରାଜନୀତିରେ ନୂଆ ଦୃଶ୍ୟପଟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରଖୁଛି ।

 ଏଥିରୁ ଗୋଟିଏ କଥା ସ୍ପଷ୍ଟ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ଅନ୍ୟ ରାଜନୈତିକ ଦଳର ସାହାଯ୍ୟ ନେବା ନିହାତି ଆବଶ୍ୟକ । ନଜର ରହିବ, ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ କେଉଁ ଦଳ କେଉଁ ସମୀକରଣକୁ ସାମ୍ନାକୁ ଆଣିବେ ।
ଏଥିଲା ସଂଖ୍ୟାର ଖେଳ, ଏବେ ନଜର ପକାନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ କଣ ଯୋଗ୍ୟତା ରହିବା ଆବଶ୍ୟକ

– ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ବା ତଦୁର୍ଦ୍ଧ୍ୱ ହେବା ଆବଶ୍ୟକ । ସେ ଭାରତୀୟ ନାଗରିକ ହୋଇଥିବେ ।

– ତାଙ୍କ ପ୍ରତି ସର୍ବନିମ୍ନ ୫୦ ସାଂସଦ/ବିଧାୟକଙ୍କ ସମର୍ଥନ ରହିଥିବ ଓ ୧୫ ହଜାର ଟଙ୍କାର ଅମାନତ ଦାଖଲ କରିଥିବେ ।

– କୌଣସି ସାମ୍ବିଧାନିକ ପଦପଦବୀରେ ରହିନଥିବା ଆବଶ୍ୟକ ।

ଭାରତୀୟ ସମ୍ବିଧାନର ୫୪ ଧାରାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ସଂପର୍କରେ ସବିଶେଷ ବିବରଣୀ ରହିଛି । ରାଷ୍ଟ୍ରପତି ଜନପ୍ରତିନିଧି ମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ତେବେ ସଂସଦ ଓ ବିଧାନସଭାକୁ ମନୋନୀତ ସଦସ୍ୟ, ବିଧାନ ପରିଷଦର ସଦସ୍ୟଙ୍କୁ ଏଥିରେ ସାମିଲ କରାଯାଏ ନାହିଁ । ଅର୍ଥାତ୍ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ସଦସ୍ୟ ମାନଙ୍କ ସହିତ ରାଜ୍ୟ ବିଧାନସଭା ଗୁଡିକର ସଦସ୍ୟମାନଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାଏ ।

ସମ୍ବିଧାନର ୫୫ ଧାରା ଅନୁସାରେ ଭୋଟ ପଦ୍ଧତି ବାବଦରେ ଆଚରଣବିଧି ଉଲ୍ଲେଖ ରହିଛି । ଗୁପ୍ତ ଭୋଟ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦିତ ହୁଏ । ଗୁପ୍ତ ଭୋଟ୍ ଅର୍ଥ କେଉଁ ସଦସ୍ୟ କେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ଜଣାପଡିବ ନାହିଁ । ସ୍ୱଛ ଓ ନିରପେକ୍ଷ ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଦଳୀୟ ସଦସ୍ୟଙ୍କ ପ୍ରତି ହୁଇପ୍ ଜାରି କରିପାରିବେ ନାହିଁ ।

ଦେଶର ୧୪ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହାରି ଭିତରେ ବିଗୁଲ ବଜାଇ ସାରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ଜୁଲାଇ ୧୭ରେ ନିର୍ବାଚନ ହେବାକୁ ଥିବା ବେଳେ ଜୁଲାଇ ୨୦ ଅର୍ଥାତ୍ ନିର୍ବାଚନର ତିନି ଦିନ ପରେ ହେବ ଫଳାଫଳ ଘୋଷଣା । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ, ଜୁନ୍ ୧୪ ତାରିଖରେ ନିର୍ବାଚନ ଲାଗି ଜାରି ହେବ ବିଜ୍ଞପ୍ତି । ମନୋନୟନ ପତ୍ର ଦାଖଲ ଲାଗି ଶେଷ ତାରିଖ ରହିଛି ଜୁନ୍ ୨୮ । ଜୁନ୍ ୩୦ ତାରିଖରେ ମନୋନୟନ ପତ୍ର ଯାଂଚ କରାଯିବ । ଜୁଲାଇ ୧ ତାରିଖ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଜୁଲାଇ ୧୭ ତାରିଖ ସକାଳ ୧୦ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିବ । ଜୁଲାଇ ୨୦ ତାରିଖ ଦିନ ୧୧ଟାରେ ଭୋଟ ଗଣତି ଆରମ୍ଭ ହେବ । ଆଉ ଏହିଦିନ ହିଁ ସ୍ପଷ୍ଟ ହେବ କିଏ ହେବ, ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ।