ବାତ୍ୟା ତିତଲିର କ୍ଷୟକ୍ଷତି ନେଇ ନବୀନଙ୍କ ସହ କଥା ହେଲେ ମୋଦି! ସମସ୍ତ ସହାୟତା ଯେଗାଇଦେବାକୁ ପ୍ରତିଶ୍ରୁତି

41

କନକ ବ୍ୟୁରୋ : ବାତ୍ୟା ତିତଲିର କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାରେ ବାତ୍ୟା କଣ ପ୍ରଭାବ ପକାଇଛି , ସେନେଇ ନବୀନଙ୍କୁ ଫୋନରେ ପଚାରି ବୁଝିଛନ୍ତି ମୋଦି । ଏଥିସହ ଓଡିଶାକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟାରେ ପ୍ରଭାବିତଙ୍କ ସୁରକ୍ଷା ଓ ସୁସ୍ଥ ରହିବା ନେଇ ସେ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମଧ୍ୟ କ୍ଷୟକ୍ଷତି ନେଇ ଫୋନରେ ଆଲୋଚନା କରିଛନ୍ତି ।
ଆଉ ଏସବୁ ଭିତରେ ତିତଲିକୁ ନେଇ ପୁଣି ଆସିଛି ଏକ ବଡ ଖବର । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ତିତଲି ଆସନ୍ତା ୧୨ ଘଂଟା ମଧ୍ୟରେ ଉତର-ପଶ୍ଚିମ ଦିଗକୁ ଗତି କରିବ । ଏହାପରେ ପୁଣିଥରେ ଉତର-ପୂର୍ବ ଦିଗକୁ ମୋଡ ବଦଳାଇ ପଶ୍ଚିମ ବଙ୍ଗ ଆଡକୁ ଗତି କରିବ । ଆଜି ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଗଜପତି, ଗଂଜାମ, ନୟାଗଡ, କନ୍ଧମାଳ ଓ ରାୟଗଡାରେ ଆସନ୍ତା ୬ ଘଂଟା ମଧ୍ୟରେ ୯୦ ରୁ ୧୦୦ କିମି ବେଗରେ ପବନ ବହିପାରେ । ଏହାଛଡା ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଆଉ ଏବେ ବାତ୍ୟା ବିପଦ ଟଳିଯିବା ପରେ ବର୍ଷା ନୂଆ ସମସ୍ୟା ହୋଇ ସାମ୍ନାକୁ ଆସିଛି । ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।