ଦେଉଳ ମାଗିବନି ଦାତାର ଠିକଣା ! ଶ୍ରୀମନ୍ଦିର ହୁଣ୍ଡିରୁ ୫ ଲକ୍ଷ ଅଚଳ ନୋଟ୍ ବାହାରିବା ପରେ ପ୍ରଶାସନର ସଫେଇ

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କାଳିଆ ହୁଣ୍ଡିରେ କଳା ଟଙ୍କା । ୫ ଲକ୍ଷ ଟଙ୍କାର ଅଚଳ ନୋଟ୍ । ଶ୍ରୀମନ୍ଦିର ଭିତର କାଠ ନିକଟ ହୁଣ୍ଡିରୁ ବାହାରିଛି ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ । ଯେଉଁଥିରେ ରହିଛି ୩ ଲକ୍ଷ ଟଙ୍କାର ୫ ଶହ ଓ ୨ ଲକ୍ଷ ଟଙ୍କାର ହଜାରେ ଟଙ୍କିଆ ନୋଟ୍ । ଦାନ ହୁଣ୍ଡିର ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏସବୁ ଅଚଳ ଟଙ୍କା ।

ତେବେ କିଏ ଏତେ ପରିମାଣର ଟଙ୍କା ହୁଣ୍ଡିରେ ପକାଇଛି ସେ ନେଇ ମନ୍ଦିର ପ୍ରଶାସନ ପାଖରେ ଖବର ନାହିଁ । ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି ଆୟକୁ ବ୍ୟାଙ୍କରେ ଜମା କରିଥାଏ । କିଏ ଦାନ କରୁଛି, କେତେ ଦାନ କରୁଛି ଏବଂ ଦାନ ଟଙ୍କା କେଉଁ ସୂତ୍ରରୁ ପାଇଛି ତାର ହିସାବ ରଖାଯାଏ ନାହିଁ ।

ଗୋଟିଏ ଦିନରେ ଦାନ ହୁଣ୍ଡିରୁ ବାହାରିଛି ୬ ଲକ୍ଷ ୯୫ ହଜାର ୯୭୨ ଟଙ୍କା । ସେଥିରୁ ୫ ଲକ୍ଷ ଟଙ୍କାର ଅଚଳ ନୋଟ୍ । ହୁଣ୍ଡିରେ ଅଚଳ ୫ ଶହ ଓ ହଜାରେ ଟଙ୍କିଆ ପକାଯାଇପାରିବ ବୋଲି ପୂର୍ବରୁ ଘୋଷଣା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହାପରେ ମନ୍ଦିର ହୁଣ୍ଡିରୁ ବାହାରିଛି ବିପୁଳ ପରିମାଣର ଅଚଳ ଟଙ୍କା । ତେବେ ଏତେ ପରିମାଣର ଟଙ୍କା ଦାନକୁ ନେଇ ଏବେ ଶ୍ରୀକ୍ଷେତ୍ରରେ ଜୋର୍ ଧରିଛି ଚର୍ଚ୍ଚା ।

କାର୍ତିକ ମାସ ପରେ ଶ୍ରୀମନ୍ଦିରରେ କିଛି ଦିନ ଧରି ଭକ୍ତଙ୍କ ଗହଳି ହ୍ରାସ ପାଉଛି । ତେବେ ହୁଣ୍ଡିରେ ଦାନ ପରିମାଣ ବୃଦ୍ଧି ପାଇଛି । ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ ଅଚଳ ଘୋଷଣାକୁ ୨୪ ଦିନ ଗଡିଗଲାଣି । ବିଶେଷ କରି ଦିନକୁ ଦିନ କଟକଣା କଠୋର ହେବାରୁ କଳା ଟଙ୍କାକୁ ଧଳା କରିବାକୁ ବାଟ ମିଳୁନାହିଁ । ଫଳରେ ଅଧିକ ପରିମାଣରେ ଅଚଳ ନୋଟ ହୁଣ୍ଡିରେ ପଡୁଥିବା ଅନୁମାନ କରାଯାଉଛି ।