ପୁଣି ଭାରରେ ବୁହା ହେଲେ ଗର୍ଭବତୀ : କାନ୍ଧ ଦେଲେ ଡାକ୍ତର ଓ ସାମ୍ବାଦିକ

34

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ସଂକଳ୍ପ ଯୋଜନାର ବର୍ଷେ ପୂର୍ତ୍ତି ଅବସରରେ ଦୁର୍ଗମ ଅଞ୍ଚଳବାସୀଙ୍କୁ ମେଡିକାଲ ସ୍ଥାନାନ୍ତର ପାଇଁ ବାଇକ୍ ଆମ୍ବୁଲାନସ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏପଟେ କିନ୍ତୁ କଲ୍ୟାଣସିଂହପୁର ବ୍ଲକରେ ଜନନୀ ଯାତନା ଜାରି ରହିଛି । ଗତକାଲି ପୁଣି ଜଣେ ଦୁର୍ଗମ ଗ୍ରାମର ଗର୍ଭବତୀ ମହିଳା ଭାରରେ ବୁହା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ୱାମୀ ଡାକ୍ତର ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ଭାରରେ ବୋହି ଆଣିବା ପରେ ଆମ୍ବୁଲାନସରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ କରପା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାମୁଇ ଗ୍ରାମର ଆପ୍ପାରାଓ ହିକକାଙ୍କ ପତ୍ନୀ ୱାନୋ(୨୦) ୭ମାସ ଗର୍ଭବତୀ ହୋଇଥିବା ବେଳେ ଗତକାଲି ସକାଳେ ପେଟରେ ଯନ୍ତ୍ରଣା ହୋଇଥିଲା । ପତ୍ନୀର ଅବସ୍ଥା ଦେଖି ସ୍ୱାମୀ ଆପ୍ପାରାଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସନ୍ଧ୍ୟାରାଣୀ ପାତ୍ରଙ୍କୁ ଖବର ଦେଇଥିଲେ । ସ୍ୱାସ୍ଥ୍ୟ କର୍ମୀ ସେଠାରେ ପହଞ୍ଚି ତୁରନ୍ତ ମେଡିକାଲ ସ୍ଥାନାନ୍ତର ପାଇଁ କହିଥିଲେ । ତେବେ ଆଦିବାସୀ ସଂପ୍ରଦାୟରେ ପରମ୍ପରା ଅନୁଯାୟୀ ପୁରୁଷମାନେ ସଂପୃକ୍ତ ଗର୍ଭବତୀଙ୍କୁ ଛୁଇଁବା ପାଇଁ ମନା କରି ଦେଇଥିଲେ । ଏଭଳି ଘଟଣା ସଂପର୍କରେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ ଏବଂ ଗଣମାଧ୍ୟମ ପ୍ରତିନିଧି ଖବର ପାଇଥିଲେ ।

ସନ୍ଧ୍ୟାରେ ଡାକ୍ତର ସାହୁ ଏବଂ ଅନ୍ୟ ଗଣମାଧ୍ୟମ ପ୍ରତିନିଧି କରପାରୁ ପ୍ରାୟ ୯କିମି ଦୂର ଜଙ୍ଗଲ ମଧ୍ୟରେ ପଥୁରିଆ ରାସ୍ତାଦେଇ ସିଙ୍ଗାମୁଇ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀ ସହଯୋଗ ନକରିବାରୁ ସ୍ୱାମୀଙ୍କ ସହ ଡାକ୍ତର ଏବଂ ଗଣମାଧ୍ୟମ ପ୍ରତିନିଧି ଗର୍ଭବତୀ ମହିଳାଙ୍କୁ ଅନ୍ଧାରିଆ ଜଙ୍ଗଲ ରାସ୍ତାଦେଇ ରାଣୀପଦର ପର୍ଯ୍ୟନ୍ତ ଭାରରେ ବୋହି ଆଣିଥିଲେ । ତେବେ ପରେ କିନ୍ତୁ ସିଙ୍ଗାମୁଇ ଗ୍ରାମର ଇଶାନ୍ତ ନାଚିକା, ଗାଙ୍ଗାନା କାଡ୍ରାକା, ମୁନି ହିକକା ଏବଂ ନୂଆ ପ୍ରାସ୍କା ୫କିମି ଦୂର ଅଜୟଗଡ ପର୍ଯ୍ୟନ୍ତ ଭାରରେ ବୋହି ଆଣିଥିଲେ । ଅଜୟଗଡରେ ଆମ୍ବୁଲାନସ ପହଞ୍ଚିବା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୱାନୋଙ୍କ ଶରୀରରେ ରକ୍ତର ପରିମାଣ କମିଯାଇଥିବାରୁ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।