ନୂଆ ବର୍ଷରେ ନୂଆ ନିୟମ ! ଜାଣନ୍ତୁ ଗ୍ରାହକ କଣ ପାଇବେ ଫାଇଦା

51

ଆସନ୍ତା କାଲି ନୂଆ ବର୍ଷ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅନେଇବସିଛନ୍ତି । ତେବେ ନୂଆବର୍ଷରେ ଆସିବ ନୂଆ ନିୟମ । ନୂଆବର୍ଷରୁ ସରକାର କେତୋଟି ନୂଆ ନିୟମକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଫାଇଦା ଗ୍ରାହକଙ୍କୁ ମିଳିବ । ଆସନ୍ତୁ ଜାଣିବା ନୂଆ ନିୟମ ଯୋଗୁଁ ଗ୍ରାହକଙ୍କୁ କି ପ୍ରକାର ନୂଆ ସୁବିଧା ମିଳିବ ।
ଘରେ ବସି ଆଧାର ସଂଯୋଗ

New-Ruleଆସନ୍ତା ନୂଆବର୍ଷରୁ ଘରେ ବସି ମୋବାଇଲ ସିମ୍ ସହିତ ଆଧାର ନମ୍ବରର ସଂଯୋଗ ଗ୍ରାହକମାନେ କରିପାରିବେ । ଏହି ସୁବିଧା ଚଳିତମାସ ୧ ତାରିଖରୁ ଆରମ୍ଭ ହେବାର ଥିଲା । କିନ୍ତୁ ଟେଲିକମ ସେବା ପ୍ରଦାନକାରୀମାନେ ଏଥିପାଇଁ ପ୍ରସ୍ତୁତ ହୋଇନପାରିବାରୁ ସରକାର ଏହାକୁ ଆସନ୍ତା ଜାନୁଆରୀ ପହିଲାରୁ ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ । ଏହାଦ୍ୱାରା ଘରେ ବସି ଆଧାର ସଂଯୋଗ କରିବାର ସୁବିଧା ମୋବାଇଲ ଫୋନ ମାଧ୍ୟମରେ ଗ୍ରାହକଙ୍କୁ ମିଳିବ ।
ଗହଣା ଉପରେ ହଲମାର୍କିଂ ବାଧ୍ୟ

ସରକାର ଆସନ୍ତା ନୂଆବର୍ଷରୁ ୧୪ କ୍ୟାରେଟ, ୧୮ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଗହଣା ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଯୋଜନା ରଖିଛନ୍ତି । ଫଳରେ ଗ୍ରାହକମାନେ ସୁନା ଗହଣାର ଶୁଦ୍ଧତା ସମ୍ପର୍କରେ ଅବଗତ ହୋଇପାରିବେ । ୩ଟି ପର୍ଯ୍ୟାୟରେ ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୨ଟି ସହର, ଦ୍ୱିତୀୟ ପର୍ଯ୍ୟାୟରେ ୭୦୦ ସହର ଓ ପରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ ।
କମ ଏମଡିଆର ଚାର୍ଜ

ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶନାମା ଅନୁଯାୟୀ ଆସନ୍ତା ନୂଆବର୍ଷରୁ ଡେବିଟ କାର୍ଡରେ ଅର୍ଥ ପଇଠ ଶସ୍ତା ହେବ । କାରଣ ମର୍ଚାଂଟ ଡିସକାଉଂଟ ରେଟ(ଏମଡିଆର) ଚାର୍ଜ ନେଇ ନୂଆ ନିୟମ ଲାଗୁ ହେବ । ଡେବିଟ କାର୍ଡରେ ଅର୍ଥ ପଇଠ ସମୟରେ ଦୋକାନୀଙ୍କ ଉପରେ ୨ ପ୍ରତିଶତ ଚାର୍ଜ ଲାଗୁକରାଯାଇଥାଏ । ତେବେ କେତେକ ଦୋକାନୀ ଏହି ଚାର୍ଜକୁ ଅନେକ ସମୟରେ ଗ୍ରାହକଙ୍କ ଉପରେ ଲଦି ଦେଇଥାନ୍ତି । ତେବେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପଇଠ କ୍ଷେତ୍ରରେ ସରକାର ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଏମଡିଆର ଚାର୍ଜ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ୨ ହଜାର ଟଙ୍କାର ଡେବିଟ କାର୍ଡରେ ଅର୍ଥ ପଇଠ କ୍ଷେତ୍ରରେ ଗ୍ରାହକ କିମ୍ବା ଦୋକାନୀଙ୍କୁ କୌଣସି ଏମଡିଆର ଚାର୍ଜ ଆସନ୍ତା ନୂଆ ବର୍ଷରୁ ଦେବାକୁ ପଡିବ ନାହିଁ ।