ଏଣିକି ଅନଲାଇନ୍ ବିକ୍ରିରେ ସର୍ବାଧିକ ଖୁଚୁରା ମୂଲ୍ୟ ଲେଖିବା ବାଧ୍ୟତାମୂଳକ

50

ଅନଲାଇନ୍ ସପିଂରେ ଗ୍ରାହକମାନଙ୍କୁ ଆଉ ଠକେଇର ଶିକାର ହେବାକୁ ପଡିବ ନାହିଁ । ସେମାନେ ଯେଉଁ ସାମଗ୍ରୀ ଖରିଦ କରୁଛନ୍ତି ତାହାର ପ୍ରକୃତ ଏମଆରପି (ସର୍ବାଧିକ ଖୁଚୁରା ମୂଲ୍ୟ) ବିଷୟରେ ଜାଣିପାରିବେ। ଅନଲାଇନରେ ବିକ୍ରି କରାଯାଉଥିବା ଉତ୍ପାଦର ଏମଆରପି, ଏକ୍ସପାଏରି ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ଲେଖିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ।

ଏହି ନିୟମ ୨୦୧୮ରୁ ଲାଗୁ ହେବ । ଗତ ମାସରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଲିଗାଲ୍ ମେଟ୍ରୋଲୋଜି (ପ୍ୟାକେଜଡ୍ କମୋଡିଟି) ନିୟମ ୨୦୧୧ରେ ସଂଶୋଧନ କରାଯାଇଛି । ନୂତନ ନିୟମକୁ ପାଳନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପାଇଁ କଂପାନିଗୁଡ଼ିକୁ ସରକାର ୬ ମାସର ମହଲତ ପ୍ରଦାନ କରିଛନ୍ତି ।

ସରକାର ଚାହୁଁଛନ୍ତି ଯେ ସାଧାରଣ ଗ୍ରାହକମାନଙ୍କ ଭଳି ଅନଲାଇନରେ ସାମଗ୍ରୀ ଖରିଦ କରୁଥିବା ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା ହେବା ଦରକାର । ଏବେ ଅନଲାଇନରେ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକର କେବଳ ଏମଆରପି ଲେଖାଯାଉଛି । ଉତ୍ପାଦର ଅନ୍ୟ ସବୁ ବିବରଣୀ ପ୍ରଦାନ କରିବାକୁ ସରକାର କଂପାନିଗୁଡ଼ିକୁ କହିଛନ୍ତି ।

୨୦୧୮ଠାରୁ ଅନଲାଇନରେ ବିକ୍ରି ହେବାକୁ ଥିବା ସାମଗ୍ରୀର ଏମଆରପି, ଉତ୍ପାଦନ ତାରିଖ, ଏକ୍ସପାଏରି ତାରିଖ, ପରିମାଣ, ଉତ୍ପାଦନ ହୋଇଥିବା ରାଷ୍ଟ୍ରର ନାମ ଏବଂ କଷ୍ଟମର୍ କେୟାର ବିବରଣୀ ପ୍ରଦାନ କରିବାକୁ ପଡ଼ିବ । ୨୦୧୮ ଜାନୁଆରିଠାରୁ ନୂତନ ନିୟମ ଲାଗୁ ହେବ। ଏହା ପରେ ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ତାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଉତ୍ପାଦର ବିବରଣୀକୁ ବଡ଼ ଅକ୍ଷରରେ ପ୍ରଦର୍ଶନ କରିବାକୁ ପଡ଼ିବ ଯାହାକୁ ଗ୍ରାହକମାନେ ସହଜରେ ଦେଖିପାରିବେ ।