ଦିଲ୍ଲୀ ଗଲା ପିସି ମାମଲା ! ଦଳୀୟ କର୍ମୀଙ୍କୁ ଘର ବାଣ୍ଟି ଅଡୁଆରେ ନବୀନ ସରକାର ! ତଦନ୍ତ ପାଇଁ କେନ୍ଦ୍ର ପଠାଇବ ଟିମ
କନକ ବ୍ୟୁରୋ: ଓଡିଶାରେ ସଠିକ ଭାବେ ଉପଯୋଗ ହୋଇନି କେନ୍ଦ୍ରୀୟ ଯୋଜନା ଓ ଅନୁଦାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଅଭିଯୋଗ ପରେ ଏବେ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ । ନବୀନଙ୍କ ରାଜ୍ୟରେ ହେବ ସରଜମିନ ତଦନ୍ତ । ଗୋଟିଏ ଦିନ ପୂର୍ବରୁ ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ଏବେ ରାଜ୍ୟରେ ହୋଇଥିବା ଏକ ଦୁର୍ନିତୀର ପର୍ଦ୍ଦାଫାଶ ପାଇଁ କେନ୍ଦ୍ରରୁ ଟିମ ଆସିବା ନେଇ ସୂଚନା ମିଳିବା ପରେ ଏହା ଭିନ୍ନ ରୂପ ନେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ବରାହୀପୁର ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଗୁରୁତର ତୃଟି ହୋଇଥିବା ନେଇ ଅଭିଯୋଗ ଉଠିଥିଲା । ଏପରିକି ସେହି ପଂଚାୟତ ସରପଂଚଙ୍କ ସମେତ ବ୍ଲକର ବିଭିନ୍ନ ଗ୍ରାମର ଗ୍ରାମବାସୀମାନଙ୍କ ଦ୍ୱାରା ଧର୍ମେନ୍ଦ୍ରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଯେଉଁ ଦାବୀପତ୍ରକୁ ସେ କେନ୍ଦ୍ର ଗ୍ରାମ୍ୟଉନ୍ନୟନ ଓ ପଂଚାୟତିରାଜ ବିଭାଗକୁ ପଠାଇବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
ଦାବୀପତ୍ରରେ ଉଲ୍ଲେଖ ରହିଥିଲା ଯେ, ମାହାଙ୍ଗା ବ୍ଲକରେ ୨୦୧୧ ମସିହା ସାମାଜିକ, ଅର୍ଥନୈତିକ ଓ ଜାତିଗତ ତାଲିକାରେ କ ବଦଳରେ ଗ ରେ ଥିବା ସାମିଲ ଥିବା ବ୍ୟକ୍ତିଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇଥିଲା । ସେହି ତାଲିକାରେ ଅନେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥାନ୍ତେ । କିନ୍ତୁ ଚାଳ ଓ କଚ୍ଚା ଘର ଥିବା ଲୋକଙ୍କ ବଦଳରେ ଶାସକ ଦଳର ପକ୍କାଘର ଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯାଇଥିଲା । ଶାସକ ଦଳର ବିଧାୟକମାନଙ୍କ ନିର୍ଦ୍ଦେଶରେ ବିଡିଓ ଓ ପିଇଓ ମାନେ ବିଭିନ୍ନ ହିତାଧିକାରୀଙ୍କ ଠାରୁ ପ୍ରଚୁର ଲାଂଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେଇଥିବା ନେଇ ଧର୍ମେନ୍ଦ୍ରଙ୍କୁ ଦିଆଯାଇଥିବା ଦାବୀପତ୍ରରେ ଉଲ୍ଲେଖ କରାଯାଇଥିଲା । ଏହି ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରିବାକୁ ସେ କେନ୍ଦ୍ରକୁ ଚିଠି ଲେଖିଥିଲେ ।
ତେବେ ଧର୍ମେନ୍ଦ୍ରଙ୍କ ପତ୍ର ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟଉନ୍ନୟନ ଓ ପଂଚାୟତିରାଜ ବିଭାଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଦାବୀପତ୍ରରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ଗୁଡିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୟନ ପ୍ରକିୟାର ବିରୁଦ୍ଧାଚରଣ ହୋଇଥିବାରୁ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି ଧର୍ମେନ୍ଦ୍ରଙ୍କ ପତ୍ରର ପ୍ରତ୍ୟୁତ୍ତର ଦେଇଛନ୍ତି ତୋମର । କେବଳ ଏତିକି ନୁହେଁ, ଏକ ଇଂଟରନାଲ ଅଡିଟ ଟିମ ପଠାଇ ନିଦ୍ଦିଷ୍ଟ ଅଭିଯୋଗର ସରଜମୀନ ତଦନ୍ତ କରି ରିପୋର୍ଟ ଦେବାକୁ ଚିଫ କଣ୍ଟ୍ରୋଲର ଅଫ ଆକାଉଣ୍ଟସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତୋମର ସ୍ପଷ୍ଟ କରିଥିବା ବେଳେ ଏହାକୁ ରାଜେନ÷ତିକ ଗୋଟି ଚାଳନା ବୋଲି କୁହାଯାଉଛି । ଧର୍ମେନ୍ଦ୍ର ପିସିକୁ ଆୟୁଧ କରି ନବୀନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତଦନ୍ତ କରି ନବୀନ ଶାସନରେ ହୋଇଥିବା ଦୁର୍ନୀତିର ଅସଲ ମୁଖା ଖୋଲିବାକୁ ଏହା ପ୍ରୟାସ ବୋଲି ଆଲୋଚନା ହେଉଛି ।
ଏହି ନିର୍ଦ୍ଦେଶ ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି ପିସି । ବିଡିଓ ଓ ପିଇଓମାନେ ହିତାଧିକାରୀମାନଙ୍କ ଠାରୁ ପ୍ରଚୁର ଲାଂଚ ନେଇଥିବାର ଅଭିଯୋଗ ଓଡିଶା ପାର ହୋଇ ଦିଲ୍ଲୀରେ ପହଂଚିଥିବାରୁ ପିସି ମାମଲା ସତେଜ ହେବାରେ ଲାଗିଛି । ଗତ କିଛିଦିନ ଧରି ପିସି କାରବାରକୁ ନେଇ ଅନେକ ଆଲୋଚନା ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପିସି କାରବାର ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପିସି ମାମଲା ଦିଲ୍ଲୀରେ ପହଂଚିଥିବାରୁ ଏହାର ତଦନ୍ତ ଏକ ନୂଆ ସନ୍ଦେଶ ଦେବ ବୋଲି ଅନୁମାନ କରାଯାଉଛି ।