ହଜ୍ ଯାତ୍ରା ପାଇଁ ଆଉ ମିଳିବ ନାହିଁ ସବସିଡ଼ି : କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି

34

କନକ ବ୍ୟୁରୋ : ଚଳିତ ବର୍ଷ ଠାରୁ ହଜ୍‌ ଯାତ୍ରୀଙ୍କୁ ଆଉ ସରକାରୀ ରିହାତି ମିଳିବ ନାହିଁ । ବହୁ ବର୍ଷ ଧରି ମୁସଲିମ ଶ୍ରଦ୍ଧାଳୁଙ୍କୁ ମିଳୁଥିବା ଏହି ରିହାତି ସୁବିଧାକୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ନରେନ୍ଦ୍ର ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକଭୀ । ସେ କହିଛନ୍ତି ଯେ ରିହାତି ବାବଦ ଅର୍ଥକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ଭାବେ ଝିଅ ଓ ମହିଳାମାନଙ୍କ ଶିକ୍ଷାଗତ ସଶକ୍ତୀକରଣ ଏବଂ ଜନମଙ୍ଗଳ ଲାଗି ଖର୍ଚ୍ଚ କରାଯିବ । ଏହାଦ୍ୱାରା କୌଣସି ତୁଷ୍ଟୀକରଣ ବିନା ଆତ୍ମମର୍ୟ୍ୟାଦାର ସହ ସଂଖ୍ୟାଲଘୁମାନଙ୍କର ସଶକ୍ତୀକରଣ ହୋଇପାରିବ । ଚଳିତବର୍ଷ ଲକ୍ଷେ ୭୫ ହଜାର ମୁସଲିମ ତୀର୍ଥଯାତ୍ରୀ ହଜ୍‌ ଯାତ୍ରାରେ ବାହାରିଛନ୍ତି । ବିଗତ ବର୍ଷଗୁଡ଼ିକ ତୁଳନାରେ ଏହିସଂଖ୍ୟା ସର୍ବାଧିକ ରହିଛି । ତେବେ ସରକାରୀ ରିହାତି ନମିଳିବା ଦ୍ୱାରା ହଜ୍‌ ଯାତ୍ରା ଖର୍ଚ୍ଚ ଆଦୌ ପ୍ରଭାବିତ ହେବନି ବୋଲି ନକ୍‌ଭୀ କହିଛନ୍ତି । ଏହି ରିହାତି କେବଳ ଏୟାର ଇଣ୍ଡିଆରେ ଯାଉଥିବା ହଜଯାତ୍ରୀଙ୍କୁ ମିଳୁଥିଲା।

ଉଲ୍ଲେଖଯୋଗ୍ୟ, ୨୦୨୨ ସୁଦ୍ଧା ହଜ୍‌ ତୀର୍ଥଯାତ୍ରା ଲାଗି ଦିଆଯାଉଥିବା ରିହାତି ବନ୍ଦ କରିବାକୁ ୨୦୧୨ ମସିହାର ଏକ ରାୟରେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ହଜ୍‌ ରିହାତି ପ୍ରତ୍ୟାହାର କରିବା ପାଇଁ ଏକ ନୀତି ମଧ୍ୟ ପ୍ରସ୍ତୁତ ହୋଇଥିଲା । ତେବେ ଭାରତର ହଜ୍‌ କମିଟି ଏବଂ ଘରୋଇ ଟୁର୍‌ ଅପରେଟଙ୍କ ମଧ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୭୦ : ୩୦ ଅନୁପାତରେ ହଜ୍‌ ଯାତ୍ରୀ ସଂଖ୍ୟା ଆବଣ୍ଟନ ପାଇଁ ଉକ୍ତ ନୀତିର ମୁଖ୍ୟ ଲକ୍ଷ୍ୟ ଥିଲା । ସଂଖ୍ୟାଲଘୁ ମନ୍ତ୍ରାଳୟ ମଧ୍ୟ ୨୦୧୭ ମସିହାରେ ହଜ୍‌ ନୀତିର ସମୀକ୍ଷା ପାଇଁ ଏକ କମିଟି ଗଠନ କରିଥିଲେ ଏବଂ ୨୦୧୮-୨୨ ବର୍ଷ ଲାଗି ନୂଆ ହଜ୍‌ ନୀତି ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୧ରେ ୧ ଲକ୍ଷ ୨୫ ହଜାର ହଜଯାତ୍ରୀ ଯାଇଥିବା ବେଳେ ଏଥର ୧ ଲକ୍ଷ ୭୫ ହଜାର ଯାତ୍ରା କରିବେ । ସେହିଭଳି ୨୦୧୧ରେ ହଜ ସବସିଡି ବାବଦ ସରକାର ୬୮୫ କୋଟି ଟଙ୍କା ଦେଇଥିବା ବେଳେ ତାହା ଗତବର୍ଷ ୨୦୦ କୋଟିକୁ ହ୍ରାସ ପାଇଥିଲା ।