ରାଉରକେଲାରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ : ପରିଚୟ ପତ୍ର କରାଇଦେବାକୁ କହି ଲୁଟୁଛନ୍ତି ଦଲାଲ

20

କନକ ବ୍ୟୁରୋ : ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର କରାଇଦେବାକୁ କହି ଲୁଟୁଛନ୍ତି ଦଲାଲ । ଏଭଳିକି ଟଙ୍କା ଦେଲେ ମିଳୁଛି ପରିଚୟ ପତ୍ର । ସଠିକ୍ ଚିହ୍ନଟ ଓ ବ୍ୟବସ୍ଥା ତ୍ରୁଟି ଯୋଗୁଁ ବାଟବଣା ହେଉଛି ଶ୍ରମିକ କଲ୍ୟାଣକାରୀ ଯୋଜନା । ଏହାକୁ ନେଇ ରାଉରକେଲାରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ନିର୍ମାଣ ଶ୍ରମିକଙ୍କୁ ନକଲି ପରିଚୟ ପତ୍ର । ବେନାମୀ ଶ୍ରମିକ ସଂଗଠନଙ୍କ ଟାର୍ଗେଟରେ ଗରିବ ହିତାଧିକାରୀ । ପରିଚୟପତ୍ର କରାଇଦେବାକୁ କହି ଶ୍ରମିକଙ୍କୁ ଲୁଟି ଚାଲିଛନ୍ତି ଦଲାଲ । ରାଉରକେଲା ବସ୍ତି ଅଂଚଳରେ ରହୁଥିବା ଅନେକ ଶ୍ରମିକ ଠକାମୀର ଶିକାର ହୋଇଥିବା ଘଟଣା ପଦାକୁ ଆସିଛି । ଶ୍ରମିକ କଲ୍ୟାଣ ଯୋଜନା କିଭଳି ବାଟବଣା ହେଉଛି ତାହା ଦେଖିବାକୁ ମିଳିଛି । ନିର୍ମାଣ ଶ୍ରମିକ କଲ୍ୟାଣ କ୍ଷେ୍ତ୍ରରେ କାର୍ଯ୍ୟକରୁଥିବା ବିଜୁ ଶ୍ରମିକ ସାମୁଖ୍ୟ ଅଭିଯୋଗକୁ ସ୍ୱୀକାର କରିବା ସହ ରାଜ୍ୟରେ ବଂଟନ କରାଯାଇଥିବା ପରିଚୟ ପତ୍ରରେ ୩୦ ପ୍ରତିଶତ ଜାଲି ବୋଲି ସାମୁଖ୍ୟର ରାଜ୍ୟ ଉପସଭାପତି କହିଛନ୍ତି ।

କିଛି ସଂଗଠନ ଓ ସଂସ୍ଥା ଏଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା କହିଛନ୍ତି ଜିଲ୍ଲା ଶ୍ରମିକ ଅଧିକାରୀ । ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶ୍ରମିକ କଲ୍ୟାଣକାରୀ ଯୋଜନାରେ ଶ୍ରମିକ ସଂଗଠନ ଓ ସଂସ୍ଥା ସମେତ ଖୋଦ ଶ୍ରମ ବିଭାଗ ଥିବା ବେଳେ ହିତାଧିକାରୀଙ୍କ ପାଖରେ ପହଚିଂଥିବା ପରିଚୟ ପତ୍ର ନକଲି ହେଲା କିପରି?