ରୋଷେଇ ଘରେ ମହଙ୍ଗା ମାଡ଼ : ରାଜ୍ୟ ସଭାରେ ହଙ୍ଗାମା ,ରନ୍ଧନ ଗ୍ୟାସରେ ସବସିଡି ପ୍ରତ୍ୟାହାର ନିଷ୍ପତ୍ତିକୁ ପ୍ରବଳ ବିରୋଧ

36

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ସଂସଦ ହୁଲସ୍ତୁଲ । ବିରୋଧୀଙ୍କ ପ୍ରବଳ ହଙ୍ଗାମା । ରନ୍ଧନ ଗ୍ୟାସ୍ ଉପରୁ ସବସିଡି ହ୍ରାସ ନିଷ୍ପତ୍ତି ଗରିବ ଲୋକଙ୍କ ଉପରେ କେନ୍ଦ୍ର ସରକାରଙ୍କ ଲାତ୍ ବୋଲି କହିଛି ବିରୋଧୀ ଟିଏମସି । ଲୋକସଭାରେ ଗତକାଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସବସିଡି ବନ୍ଦ ନେଇ ସୂଚନା ଦେଇଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଆଜି ସଂସଦର ଉଭୟ ଗୃହରେ ତୁମ୍ବିତୋଫାନ୍ ହୋଇଛି । ପରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର ।

ଦିଲ୍ଲୀରୁ ପଲ୍ଲୀ । ସରକାରଙ୍କ ନିଷ୍ପତ୍ତିକୁ ସବୁଆଡେ ବିରୋଧ । ପ୍ରଭାବିତ ହୋଇଛି ରୋଷେଇ ଘର । ନିରାଶ ହୋଇଛନ୍ତି ଗୃହିଣୀ । ବର୍ତ୍ତମାନ ସ୍ଥିତିରେ ପନିପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ସିଲିଣ୍ଡର ଉପରୁ ସବସିଡି ହ୍ରାସ ଏବଂ ଦର ବୃଦ୍ଧି, ବୋଝ ଉପରେ ନଳିତା ବିଡା ହେବ ବୋଲି କହିଛନ୍ତି ମହିଳା । ଏବେ ଦେଶର ପ୍ରତି ପରିବାରକୁ ୧୨ ଟି ଏଲପିଜି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରାଯାଉଛି । ଏହାବାଦ୍ ଯେଉଁମାନେ ଗ୍ୟାସ୍ ସିଲିଣ୍ଡର କିଣିବେ ସେମାନଙ୍କୁ ବଜାର ଦର ଦେବାକୁ ପଡୁଛି ।

ଏପଟେ ମହିଳାଙ୍କ ସମ୍ମାନର କଥା କହୁଥିବା କେନ୍ଦ୍ର ସରକାର ମହିଳାଙ୍କ ସହ ଛଳନା କରିଛି ବୋଲି ଅଭିଯୋଗ କରିଛି ବିଜେଡି । ପ୍ରତିବାଦରେ ରାଜ୍ୟର ସବୁ ଜିଲ୍ଲାରେ ବିକ୍ଷୋଭ କରିବ ମହିଳା ବିଜେଡି । ଶାସକ ବିଜେଡି ସହ ସ୍ୱର ମିଳାଇଛି ବିରୋଧୀ କଂଗ୍ରେସ । ସରକାରଙ୍କ କହିବା ଅନୁସାରେ ଗତ ଜୁନରୁ ପ୍ରତିମାସରେ ସିଲିଣ୍ଡର ପିଛା ୪ଟଙ୍କା ଲେଖାଏଁ ବୃଦ୍ଧି କରିବାକୁ ତୈଳ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆସରିଛି । ଏହି ନିର୍ଦ୍ଦେଶ ମିଳିବା ପରଠାରୁ ଦୁଇ ଥର ଦର ବୃଦ୍ଧି ହୋଇସାରିଲାଣି । ଏହା ପୂର୍ବରୁ ୨୦୧୬ ଜୁଲାଇରୁ ସିଲିଣ୍ଡର ପିଛା ପ୍ରତିମାସରେ ୨ଟଙ୍କା ବୃଦ୍ଧି ହୋଇଛି । ଏହାବାଦ୍ ଗତ ଜୁଲାଇରେ ଏକାଥରକେ ସିଲିଣ୍ଡର ପିଛା ୩୨ ଟଙ୍କା ବୃଦ୍ଧି ହୋଇଥିଲା ।