ଆଜିଠୁ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ୩୦ ଦିନ

ବିଧାନସଭା ଆସନ୍ତା ୨୮ରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

87

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି। ୨୮ ତାରିଖରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।ଅଧିବେଶନର ପ୍ରଥମ ଦିନ ଅର୍ଥାତ ଆଜି ଦିନ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଉଦ୍ବୋଧନ ଦେବା ସହ ଅଧିବେଶନ ଆରମ୍ଭ ହେବ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ୨୬ ଓ ୨୭ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ ଓ ୨୭ ତାରିଖରେ ନିର୍ବାଚନ ହେବ। ଶାସକ ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ତେଣୁ ଶ୍ରୀ ସିଂହ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।

୨୮ ତାରିଖରେ ନୂଆ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଗତ ଫେବ୍ରୁ୍ଆରି ମାସରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ କି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟବରାଦ କରାଯାଇଥିଲା। ସାଧାରଣ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇପାରି ନ ଥିଲା।

୨୮ ତାରିଖେର ବଜେଟ୍ ଉପସ୍ଥାପନ ହେଲା ପରେ ଅଗଷ୍ଟ ୧ ଓ ୨ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ। ଅଗଷ୍ଟ ୩ରୁ ୧୧ ତାରିଖ ଯାଏ ବିଧାନସଭା ବନ୍ଦ ରହିବ। ୧୨ ତାରିଖରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସେହିଦିନ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହେବ। ଅଧିବେଶନ ସମୟରେ ଅଗଷ୍ଟ ୩, ୬ ଓ ୮ ତାରିଖରେ ବେସରକାରୀ କାର୍ଯ୍ୟଦିବସ ରହିଛି।

ଗତ ବିଧାନସଭା ତୁଳନାରେ ଚଳିତ ବିଧାନସଭା ବିଭିନ୍ନ ଦୃଷ୍ଟିରୁ ଭିନ୍ନ ରହିବ। ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ଭାବେ ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କରିବେ। ତାଙ୍କର ପୂର୍ବ ଚାରି ପାଳିରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। କିନ୍ତୁ ଏଥର ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ। ତେଣୁ ଶାସକ ଦଳ ବିରୋଧରେ ବିଜେପି କିପରି ରଣନୀତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। େସହିପରି କଂଗ୍ରେସ ତୃତୀୟ ସ୍ଥାନକୁ ଆସିଥିଲେ ବି ଦଳରେ ଅଭିଜ୍ଞ ବିଧାୟକଙ୍କ ସଂଖ୍ୟା କମ୍ ନାହିଁ। ତେଣୁ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ବି ପ୍ରଭାବୀ ରହିବ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।