କନକ ନ୍ୟୁଜ ୱେବ ଏକ୍ସକ୍ଲୁସିଭ । ୨୦୦୯ ଫର୍ମୁଲା ଓଡିଶାରେ ଆପଣାଇବ ଏଆଇସିସି! ପର୍ଯ୍ୟବେକ୍ଷକ କଣ ଦେଇପାରନ୍ତି ରିପୋର୍ଟ, ଜାଣନ୍ତୁ

29

ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ତିନିଦିନ ଧରି ନେତାଙ୍କ ସହ କଲେ ମାନସ ମନ୍ଥନ । ବରିଷ୍ଠ ନେତା, ଛାମୁଆ ସଂଗଠନ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସହ ମାରାଥନ ବୈଠକ କରି କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କଲେ । ଏହି ରିପୋର୍ଟ ଆଧାରରେ ହିଁ ହାଇକମାଣ୍ଡ ନିଷ୍ପତ୍ତି ନେବେ ରାଜ୍ୟରେ କଂଗ୍ରେସ ମଙ୍ଗ କିଏ ଧରିବ । କାହା ନେତୃତ୍ୱରେ ୨୦୧୯ ନିର୍ବାଚନକୁ ସାମ୍ନା କରିବାକୁ ଯିବ ଦଳ । ଏବାବଦରେ କିଛି ଏକ୍ସକ୍ଲୁସିଭ ତଥ୍ୟ ଲାଗିଛି କନକ ନ୍ୟୁଜ ହାତରେ ।

ଅତି ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୯ ଫର୍ମୁଲା ଆପଣାଇବାକୁ ଏଆଇସିସି ପର୍ଯ୍ୟବେକ୍ଷକ ଦଳ ରିପୋର୍ଟ ଦେବେ । ଅର୍ଥାତ୍ ଉପକୁଳ, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ତିନି ନେତାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଉ ବୋଲି ଟିମ୍ ରିପୋର୍ଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । କମିଟି ବିଶ୍ୱାସ କରୁଛି ଯେ, ଏହାରି ଅଧାରରେ ହିଁ ତୃଣମୁଳ ସ୍ତରରେ ସଂଗଠନକୁ କ୍ରିୟାଶୀଳ କରାଯାଇପାରିବ । ଏହି କାର୍ଯ୍ୟକାରୀ ସଭାପତି, ପିସିସି ସଭାପତିଙ୍କ ସହ ମିଳିତ ଭାବେ କାମ କରିବେ । ନିଜ ନିଜ କ୍ଷେତ୍ରରେ ସଂଗଠନକୁ ସୁଧାରିବାର ଦାୟିତ୍ୱ ଏହି ନେତାଙ୍କ କାନ୍ଧରେ ନ୍ୟସ୍ତ ରହିବ ।

କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାର, ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି ବିଧାୟକ ନବ ଦାସ । ଦକ୍ଷିଣ ଓଡିଶା ଦାୟିତ୍ୱ ମିଳିପାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ । ସେହିଭଳି ଉପକୁଳ ଓଡିଶା ସଂଗଠନ ଦାୟିତ୍ୱ ମିଳିପାରେ ବିଧାୟକ ଚିରଂଜୀବ ବିଶ୍ୱାଳଙ୍କୁ । ଅତି ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ଆମର ହସ୍ତଗତ ହୋଇଛି । ୩ ଜୋନରେ ଏହି ୩ କାର୍ଯ୍ୟକାରୀ ସଭାପତି, ପିସିସି ସଭାପତିଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବେ ।

ଅତୀତରେ ମଧ୍ୟ ରାଜ୍ୟରେ ଏଭଳି ଫର୍ମୁଲା ଆପଣା ଯାଇଥିଲା । ଯେତେବେଳେ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ୨୦୦୯ରେ ପିସିସି ସଭାପତି କରାଯାଇଥିଲା ତାଙ୍କ ସହ ମଧ୍ୟ ୩ ଜଣ କର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେତେବେଳେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭକ୍ତ ଦାସ ଓ ଚନ୍ଦ୍ରଶେଖର ସାହୁଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା । ଆଉ ୨୦୦୯ର ଏହି ଫର୍ମୁଲାକୁ ପୁଣି ପିସିସିରେ କାର୍ଯ୍ୟକାରୀ କରିବାକୁ ଏଆଇସିସିର ପର୍ଯ୍ୟବେକ୍ଷକ ଦଳ ରିପୋର୍ଟ ଦେବେ । ଅତି ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା କନକ ନ୍ୟୁଜକୁ ମିଳିଛି ।

ସେହିଭଳି ପିସିସି ସଭାପତି ଭାବେ ଦାୟିତ୍ୱ ନିରଂଜନ ପଟ୍ଟନାୟକଙ୍କୁ ଦେବାକୁ ପ୍ରାୟ ୯୦ ପ୍ରତିଶତ ନେତା କହିଥିବା ସୂଚନା ମିଳିଛି । ପର୍ଯ୍ୟବେକ୍ଷକ ଦଳକୁ ଭେଟିଥିବା ନେତା କହିଛନ୍ତି, ଯାହା କରିବାର ଅଛି ଖୁବଶୀଘ୍ର କରାଯାଉ । କାରଣ ଆଉ ବିଳମ୍ବ ହେଲେ ଯାହା ବି ସଂଗଠନ ଅଛି, ତାହା ଧୂଳିସାତ ହୋଇଯିବ । ଏଭଳି ସ୍ଥିତିରେ ନିରଂଜନଙ୍କ ପଲ୍ଲା ମଜଭୁତ ଥିବା ଜଣାପଡିଛି । ଏପରିକି କଂଗ୍ରେସ ବିଧାୟକ ଦଳ ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଯାଉ ବୋଲି ରିଜୋଲ୍ୟୁସନ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ନରସିଂହ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଉ ବୋଲି ରିଜୋଲ୍ୟୁସନରେ ବିଧାୟକ ଦଳ ଲେଖିକରି ଦେଇଛନ୍ତି । ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା ନାଁ ଗୋପନ ରଖିବା ସର୍ତ୍ତରେ ଏହି ସୂଚନା ଆମକୁ ଦେଇଛନ୍ତି ।

ଅନୁମାନ କରାଯାଉଛି, ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭରେ ପିସିସି ସଭାପତି ବଦଳିବା ସହ ଏହି ନୂଆ ଫର୍ମୁଲା ନେଇ ଘୋଷଣା କରାଯାଇପାରେ । ହେଲେ ଏହା ପୂର୍ବରୁ ଦିଲ୍ଲୀରେ ଆଉ ଏକ ଚୂଡାନ୍ତ ପର୍ଯ୍ୟାୟ ବୈଠକ ବସିବ । ଯେଉଁଥିର ପର୍ଯ୍ୟବେକ୍ଷକ ଦେଇଥିବା ରିପୋର୍ଟ ନେଇ ଆଲୋଚନା ହେବ । ଏଥିରେ ରାଜ୍ୟର କିଛି ନେତା ମଧ୍ୟ ସାମିଲ ହେବାର ସାମ୍ଭାବନା ରହିଛି । ତେବେ ସମସ୍ତ ନେତା ଗୋଟିଏ ସ୍ୱରରେ କହିଥିଲେ, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବାର ଅଛି, ଶୀଘ୍ର ନେଉ । ନଚେତ ବହୁତ ବିଳମ୍ବ ହୋଇଯିବ ।

ତେବେ ନିରଂଜନଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟ ଏହାରି ଭିତରେ ଦୁର୍ବଳ ହୋଇଛି । ଖୋଲାଖୋଲି ବିରୋଧ କରିବାକୁ ସାହାସ ଜୁଟାଇ ପାରୁନଥିବା ଏହି ନେତାମାନେ ଅନ୍ୟମାନଙ୍କୁ ମାଧ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏହା ପର୍ଯ୍ୟବେକ୍ଷକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିବା ଜଣାପଡିଛି । ଏଆଇସିସି ପର୍ଯ୍ୟବେକ୍ଷକ ଏହି ରିପୋର୍ଟ ହାଇକମାଣ୍ଡଙ୍କୁ ଦେବା ପରେ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିଳିବା ସହ ସଂଗଠନକୁ ପୁନର୍ଜୀବିତ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜଣାପଡିଛି ।