କନକ ବ୍ୟୁରୋ: ମହାବାତ୍ୟାକୁ ଆଜି ପୁରିଛି ୧୮ ବର୍ଷ । ୧୯୯୯ ମସିହାର କରାଳ ବାତ୍ୟା ଜଗତସିଂହପୁର ଜିଲ୍ଲା ଏରସମା ଅଂଚଳରେ ଉଜାଡି ଦେଇଥିଲା ଅନେକ ପରିବାର । ଏବେ ବି ସେହି ଦୃଶ୍ୟ ଏରସମାବାସୀଙ୍କ ମନରେ ଉଙ୍କି ମାରୁଛି । ପୋକ ମାଛି ଭଳି ଭାସିଯାଇଥିଲେ ହଜାର ହଜାର ଲୋକ ଓ ଗୃହପାଳିତ ପଶୁ । ଚିହ୍ନ ବର୍ଣ୍ଣ ହଜିଯାଇଥିଲା ଅନେକଙ୍କର । ସମୁଦ୍ର ନିକଟବର୍ତ୍ତୀ ଗାଁରେ ତାଣ୍ଡବ ରଚିଥିଲା ମହାବାତ୍ୟା । ଘର ଉପରେ ୩୦ରୁ ୪୦ ଫୁଟର ପାଣି । ଆଖି ଆଗରେ କେତେ କାହାର ଜୀବନ ଚାଲିଗଲା । ଆଉ ସବୁଠାରୁ ବଡ କଥା ହେଲା ମହାବାତ୍ୟା ପରର ଦୃଶ୍ୟ ଥିଲା ଆହୁରି ଭୟଙ୍କର । ୧୦ ଦିନ ପରେ ପଂହଚିଥିଲା ରିଲଫ୍ । ଆଜି ସେହି ୧୮ ବର୍ଷର ତଳର କଥାକୁ ଏବେ ବି ଝୁରୁଛନ୍ତି ସ୍ଥାନୀୟ ଲୋକେ ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ, କେବଳ ପାରାଦୀପ, ଏରସମା ଓ ବାଲିକୁଦାରେ ପାଖାପାଖି ୧୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ଗୃହପାଳିତ ପଶୁ ଭାସି ଯାଇଥିଲେ । ରାଜ୍ୟ ସରକାର ବି ରିପୋର୍ଟରେ ୯,୮୮୫ଜଣଙ୍କର ପ୍ରାଣହାନୀ ଘଟିଥିବା ଦର୍ଶାଇଥିଲେ । ଏଥିସହିତ, ୧୩ ଲକ୍ଷ ହେକ୍ଟରର ଧାନ-ବିରି ଫସଲ, ୧.୭୬ ଲକ୍ଷ ହେକ୍ଟରର ପରିବା ଚାଷ ଏବଂ ୨.୭୫ ଲକ୍ଷ ହେକ୍ଟରର ଅନ୍ୟାନ୍ୟ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଏହାସହ ୨୨,୧୪୩ଟି ମାଛଧରା ଜାଲ ନଷ୍ଟ ହୋଇଥିବା ବେଳେ ୯,୦୮୫ଟି ଡଙ୍ଗାର ଟେର୍ ମିଳିନଥିଲା । ସେହିପରି ୩ ଲକ୍ଷ ୧୫ ହଜାର ୮୮୬ ଗୃହପାଳିତ ପଶୁ, ୧୮ଲକ୍ଷ ୮୩ ହଜାର ୪୬୮ଟି କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ଏବଂ ୩ ଲକ୍ଷ ୧୬ ହଜାର ଛୋଟ ଛୋଟ ପଶୁ ପ୍ରାଣ ହରାଇଥିଲେ । ଏହା ବ୍ୟତୀରକେ ଆହୁରି ଅନେକ ପଶୁ, ପକ୍ଷୀଙ୍କର ପତ୍ତା ମିଳିନଥିଲା । ସେତେବେଳେ ସାରା ଦେଶ ଏହି ମହାବାତ୍ୟାର ରୂପ ଦେଖି ଡରି ଯାଇଥିଲା ।

ମହାବାତ୍ୟାରେ ପାରାଦୀପର ଷଣ୍ଢକୁଦ ବସ୍ତି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । କେତୋଟି ପରିବାର ସମୁଦ୍ର ପାଣିରେ ଭାସି ଯାଇଥିଲେ, ସେମାନଙ୍କର କିଛି ଖବର ନାହିଁ । ଏପରିକି ଗୋଟିଏ ଗୋଟିଏ ପରିବାରକୁ ମହାବାତ୍ୟା ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରାଦେଇଛି । ଷଣ୍ଢକୁଦ ବସ୍ତିରେ ଆଜି ବି ପାନୀୟ ଜଳ, ବିଜୁଳି ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି । ପାନୀୟଜଳ ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ବାତ୍ୟା ପରେ ସମସ୍ତଙ୍କ ନଜରରେ ଏହି ବସ୍ତି ଥିବାରୁ ଏହାର ଉନ୍ନତି ପାଇଁ ସେତେବେଳେ ପ୍ରଶାସନ ବହୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏ ସମସ୍ତ ପ୍ରତିଶ୍ରୁତି ଏବେ ବି ଅଧାରେ ଅଟକି ରହିଛି ।

ସେହିଭଳି, ଏରସମା ବ୍ଲକ୍ ଅନ୍ତର୍ଗତ ସମୁଦ୍ରକୂଳିଆ ଶଙ୍ଖା ଗାଁରେ ସର୍ବାଧିକ ୧୦୭ ଜଣ ପ୍ରାଣ ହରାଇଥିଲେ । ଅନ୍ୟମାନେ ବହୁ କଷ୍ଟରେ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ଆଜି ବି ସେହି ଦୃଶ୍ୟ ବର୍ଣ୍ଣନା କରିବା ବେଳେ ଗ୍ରାମବାସୀ ଭୟରେ ଥରି ଉଠନ୍ତି । ଏହି ଗାଁର ଉନ୍ନତି ପାଇଁ ସେତେବେଳେ ବହୁ ଯୋଜନା କରାଗଲା । ମାତ୍ର ଏହି ଯୋଜନା କେବଳ କାଗଜ କଲମରେ ରହିଯାଇଛି । ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ୟ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ଏବେ ବି ଆକାଶରେ ବାଦଲ ଖଣ୍ଡିଏ ଦେଖିଲେ ପିଲା ଛୁଆଙ୍କୁ ସାଥୀରେ ଧରି ଲୋକେ ଆମ୍ବିକି ଗାଁରେ ଆଶ୍ରୟ ନିଅନ୍ତି । ଗାଁରେ ଏବେ ନାହିଁ ନଥିବା ସମସ୍ୟା। ଭଲ ରାସ୍ତାଟିଏ ନଥିବାରୁ ଯିବା ଆସିବା କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଛୋଟ ଛୋଟ ପିଲା ସେହି କାଦୁଅ ରାସ୍ତାରେ ପାଖ ଗାଁକୁ ଚାଲି ଚାଲି ପଢ଼ିବାକୁ ଯାଆନ୍ତି । ୧୮ ବର୍ଷ ହେଲାଣି ରାସ୍ତାଟିଏ ନିର୍ମାଣ କରାଯାଉ ନାହିଁ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା । ମାତ୍ର, ଏହା କେବଳ ଘୋଷଣାରେ ରହିଯାଇଛି ।

କୁହାଯାଉଛି ଯେ, ସମୁଦ୍ର କୂଳରେ ଥିବା ଝାଉଁ ଓ ହେନ୍ତାଳ ବଣ ଯୋଗୁଁ ସମୁଦ୍ର ପାଣି ପାରାଦୀପ ସହର ମଧ୍ୟକୁ ପ୍ରବେଶ କରି ପାରିନଥିଲା । ମାତ୍ର ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ସମୁଦ୍ର କୂଳରେ ଆଉ ଝାଉଁ ଜଙ୍ଗଲ କି ହେନ୍ତାଳ ବଣ ନାହିଁ । ସହର ଓ ବନ୍ଦର ସମ୍ପ୍ରସାରଣ ପାଇଁ କିଛି ଗଛ କଟା ଯାଉଥିବା ବେଳେ ଆଉ କିଛି ଗଛକୁ ମାଫିଆମାନେ କାଟି ନେଉଛନ୍ତି । ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବୃକ୍ଷରୋପଣ କରାଯିବା ତ ଦୂରରେ ଥାଉ, ଯେତିକି ଗଛ ଅଛି ତାହାର ମଧ୍ୟ ରକ୍ଷଣାବେକ୍ଷଣ କରାଯାଇ ପାରୁନାହିଁ । ଏଣୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ବର୍ତ୍ତମାନ ବହୁ କଷ୍ଟ ହୋଇପଡ଼ିବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି ।