ଇତିଶ୍ରୀ ଦେହରେ ନିଆଁ ଲଗାଇଲା କିଏ ? କାହିଁକି ଫେଲ ମାରିଲା ସିବିଆଇ ? ଆଉ ଥରେ କର ଇତିଶ୍ରୀ ତଦନ୍ତ, ଜୋରଧରିଲା ଦାବି

39

କନକ ବ୍ୟୁରୋ : କିଏ ସେ, ଇତିଶ୍ରୀ ପ୍ରଧାନଙ୍କ ହତ୍ୟାକାରୀ । କୁଆଡେ ଗାୟବ୍ ହୋଇଗଲା ଅଜ୍ଞାତ ହତ୍ୟାକାରୀ ? ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାକୁ ସୁପ୍ରମିକୋର୍ଟ ବନ୍ଦ କରିବା ପରେ ଏହି ସବୁ ପ୍ରଶ୍ନ ଏବେ ଘୁରି ବୁଲୁଛି । ଆଉ ଏହାସହ ସିବିଆଇର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ବଡ ପ୍ରଶ୍ନବାଚୀ । ଏସବୁ ଭିତରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଜିଲ୍ଲାର ବରିଷ୍ଠ ନେତା ଜୟରାମ ପାଙ୍କୀ । ବିଜେଡି ଅଭିଯୋଗ- କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି, ଜୟରାମଙ୍କୁ ବଂଚାଇବା ପାଇଁ ହୁଏତ, ମାମଲାକୁ ବନ୍ଦ କରିବା ପାଇଁ ଚାପ ପକାଇଥାଇପାରେ । ଆଉ ଜବାବ୍ରେ ବିଜେପି ପ୍ରଶ୍ନ କରିଛି-କ’ଣ କରୁଥିଲା କ୍ରାଇମବ୍ରାଂଚ । ଏବଂ ପୁଣି ଥରେ ମାମଲାର ଫାଇଲ୍ ଖୋଲିବା ସମକ୍ଷରେ ଯୁକ୍ତି ରଖିଛି ଭାରତୀୟ ଜନତା ପାର୍ଟି ।

ସିବିଆଇର ଚୁଡାନ୍ତ ରିପୋର୍ଟ ପରେ ସୁପ୍ରିମକୋର୍ଟ, ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାକୁ ବନ୍ଦ କରିଦେଇଥିବା ବେଳେ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ । ବରିଷ୍ଠ ବିଜେପି ନେତା ବିଜୟ ମହପାତ୍ର ଏନେଇ ପ୍ରଶ୍ନ ଉଠାଇବା ସହ ସିବିଆଇକୁ କାଠଗଡ଼ାକୁ ଟାଣିଛନ୍ତି । କହିଛନ୍ତି, ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏହି ସମ୍ବେଦନଶୀଳ ମାମଲାକୁ ସମାଧାନ ନକରିପାରିବା ଦୁର୍ଭାଗ୍ୟଜନକ । ଆଉ ମାମଲାକୁ ପୁଣି ଥରେ ଖୋଲିବା ସପକ୍ଷରେ ଯୁକ୍ତି ରଖିଛନ୍ତ ବିଜେପି ଉପ-ସଭାପତି ସମୀର ମହାନ୍ତି ।

ଆଉ ଏସବୁ ଭିତରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି- ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା କୋରାପୁଟ୍ ଜିଲ୍ଳାର ବରିଷ୍ଠ ନେତା ଜୟରାଜ ପାଙ୍ଗୀ । ଇତିଶ୍ରୀ ହତ୍ୟା ମାମଲାରେ ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ ଏକଦା ହରଣଘଣାରେ ପଡ଼ିଥିବା ବେଳେ ଏବେ ପୁଣି କଟା ଘା’ରେ ଚୁନ ଦେଲା ଭଳି ସ୍ଥିତି ସୃ୍ଷ୍ଟି କରିଛି ବିଜୁ ଜନତା ଦଳ । ଇତିଶ୍ରୀ ମାମଲାରେ ଜୟରାମ ପାଙ୍କୀଙ୍କ ନାଁ ଚର୍ଚ୍ଚାରେ ଥିବାରୁ ହୁଏତ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ମାମଲାକୁ ବନ୍ଦ କରିବା ନେଇ ଚାପ ପକାଇଥାଇପାରେ ବୋଲି ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଆଉ କଂଗ୍ରେସ ବି କହିଛି ମାମଲାକୁ ଚାପି ଦେବାରେ ରାଜନୈତିକ ଦଳର ସଂପୃକ୍ତି ଥିଲେ ଏହା ଦୁର୍ଭାଗ୍ୟଜନକ ।

ଏପଟେ କିନ୍ତୁ ବିଜେଡିକୁ ପାଲଟା ଆକ୍ରମଣ କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ କ’ଣ କଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଯେତେହୁ ସିବିଆଇ ବିଳମ୍ବରେ ଏହି ମାମଲାର ତଦନ୍ତ ଆରମ୍ଭ କଲା ହୁଏତ କିଛି ପ୍ରମାଣନଷ୍ଟ କରାଯାଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ଅର୍ଥାତ୍ ପରୋକ୍ଷରେ ସେ ସିଧାସଳଖ କ୍ରାଇମବ୍ରାଂଚ୍ର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଆଉ ଏହାରି ଭିତରେ ପ୍ରଶ୍ନ ଆସୁଛି- ଇତିଶ୍ରୀ ପ୍ରଧାନଙ୍କ ହତ୍ୟାକାରୀ କିଏ ?କୁଆଡେ ଗଲେ ନୀଳ ଜିନ୍ସ ପିନ୍ଧା ବ୍ୟକ୍ତି ? ଯିଏ ସେଦିନ ଇତିଶ୍ରୀଙ୍କୁ ଅତି ନିର୍ମମ ଭାବରେ ଇତିଶ୍ରୀଙ୍କୁ ହତ୍ୟା କରିଥିଲେ । ଦିଲ୍ଲୀର ଆରୁଷି ଅତ୍ୟାକାଣ୍ଡ ଭଳି ସବୁ ଦିନ ପାଇଁ ପରଦା ଆଢୁଆଳରେ ରହି ଯିବ କି ଏହି ଅଜ୍ଞାତ ହତ୍ୟାକାରୀର ଚେହେରା ?