ଲୋକସଭାରେ ପାଶ ହେଲା ତିନି ତଲାକ ବିଲ : ବିରୋଧୀଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ ଖାରଜ୍

37

କନକ ବ୍ୟୁରୋ :  ଲୋକସଭାରେ ପାରିତ ହୋଇଛି ଐତିହାସିକ ମୁସଲମାନ ମହିଳା ବିବାହ ଅଧିକାର ସଂରକ୍ଷଣ ବିଲ୍ ୨୦୧୭ । ସାଧାରଣରେ ଏହାକୁ ଟ୍ରିପଲ ତଲାକ୍ ବିଲ୍ ବୋଲି କୁହାଯାଉଛି । ଏହି ବିଲ୍ ପାରିତ ହେବା ପରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏଣିକି ଟ୍ରିପଲ ତଲାକ କରୁଥିବା ଲୋକଙ୍କୁ ଆଉ ନିସ୍ତାର ନାହିଁ । ନୂଆ ବିଲ୍ ଅନୁସାରେ ଏପରି କଲେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ସହ ୩ ବର୍ଷର ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଲୋକସଭା ପରେ ଏବେ ଏହି ବିଲ ରାଜ୍ୟସଭାରେ ଆଗତ ହେବ । ପୂର୍ବରୁ ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ଏହି ବିଲ ଲୋକସଭାରେ ଆଗତ କରିଥିଲେ । ସେ କହିଥିଲେ ଏହା ସମାଜରେ ଥିବା ଏକ ଭୁଲ ବ୍ୟବସ୍ଥା, ଯେଉଁଥି ପାଇଁ ମହିଳାମାନେ ନିଜ ହକରୁ ବଂଚିତ ହୋଇଛନ୍ତି । ଏହା ନାରୀ ସଶକ୍ତିକରଣ ପାଇଁ ଏକ ଉଦ୍ୟମ ବୋଲି ମନ୍ତ୍ରୀ କହିଥିଲେ ।
ସୁପ୍ରିମକୋର୍ଟ ଏହି ବ୍ୟବସ୍ଥାକୁ ଏକ ପାପ୍ ବୋଲି କହିବା ପରେ ସଂସଦ କଣ ଚୁପ୍ ହୋଇ ବସି ରହିବ କି ବୋଲି କହିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ଏହି ବିଲକୁ ବିଭିନ୍ନ ସଂଗଠନ ସହ ଆଲୋଚନା କରି ଚୂଡାନ୍ତ କରିବାକୁ ପ୍ରସ୍ତାବ ଦେଇଥିଲା କଂଗ୍ରେସ । ଅନ୍ୟପଟେ ଏହି ବିଲର ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇ ବିରୋଧ କରିଥିଲା ବିଜେଡି । ବିଭିନ୍ନ ମୁସଲିମ୍ ସଂଗଠନ ଏହି ବିଲକୁ ବିରୋଧ କରିଥିଲେ । ତେବେ କୌଣସି ସଂଶୋଧନ ବିନା ଏହି ବିଲ ପାରିତ ହୋଇଛି ।

ତିନ ତଲାକ ବିଲ ଲୋକସଭାରେ ପାଶ ହେବା ପରେ ମୁସଲମାନ ମହିଳାଙ୍କ ମଧ୍ୟରେ ଜବରଦସ୍ତ ଖୁସି ପ୍ରକାଶ ପାଇଛି । ବାଣ ଫୁଟାଇ ମୁସଲମାନ ମହିଳାମାନେ ଖୁସି ପାଳିଛନ୍ତି । ଏହା ଏକ ଐତିହାସିକ ଦିନ ବୋଲି ମୁସଲମାନ ମହିଳା ମାନେ କହିଛନ୍ତି । ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏହା ଏକ ଐତିହାସିକ ଦିନ । ଏହା ମହିଳା ସମ୍ମାନ, ମହିଳା ଗାରିମା ଓ ମହିଳା ନ୍ୟାୟ ସହ ଜଡିତ ଅଛି । ବିଲ ପାଶ ହେବା ପରେ ମୁସଲମାନ ମହିଳା ଖୁସି ପ୍ରକାଶ କରିଛନ୍ତି ।