ଧନ୍ୟବାଦ ଓଡ଼ିଶା ! ଉଦଯାପନୀ ଉତ୍ସବରେ ଯୋଗ ଦେଇ କହିଲେ ଏସୀୟ ଦୌଡ଼କୁଦ ସଂଘର ସଭାପତି ଦଲହାନ ଜୁମାନ ଅଲ ହମଦ

26

କଳିଙ୍ଗରେ ନୂଆ ଇତିହାସ । ଭାରତୀୟ କ୍ରୀଡ଼ା ଦୁନିଆର ନୂଆ ଅଧ୍ୟାୟ। ଅନେକ ପ୍ରଥମର ସ୍ମରଣୀୟ ସାକ୍ଷୀ ରହିଲା କଳିଙ୍ଗ ଷ୍ଟାଡିୟମ୍। ଯାହା କେବେ ଆଗରୁ ହୋଇ ନଥିଲା ସବୁକିଛି ହୋଇଗଲା । ୪୪ ବର୍ଷର ଏସୀୟ ଦୌଡ଼କୁଦ ଇତିହାସରେ ଭାରତ ପ୍ରଥମ ଥର ଶ୍ରେଷ୍ଠ ଦଳ ଭାବେ ନୂଆ ଫର୍ଦ ଯୋଡ଼ିଦେଲା । ଭାରତ ସର୍ବାଧିକ ସ୍ୱର୍ଣ୍ଣ (୧୨), ସର୍ବାଧିକ ପଦକ (୨୯) ଏବଂ ପ୍ରଥମ ଥର ଶ୍ରେଷ୍ଠ ବିବେଚିତ ହୋଇ ‘ଓଡ଼ିଶା-୨୦୧୭’କୁ ସ୍ମରଣୀୟ କରି ଦେଇଛି । ଅପ୍ରତ୍ୟାଶିତ ଆୟୋଜନ ସୁଯୋଗକୁ ୯୦ ଦିନର ଆହ୍ଵାନଭରା ପ୍ରସ୍ତୁତିରେ ରୂପରେଖ ଦେଇଥିବା ଓଡ଼ିଶା ସରକାର ସୁନ୍ଦର ଆୟୋଜନ ଓ ସଫଳ ସମାପନର ଶ୍ରେୟ ନେଇଛନ୍ତି ।

ରବିବାର ରାତିର ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଏସୀୟ ଦୌଡ଼କୁଦ ସଂଘର ସଭାପତି ଦଲହାନ ଜୁମାନ ଅଲ ହମଦ ହୃଦୟ ଖୋଲା ଆତିଥେୟତା ପାଇଁ ଓଡ଼ିଶାକୁ ଧନ୍ୟବାଦ ଦେଇଥିଲେ । ଏସିଆର ଶ୍ରେଷ୍ଠ କ୍ରୀଡ଼ା ଦଳ ହୋଇ ପାରିଥିବାରୁ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଏଠାରେ ମୁଁ ଏସୀୟ କ୍ରୀଡ଼ାର ଶ୍ରେଷ୍ଠ ଆୟୋଜନ ଦେଖିଲି । ଏଠାରେ ଦେଖିଥିବା ପେସାଦାର ଭାବନା, ଆୟୋଜନ ଦକ୍ଷତା ସତରେ ଅତୁଲ୍ୟ ।

ରବିବାର ରାତିରେ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିନୀତ ଶରଣ, ଭାରତୀୟ ଦୌଡ଼କୁଦ ସଂଘର ସଭାପତି ଆଦିଲ ସୁମେରିଓ୍ଵାଲା, ସଂପାଦକ ସିକେ ଭାଲସାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବିଚାରପତି ଶ୍ରୀ ଶରଣ ଉପବିଜେତା ଚୀନକୁ ଟ୍ରଫି ହସ୍ତାନ୍ତର କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେତା ଭାରତକୁ ଟ୍ରଫି ଦେଇଥିଲେ । ଭୁବନେଶ୍ୱରରେ ଆୟୋଜିତ ପାଞ୍ଚ ଦିନିଆ ଏସୀୟ ଦୌଡ଼କୁଦ ମହୋତ୍ସବ ରବିବାର ଶେଷ ହୋଇଥିଲା ବେଳେ ୨୦୧୯ରେ ଏହାର ପରବର୍ତୀ ସଂସ୍କରଣ କାତାରର ଦୋହାରେ ଆୟୋଜିତ ହେବ ।