ଭୂତକୋଠି ପାଲଟିଛି ରାଜନଗର ବଡକୋଟ ବାତ୍ୟା ଆଶ୍ରୟସ୍ଥଳୀ ! ଭାଙ୍ଗିରୁଜି ଗଲାଣି କବାଟ ଝରକା

75

କନକ ବ୍ୟୁରୋ : ବାତ୍ୟା ଆସିଲେ ସଚିବାଳୟରେ ରାଜନଗରର ସୁରକ୍ଷା ନେଇ ଭାଳେଣୀ ପଡେ । ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ରଖାଯିବ ସେଥିପାଇଁ ନିର୍ମାଣ ହୋଇଛି ବାତ୍ୟା ଆଶ୍ରୟସ୍ଥଳୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡକୋଟ ଠାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ।

୩ ବର୍ଷ ତଳେ ନିର୍ମାଣ ହୋଇଥିବା କୋଠା ଏବେ ଭୂତକୋଠି ପାଲଟିଛି । ଆଶ୍ରୟସ୍ଥଳୀର କବାଟ ଝରକା ଭାଙ୍ଗିରୁଜି ଗଲାଣି । ଆଉ ବିଦ୍ୟୁତ୍ ବ୍ୟବସ୍ଥା ନକହିବା ଭଲ । ଇଲେକ୍ଟ୍ରିକ୍ ବୋର୍ଡ ତ ଭାଙ୍ଗିଗଲାଣି, ବଲବ୍ ଟିଏ କି ଫ୍ୟାନ୍ ଟିଏ ଆଉ ଏଠାରେ ନାହିଁ । ନୂଆ ବେଳେ ସବୁ ଲାଗିଥିଲା ହେଲେ ଏବେ ଆଉ କିଛି ନାହିଁ । ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଶୌଚାଳୟ ଦୁଇଟିର ଅବସ୍ଥା ଅତି ଦୟନୀୟ ।

ବଡକୋଟ ଗାଁଟି ହଂସୁଆ ନଦୀ କୂଳରେ ଅବସ୍ଥିତ । ହଂସୁଆର ହିଂସା ଯୋଗୁଁ ଶହେ ପରିବାରର ବାସଗୃହ ତା’ ଗର୍ଭରେ ଲୀନ ହୋଇଛି । ବାତ୍ୟା ବନ୍ୟା ଦୂରର କଥା, ପୂର୍ଣ୍ଣିମା, ଅମାବାସ୍ୟା ଜୁଆରରେ ଗାଁ ଦାଣ୍ଡରେ ଜୁଆର ପାଣି ଲହଡି ଭାଙ୍ଗେ । ଏପରି ଏକ ସମ୍ବେଦନଶୀଳ ଗାଁରେ ବାତ୍ୟା ଆଶ୍ରୟସ୍ଥଳୀ ଭୂତକୋଠି ପାଲଟିବା ଘଟଣା ପ୍ରଶାସନର ନଜରରେ ନାହିଁ । ଯାହା ପରିତାପର ବିଷୟ । ସେପଟେ ବଡକୋଟ ବାତ୍ୟା ଆଶ୍ରୟ ସ୍ଥଳି ବ୍ଲକ୍ ପ୍ରଶାସନ ଅଧିନରେ ନଥିବା କହିଛନ୍ତି ସ୍ଥାନୀୟ ବିଡିଓ ।

ଦେଖନ୍ତୁ ଏହି ଭିଡିଓ –