ବିଜେପି ଫୋକସରେ ଓଡିଶା! ଜୁଲାଇ ୧ରେ ଓଡିଶା ଗସ୍ତରେ ଆସି, ମିଶନ ୧୨୦ର ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

84

କନକ ବ୍ୟୁରୋ: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏନେଇ ସୁଚନା ଦେଇଛନ୍ତି ବଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଜୁଲାଇ ୧ ତାରିଖ ଦିନ ଓଡିଶା ଆସିବେ ବୋଲି ପୃଥୀରାଜ କହିଛନ୍ତି । ତେବେ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସି ଦଳୀୟ ସଂଗଠନ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆଗାମୀ ୨୦୧୯ ନିର୍ବାଚନ ପାଇଁ ମିଶନ ୧୨୦ର ସମୀକ୍ଷା ମଧ୍ୟ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୁଣି ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୋଦିଙ୍କ ଓଡିଶା ଗସ୍ତ ବିଷୟରେ କୌଣସି କାର୍ଯ୍ୟସୂଚୀ ବିଦ୍ଧିବଧ ଭାବେ ରାଜ୍ୟ ବିଜେପିର ହସ୍ତଗତ ହୋଇ ନଥିଲେ ମଧ୍ୟ, କିନ୍ତୁ ଜୁଲାଇ ମାସ ଶେଷ ସୁଦ୍ଧା ଓଡିଶା ପ୍ରଧାନମନ୍ତ୍ରୀ ଗସ୍ତରେ ଆସିପାରନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି । ଏବଂ ଓଡିଶାର ଏକ ସ୍ୱତନ୍ତ୍ର ଅଞ୍ଚଳରେ ଜନସାଧାରଣଙ୍କଚ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ସମ୍ଭାବନା ରହିଛି ବୋଲି ବିଜେପି ପକ୍ଷରୁ ସୁଚନା ମିଳିଛି । ଅପରପକ୍ଷେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ନିର୍ଦ୍ଦାରିତ ହୋଇଛି । ଆସନ୍ତା ଜୁଲାଇ ୧ରେ ଦିନିକିଆ ଓଡିଶା ଗସ୍ତରେ ଅମିତ ଶାହ ଆସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଓଡିଶାରେ ବିଜେପି ୧୨୦ ମିଶନକୁ ନେଇ କେତେ ଆଗେଇଛି ଏବଂ କ’ଣ ସ୍ଥିତି ରହିଛି ଏନେଇ ଶାହା ଦଳୀୟ ସଂଗଠନରେ ଆଲୋଚନା କରିବେ ବୋଲି ବିଜେପି ପକ୍ଷରୁ ସୁଚନା ଦେଇଛନ୍ତି । ତେବେ ଶାହା ଓ ମୋଦି ଓଡିଶାକୁ ଫୋକସରେ ରଖି ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ପୁରା ଜୋର ଲଗାଉଛନ୍ତି ।

ଗତ ମେ ୨୬ ତାରିଖରେ ମୋଦି ସରକାରଙ୍କ ୪ର୍ଥ ବର୍ଷ ପୂର୍ତ୍ତିର ସଫଳତା ବଖାଣିବା ପାଇଁ ଜଗନ୍ନାଥ ଧାମକୁ ବାଛିଥିଲେ । ଏବଂ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ଅନେକ ଅରୋପ ପ୍ରତ୍ୟାରୋପ ଲଗାଇଥିଲେ । ତେବେ ଜୁଲାଇ ମାସରେ ଯଦି ମୋଦି ଓଡିଶା ଆସନ୍ତି ତେବେ ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ଅସ୍ତ୍ର ନେଇ ଓଡିଶା ଅସିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ପୂର୍ବଥର ମୋଦିଙ୍କ ଗସ୍ତପରେ ରାଜ୍ୟରାଜନୀତିରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ହୋଇଥିଲା । ତେବେ ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କହୁଥିବା ମୋଦି ପ୍ରକୃତରେ ଏହି ପ୍ରତିଶ୍ରୁତିକୁ ପୂରଣକରି ଓଡିଶାବାସୀଙ୍କ ମନ ଜିଣି ପାରିବେ ତ? ନାଁ ନବୀନଙ୍କ ୧୮ ବର୍ଷ ଶାସନର ପତିଆରା ବିଗତ ବର୍ଷ ଭଳି ବଜାୟ ରହିବ । ଏଭଳି ତମାମ ପ୍ରଶ୍ନ ଶାହା ଓ ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ଆଲୋଚନା ଆରମ୍ଭ ହୋଇଗଲାଣି ।