ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା । ଶେଷ ହେଲା ଚତୁର୍ଦ୍ଧାମୂରତିଙ୍କ ପହଣ୍ଡିବିଜେ ନୀତି ଆଉ କିଛି ସମୟ ପରେ ଆରମ୍ଭ ହେବ ଛେରାପହଁରା

65

କନକ ବ୍ୟୁରୋ: ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଭକ୍ତଙ୍କ ମେଳକୁ ଚାଲି ଆସିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ବାହାରି ଆସିଥିଲେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ।

ପବିତ୍ର ରଥଯାତ୍ରା ଅବସରରେ ତିନି ଠାକୁର ରଥାରୂଢ଼ ହୋଇ ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରେ ଯାତ୍ରା କରିବେ । ଅତ୍ୟନ୍ତ ମନରୋମ ପରିବେଶରେ ତିନି ଠାକୁରଙ୍କ ପହଣ୍ଡି ଶେଷ ହୋଇଛି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର ।

ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଥିଲା । ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା । ଏହି ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।

ସେପଟେ ବଡ଼ଦାଣ୍ଡରୁ ପାଣି ଛାଡ଼ିଯାଇଛି । ଶରଧାବାଲିରେ କିଛି ଜାଗାରେ ପାଣି ଜମିଥିବା ଜାଗାକୁ ବାଲି ପକାଇ ସମାନ କରାଯାଉଛି । ତେବେ ଝିପି ଝିପି ବର୍ଷା ଲାଗି ରହିଛି । ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ଓ ପୁଣି ପାଣି ଜମିବା ପରି ଅବସ୍ଥା ହୁଏ, ତେବେ ପାଣି ନିସ୍କାସନ ପାଇଁ ୨୨ଟି ପମ୍ପକୁ ରଖାଯାଇଛି ।