ଦିଲ୍ଲୀରେ ଦରବାରରେ ଦାବି ଦୋହାରାଇଲେ ନବୀନ! କହିଲେ, ଆର୍ଥିକ ସ୍ୱାଧିନତା ଥିଲେ, ଚାଷୀଙ୍କୁ ଆସିବାକୁ ପଡିନଥାନ୍ତା ଦିଲ୍ଲୀ, ରାଜ୍ୟ ପାଣ୍ଠିରୁ ମିଳିଥାନ୍ତା ସହାୟତା

230

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି, ଏମଏସପିକୁ ୨ ହଜାର ୯୩୦ ଟଙ୍କାକୁ ବୃଦ୍ଧି, ଏବଂ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା ଭଳି ଦାବି ନେଇ ଆଜି ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନିର୍ବାଚନ ସମୟରେ ବିଜେପି ରଖିଥିବା ପ୍ରତିଶ୍ରୂତି ପାଳନ କରିନଥିବା ମୁଖ୍ୟମନ୍ତ୍ରୀ କହିବା ସହ ସହାୟକ ମୁଲ୍ୟ ବଢ଼ାଇବା ନେଇ ରାଷ୍ଟ୍ରପତିଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେବା ପୂର୍ବରୁ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କୃଷକ ଅଧିକାର ସମାବେଶରେ ଚାଷୀର ହକ୍ ପାଇଁ ରଣ ହୁଙ୍କାର ଦେଇଛି ବିଜୁ ଜନତା ଦଳ । ଏହି ଅବସରରେ ବିଜେଡି ସୁପ୍ରିମୋ ପୁଣି ଆର୍ଥିକ ସ୍ୱାଧିନତା ପ୍ରସଙ୍ଗ ଉଠାଇଛନ୍ତି ।

ଚାଷୀଙ୍କ ହକ୍ ପାଇଁ ଦିଲ୍ଲୀରେ ମଂଚ ବାନ୍ଧିଥିଲା ବିଜେଡି । ଅବସର ଥିଲା କୃଷକ ଅଧିକାର ସମାବେଶ । କେନ୍ଦ୍ରର ବିଜେପି ସରକାରକୁ ଖୋଲାଖୋଲି ଚ୍ୟାଲେଂଜ୍ ଦେବା ସହ ଓଡିଶା ଚାଷୀଙ୍କ ହକ୍ ଛଡାଇ ଆଣିବା ପାଇଁ ବିଜେଡି ସୁପ୍ରିମୋ ପୁଣି ଦୋହରାଇଛନ୍ତି ଓଡ଼ିଶାକୁ ଆର୍ଥିକ ସ୍ୱାଧିନତା ପ୍ରସଙ୍ଗ । ରାଜ୍ୟର ଆର୍ଥିକ ସ୍ୱାଧିନତା ଥିଲେ, ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ପଡ଼ିନଥାନ୍ତା ଏବଂ ରାଜ୍ୟ ପାଣ୍ଠିରୁ ଚାଷୀଙ୍କୁ ସହାୟକ ମୁଲ୍ୟ ଦେବାରେ ଆମେ ସଫଳ ହୋଇଥାନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଆର୍ଥିକ ସ୍ୱାଧିନତା ଦାବିକୁ ଜୋରଦାର କରିବା ସହ ଏମଏସପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାରଙ୍କ ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ନବୀନ । ଚାଷୀଙ୍କ ଆୟ ଦୁଇଗୁଣା ବୃଦ୍ଧି କରିବା ଲାଗି ପ୍ରତିଶ୍ରୁତି ଦେଇ କିଭଳି ଫାଙ୍କି ଦେଇଛି ବିଜେପି, ତାକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ।

କୃଷକ ଅଧିକାର ସମାବେଶ ମଂଚରୁ ନବୀନ କହିଛନ୍ତି ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବା ଲାଗି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ସେହି ପ୍ରତିଶ୍ରୁତି ଭୁଲିଗଲା । ବିଜେଡି କିନ୍ତୁ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରୟାସ ଜାରି ରଖିଛି । ଆଉ ଏପଟେ ଚାଷୀଙ୍କୁ ନେଇ କେନ୍ଦ୍ର ବିରୋଧୀ ରଣନୀତିକୁ ଜୋରଦାର କରି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ।  ଏସବୁ ଭିତରେ ଚାଷୀ ଅବହେଳାକୁ ପ୍ରସଙ୍ଗ କରି ନିର୍ବାଚନ ବର୍ଷରେ ବିଜେପିକୁ ଘେରିବା ପାଇଁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି । ପ୍ରଥମେ କୃଷିଋଣ ଛାଡ ରେସ୍ରେ ସାମିଲ ନହୋଇ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଣିଲେ ସ୍ୱତନ୍ତ୍ର କାଳିଆ ଯୋଜନା । ଆଉ ଏବେ ଦେଶକୁ ଅନ୍ନ ଯୋଗାଉଥିବା ଚାଷୀକୂଳର ବିଶ୍ୱସ ଜିତିବା ଲାଗି ଦିଲ୍ଲୀ ଦରବାରରେ ନବୀନ ସାଜିଛନ୍ତି ସେମାନଙ୍କ ସିପାହୀ ।