ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ: ବିଶେଷ ସୂତ୍ରରୁ ମିଳିଛି ସୂଚନା

84

କନକ ବ୍ୟୁରୋ: ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳକୁ ଚାତକ ପରି ଚାହିଁ ରହିଛନ୍ତି ସାରା ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ କର୍ତୃପକ୍ଷ। ଆଉ ଏହାରି ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି କି, ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଚଳିତ ବର୍ଷ ବିଳମ୍ବରେ ପରୀକ୍ଷା ଫଳ ପାଉଛି । ତେବେ ଖାତାଦେଖା ସମୟରେ ସୃଷ୍ଟି ହୋଇଥିବା ବିଭ୍ରାଟ ଯୋଗୁଁ ଫଳ ବାହାରିବା ନେଇ ବିଳମ୍ବ ହେଉଥିବା ପୂର୍ବରୁ ମନ୍ତ୍ରୀ ସ୍ୱୀକାର କରିଥିଲେ । ଗତବର୍ଷ ମେ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ଅନ୍ୟପକ୍ଷରେ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବିଳମ୍ବ ହେଉଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଗତକାଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ଦାବିପତ୍ର ଦିଆଯାଇଥିଲା । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ୨୦ ଦିନ ହେଲା ପ୍ରକାଶ ପାଇସାରିଲାଣି। ସିବିଏସଇ ଓ ଆଇସିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ ପାଇ ସାରିଥିବା ବେଳେ ସିଏଚଏସଇର କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ରେଜଲ୍ଟ ନ ବାହାରିବା ନୈରାଶ୍ୟଜନକ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରୁ ଠେଲି ଦିଆ ନ ଯାଇ ଯଥାଶୀଘ୍ର ଫଳ ପ୍ରକାଶ କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଥିଲା ।