ମୟୂରଭଂଜ ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କଲେ ନବୀନ । କହିଲେ, ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀ କରୁଥିଲେ ବିରୋଧ

193

କନକ ବ୍ୟୁରୋ : ବାରିପଦା ମେଡିକାଲ କଲେଜ କଥା ଉଠାଇ ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରିପଦା ମେଡ଼ିକାଲ କଲେଜକୁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରୁଥିଲେ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ନବୀନ । ରାଜ୍ୟ ସରକାର ସୁପ୍ରିମକୋର୍ଟରୁ ଅନୁମତି ଆଣି ମେଡ଼ିକାଲ କଲେଜ୍ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଏବଂ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ମାରାଥନ୍ ପ୍ରଚାର ବେଳେ ଉଠାଇଛନ୍ତି ମେଡ଼ିକାଲ କଲେଜ୍ ପ୍ରସଙ୍ଗ ।

ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ ନିର୍ମାଣକୁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିବା ପରେ ସିଧାସଳଖ ଦୁଇଟି ଚେହେରା ସାମ୍ନାକୁ ଆସୁଛନ୍ତି । କାରଣ, କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଓଡ଼ିଶାରୁ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । କାହାକୁ ଇସାରା କରୁଛନ୍ତି ନବୀନ?

କେବଳ ମେଡ଼ିକାଲ କଲେଜକୁ ଓଡିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରୁଥିଲେ କହି ନାହିଁନ୍ତି ବରଂ ମେଡ଼ିକାଲ କଲେଜ୍ ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ଏଥିରେ କେନ୍ଦ୍ରର ଅବଦାନ ମାତ୍ର ୨୦ ପ୍ରତିଶତ ବୋଲି ମୟୁରଭଞ୍ଜ ଉଦଳା ଜନସଭାରେ କହିଛନ୍ତି ନବୀନ । ଆଉ ଏପଟେ ଖବରକାଗଜ ଗୁଡ଼ିକରେ ମେଡ଼ିକାଲ କଲେଜକୁ ନେଇ ଆସିଥିବା ବିଜ୍ଞାପନକୁ ଆପତି କରିଛି ବିଜେପି । ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି-ଅର୍ଦ୍ଧସତ୍ୟ କହୁଛନ୍ତି ରାଜ୍ୟ ସରକାର ।

ରାଜନୀତିର ଏହି ଆରୋପ୍-ପ୍ରତ୍ୟାରୋପ୍ ଭିତରେ କିନ୍ତୁ ମୟୁରଭଞ୍ଜ ଏବଂ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ମାରାଥନ୍ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବାରିପଦାରେ ଜଗନ୍ନାଥ ଦର୍ଶନଠୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କରପଦା, ମରୋଡ଼ା, ଚିତ୍ରଡ଼ା, ରାଇରଙ୍ଗପୁର ଦେଇ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପହଂଚିଥିଲା । ପରେ ନିର୍ବାଚନ ସଭାରେ କର୍ମୀଙ୍କ ମନରେ ଜୋଶ ଭରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ।