ରବିବାର ସକାଳେ ହେବ ମୋଦି ମନ୍ତ୍ରୀମଣ୍ଡଳର ବଡ ପରିବର୍ତ୍ତନ ! ନୀତିନ ଗଡ଼କରୀଙ୍କୁ ମିଳିପାରେ ରେଳମନ୍ତ୍ରୀର ଦାୟିତ୍ୱ

48

କନକ ବ୍ୟୁରୋ : ଆଉ ଗୋଟିଏ ଦିନ ପରେ ବଦଳିଯିବ କେନ୍ଦ୍ର କ୍ୟାବିନେଟର ରୂପ । ରବିବାର ଦିନ ୧୦ଟାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବିଧିବଦ୍ଧ ଘୋଷଣା ହେବ । ଆଉ ଏହା ପରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଆଉ ଏଥିପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରେ ଏହା ହେଉଛି ତୃତୀୟ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଆଉ ଏସବୁ ଭିତରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କିଏ ମନ୍ତ୍ରୀ ହେବେ ଆଉ କିଏ ବାଦ୍ ପଡ଼ିବେ ।

ଏନଡିଏର ନୂଆ ସହଯୋଗୀ ଏବଂ ମନ୍ତ୍ରୀଙ୍କ ପ୍ରଦର୍ଶନ ଆଧାରରେ ପରିବର୍ତ୍ତନ ହେବ ମନ୍ତ୍ରୀମଣ୍ଡଳର ସ୍ୱରୂପ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ହୁଏତ ମନ୍ତ୍ରୀମଣ୍ଡଳ ଅଦଳବଦଳର ଏହା ଶେଷ ପ୍ରୟାସ ହୋଇଥିବାରୁ, ଏବେ ସମସ୍ତଙ୍କ ନଜର କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳୁଛି । ଅର୍ଥାତ୍ କିଏ, କେଉଁ ମନ୍ତ୍ରୀ ହେବେ । ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମିଳିପାରେ ରେଳମନ୍ତ୍ରୀର ଦାୟିତ୍ୱ । କ୍ରମାଗତ ରେଳ ଦୁର୍ଘଟଣା ଯୋଗୁଁ ସୁରେଶ ପ୍ରଭୁଙ୍କ ହାତରୁ ଯାଇପାରେ ରେଳମନ୍ତ୍ରୀ ପଦ ।

ସଂସଦୀୟ ବ୍ୟାପର ମନ୍ତ୍ରୀ ଥିବା ଅନନ୍ତ କୁମାରଙ୍କୁ ମିଳିପାରେ ସହରାଚଂଳ ବିକାଶମନ୍ତ୍ରାଳୟ । ଭେଙ୍କୟା ନାଇଡୁ ଉପରାଷ୍ଟ୍ରପତି ହେବା ପରେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ନେଇଥିଲେ ଗ୍ରାମାଂଚଳ ବିକାଶମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ବର୍ତମାନ ରେଳମନ୍ତ୍ରୀ ଥିବା ସୁରେଶ ପ୍ରଭୁଙ୍କ ଭାଗ୍ୟରେ ଜୁଟିପାରେ ପରିବେଶ ମନ୍ତ୍ରାଳୟ । ଟ୍ରେନ୍ ଦୁର୍ଘଟଣା ପରେ ପ୍ରଭୁ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ । ଚୀନ୍ ସହ ତିକ୍ତତା ଏବଂ ପାକିସ୍ତାନ ସହ ଟଣା ଓଟରା ଭିତରେ ଏବେ ସମସ୍ତଙ୍କ ନଜର କିଏ ହେବ ଦେଶର ପ୍ରତିରକ୍ଷାମନ୍ତ୍ରୀ । ମନୋହର ପାରିକର ଯିବା ପରେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଳାଉଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଚର୍ଚ୍ଚା ହେଉଛି ଜଣେ ଦକ୍ଷ ନେତାଙ୍କୁ ମିଳିବ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ।

ମୋଦି ମନ୍ତ୍ରୀମଣ୍ଡଳର ଗୁଟବୁକ ତାଲିକାରେ ଅଛନ୍ତି ୩ଜଣମନ୍ତ୍ରୀ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଶକ୍ତିମନ୍ତ୍ରୀ ପିୟୁଷ ଗୋୟଲ । ପ୍ରଦର୍ଶନ ଭିତିରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପିୟୁଷ ଗୋୟଲ ଏବଂ ପ୍ରକାଶ ଜାଭଡେକରଙ୍କୁ ମଧ୍ୟ ମିଳିପାରେ ପ୍ରମୋସନ । ଜେଡିୟୁ ଏନଡିଏକୁ ଫେରିବା ଏବଂ ନୀତିଶ କୁମାର, ବିଜେପିକୁ ବିହାର ଶାସନରେ ଭାବିଦାରୀ କରିଥିବାରୁ ଜେଡିୟୁକୁ ମିଳିପାରେ ବଡ ପୁରସ୍କାର । କୁହାଯାଉଛି, ନୂଆ ମନ୍ତ୍ରୀମଣ୍ଡଳରେ ଜେଡିୟୁ ଦଳରୁ ୨ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ । ସେହିପରି ଏଆଇଏଡିଏମକେ  ଯଦି ମୋଦିଙ୍କ ହାତ ଧରନ୍ତି, ତେବେ ଏଆଇଏଡିଏମକେ ଦଳରୁ ମଧ୍ୟ ୨ ଜଣ ନେତା କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ପାଇବେ । ଏହାବ୍ୟତୀତ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି, ଅନ୍ୟ ସହଯୋଗୀଙ୍କୁ ବି ଅସନ୍ତୁ୍ଷ୍ଟ କରିବେନି ମୋଦି ।

ଆଗକୁ ୫ଟି ରାଜ୍ୟରେ ନୂଆ ରାଜ୍ୟପାଳ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଆଉ ସେହି ଦୃଷ୍ଟିରୁ କିଛି ବରିଷ୍ଠ ନେତାଙ୍କୁ ମନ୍ତ୍ରୀ ବଦଳରେ ରାଜ୍ୟପାଳ କରିବା ନେଇ ବି ଚର୍ଚ୍ଚା ହେଉଛି । କାଲରାଜ ମିଶ୍ରଙ୍କ ସମେତ ଆଉ କିଛି ନେତାଙ୍କୁ ଏହି ବାଟରେ ସଂତୁଷ୍ଟ କରିପାରେ ଦଳ । ମନ୍ତ୍ରୀମଣ୍ଡଳର ବିଧିବଦ୍ଧ ଘୋଷଣା ଏବଂ ଶପଥ ଗ୍ରହଣ ଉତ୍ସବ ସାରି ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପାଇଁ ଚୀନ୍ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଏବେ ଅପେକ୍ଷା ରବିବାର ସକାଳକୁ, ଅର୍ଥାତ୍ ମନ୍ତ୍ରୀମଣ୍ଡଳ ଅଦଳବଦଳର ଘୋଷଣାକୁ ।