ଆତଙ୍କ ଖେଳାଇଲା ଆମ୍ବ ଟାକୁଆ : ଖାଦ୍ୟ ସୁରକ୍ଷାର ଘୋଷଣା ଭିତରେ ଲୋକଙ୍କ ଥାଳିରେ ଭାତ ନାହିଁ !

26

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରୁ ଆସିଛି ଅଭାବନୀୟ ଖବର । ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ଜୀବନ ଯାଇଛି । ଏହି ଦୁଃଖଦ ଘଟଣା ଘଟିଛି ଝରିଗାଁ ବ୍ଲକ୍ ଗୁରୁସିଙ୍ଘା ପଂଚାୟତର ଉବନାପଦର ଗାଁରେ । ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଇଛି । ମୃତକ ଦୁଇଜଣ ହେଲେ ନାମିତା ସନ୍ତା ଓ ସୁଧାମଣି ସନ୍ତା । ଆମ୍ବ ଟାକୁଆ ଖାଇ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ବେଳେ ପ୍ରଥମେ ନାମିତାଙ୍କ ମୃତ୍ୟୁ ହୋଇଥିଲା ।

ପରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୁଧାମଣିଙ୍କ ମୃତ୍ୟୁ ହୋଇଛି । ଗୁରୁତର ଦୁଇଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ପୂର୍ବରୁ ମଧ୍ୟ ରାଜ୍ୟରେ ଏପରି ଆମ୍ବ ଟାକୁଆ ଖାଇ ଅନେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାର ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତିି ହେଲେ ଏବେବି ଲୋକମାନେ ସରକାରଙ୍କ ଯୋଜନା ପାଇ ପାରୁନାହନ୍ତି । ବର୍ତ୍ତମାନ ସମୟରେ ବି ନବରଙ୍ଗପୁର ଭଳି ଜିଲ୍ଲାରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ଅନେକ ଲୋକ ଏପରି ଘଟଣାକୁ ଦୃଢ ନିନ୍ଦା ମଧ୍ୟ କରିଥିବା ଜଣାପଡିଛି ।