ପିଏଫ ଖାତାଧାରୀଙ୍କ ପାଇଁ ଖୁସି ଖବର : ଚାକିରୀ ଚାଲିଯିବା ପରେ ବି ମିଳିବ ପିଏଫ ଆକାଉଣ୍ଟରୁ ଆଡଭାନ୍ସ ଟଙ୍କା, ଅବସର ପାଣ୍ଠି ଉପରେ ପଡିବନି ପ୍ରଭାବ

59

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ) ନିଜ ସଦସ୍ୟଙ୍କ ପାଇଁ ଏକ ସୁବିଧା କରିବାକୁ ଯାଉଛି, ଯେଉଁଥିରେ ଇପିଏଫଓର ୫ କୋଟିରୁ ଅଧିକ ସକ୍ରିୟ ସଦସ୍ୟଙ୍କୁ ଲାଭ ମିଳିବ । ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ବେକାରୀ ସମୟରେ ପିଏଫ ଖାତାରୁ ଟଙ୍କା ମିଳିବ । ଯାହାକି ଫେରସ୍ତ ହୋଇପାରିବନି । ଯଦି କର୍ମଚାରୀଙ୍କ ଚାକିରୀ ଚାଲିଯାଏ ଏବଂ ଗୋଟିଏ ମାସ ପର୍ଯ୍ୟନ୍ତ ଅନ୍ୟ ଚାକିରୀ ମିଳୁନି, ତେବେ ସେ ନିଜ ପ୍ରୋଭିଡେଣ୍ଟ ଆକାଉଣ୍ଟରୁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ଓ ଏହି ଟଙ୍କାକୁ ପରବର୍ତ୍ତୀ ସମୟରେ ପିଏଫ ଆକାଉଣ୍ଟରେ ଜମା କରିବାର ସର୍ତ୍ତ ବି ନଥିବ । ଏହିପରି ଚାକିରୀ ସନ୍ଧାନରେ ଥିବା ପିଏଫ ଖାତାଧାରୀଙ୍କୁ ନୂଆ ଚାକିରୀ ମିଳିବା ପର୍ଯ୍ୟନ୍ତ ନିଜ ଆବଶ୍ୟକୀୟ ଖର୍ଚ୍ଚ ତୁଲାଇବା ପାଇଁ ଉପାୟ ମିଳିଯିବ ଓ ତାଙ୍କ ପିଏଫ ଆକାଉଣ୍ଟ ବି ବଜାୟ ରହିବ ।

ଇପିଏଫଓ ଖାତାଧାରୀ ନିଜ ଚାକିରୀ ଛାଡିବା ତାରିଖ ଠାରୁ ଗୋଟିଏ ମାସ ପୂରା ହେବା ପରେ ନିଜ ଅଂଚଳର ଇପିଏଫଓ ଅଫିସରେ ଆଡଭାନ୍ସ ଟଙ୍କା ପାଇଁ ଆବେଦନ କରିପାରିବେ । ଅଗ୍ରିମ ରାଶି ଭାବେ ପିଏଫ ଆକାଉଣ୍ଟରେ ମୋଟ ରାଶିର ୬୦ ପ୍ରତିଶତ ବା ବ୍ୟକ୍ତିର ଗତ ତିନି ମାସ ଦରମା ସହିତ ସମାନ ଟଙ୍କାର ଆଡଭାନ୍ସ ମିଳିବ । ବାକି ଟଙ୍କା ପିଏଫ ଆକାଉଣ୍ଟରେ ହିଁ ଜମା ରହିବ ।

ଚାକିରୀ ମିଳିବା ପରେ ଆପଣଙ୍କ ସେହି ପିଏଫ ଆକାଉଣ୍ଟରେ ଯୋଗଦାନ ଆରମ୍ଭ ହୋଇଯିବ । ଏହି ପ୍ରକାରରେ ସେହି ବ୍ୟକ୍ତିର ଅବସର ପାଣ୍ଠି ବଜାୟ ରହିବ ଓ ଭବିଷ୍ୟ ପାଇଁ ବି ଆର୍ଥିକ ସ୍ତରରେ ସୁରକ୍ଷିତ ରହିବ । ଇପିଏଫଓ ସଦସ୍ୟଙ୍କୁ ଯଦି ୩ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରୀ ମିଳୁନି, ତେବେ ସେ ଇପିଏଫଓ ପାଖରେ ଆଉ ଏକ ଆଡଭାନ୍ସ ପାଇଁ ଆବେଦନ କରିପାରିବେ ଓ ପିଏଫ ଖାତାରେ ଥିବା ଟଙ୍କାର ୮୦ ପ୍ରତିଶତ କିମ୍ବା ଗତ ୬ ମାସ ଦରମାର ସମାନ ଟଙ୍କା ଅଗ୍ରୀମ ଭାବେ ଉଠାଇପାରିବେ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜ ସଦସ୍ୟଙ୍କୁ ଏହି ଆଶ୍ୱସ୍ଥି ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି ଓ କେନ୍ଦ୍ର ସରକାର ଶୀଘ୍ର ଏହା ପାଇଁ ଅଧିସୂଚନା ଜାରି କରିପାରନ୍ତି ।