ଜଳ ପାଲଟିଲା ଜହର : ନରେନ୍ଦ୍ର ପୁଷ୍କରୀଣିରେ ଭାସୁଛନ୍ତି ଶହ ଶହ ମଲାମାଛ

72

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନରେନ୍ଦ୍ର ପୁଷ୍କରିଣୀ । କୋଟି କୋଟି ଶ୍ରଦ୍ଧାଳୁଙ୍କ ପବିତ୍ର ପୋଖରୀ । ଯେଉଁଠି ଶ୍ରୀଜିଉ ଚାପ ଖେଳ କରନ୍ତି, ହଜାର ହଜାର ଭକ୍ତ ଶ୍ରଦ୍ଧାରେ ବୁଡ଼ ପକାନ୍ତି । ହେଲେ ଏହି ପବିତ୍ର ପୁଷ୍କରିଣୀ ଏବେ ପ୍ରଦୂଷିତ । ଭାସୁଛନ୍ତି ଶହ ଶହ ମଲାମାଛ । ଯୁଆଡେ ଚାହିଁଲେ ଖାଲି ଗଦା ଗଦା ମଲା ମାଛ । କେଉଁଠି ପାଣିରେ ଭାସୁଛି, ପୁଣି ଆଉ କେଉଁଠି କୂଳରେ ପଡ଼ିଛି । ଏ ଦୃଶ୍ୟ ବୟାନ କରୁଛି କେତେ ପ୍ରଦୂଷିତ ହୋଇଛି ପୁରୀର ପବିତ୍ର ନରେନ୍ଦ୍ର ପୋଖରୀ । ଆଉ ଦିନ ୪ଟା ପରେ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜୀଉ । ଆଉ ତାପୂର୍ବରୁ ଏହି ଅଘଟଣ ସମସ୍ତଙ୍କୁ ବ୍ୟଥିତ କରିଛି ।

ମାଛ ମରି ପଡ଼ିବା ଯୋଗୁଁ ପ୍ରଦୂଷିତ ହେଉଛି ପୋଖରୀର ପାଣି । ଆଉ ତାସହ ସଂପୂର୍ଣ୍ଣ ପରିବେଶ ଗନ୍ଧମୟ ହୋଇପଡ଼ିଛି । ଲୋକଙ୍କ ଆସ୍ଥା ଓ ଭାବାବେଗ ସହ ଜଡ଼ିତ ଥିବା ନରେନ୍ଦ୍ର ପୁଷ୍କରିଣୀର ଏ ଦୂରବସ୍ତା ପ୍ରତି ଯେମିତି ପ୍ରଶାସନର ନିଘା ନାହିଁ ।

ନବକଳେବର ସମୟରେ ପୁଷ୍କରିଣୀର ପଙ୍କୋଦ୍ଧାର ପାଇଁ କୋଟି କୋଟି ଟଂକା ଖର୍ଚ୍ଚ ହୋଇଥିଲା । ମାତ୍ର ବର୍ଷେ ପୁରିନି ଏ ଦୃଶ୍ୟ ସାମ୍ନାକୁ ଆସିଛି । ନରେନ୍ଦ୍ର ପୁଷ୍କରିଣୀ କଥା କହିଲେ ସାମ୍ନାକୁ ଆସିଯାଏ- ପବିତ୍ର ଆସ୍ଥା ଓ ବିଶ୍ୱାସର କଥା । କିନ୍ତୁ ଏଦୃଶ୍ୟ ଦେଖିଲେ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିବ ନିଶ୍ଚୟ