ଆଲୋକର ପର୍ବ ଦୀପାବଳିରେ କନକ ନ୍ୟୁଜର ନିଆରା ପ୍ରୟାସ : ବାଣ ବଦଳରେ ହସ ଫୁଟାଇବାକୁ ଆଗେଇ ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

149

କନକ ବ୍ୟୁରୋ : ଗୋଟିଏ ମୁହୂର୍ତ୍ତରେ ବଦଳିଯାଇଛି ଜୀବନ । ମନଭରି ଜୀବନ ଜିଇଁବା ଆଗରୁ ଜୀବନକୁ ବଚେଁଇରଖିବା ପାଇଁ ଚାଲିଛି ସଂର୍ଘଷ । ଭଲପାଇ ବାହାହୋଇଥିଲେ ଖୁସିରେ ରହିବା ପାଇଁ । କିନ୍ତୁ ଖୁସି ବଦଳରେ ଲୁହ ହିଁ ଭସାଇ ଦେଇଛି ଏହି ପରିବାରକୁ । ଏମିତି ଏକ ଅଭିଶପ୍ତ ପରିବାରର କାହାଣୀ ଶୁଣିଲେ ଆପଣଙ୍କୁ ବି ଆର୍ଶ୍ଚଯ୍ୟ ଲାଗିବ ।

ପୂର୍ଣଚନ୍ଦ୍ରଙ୍କ ପରିବାର । ଦିନେ ଖୁସିରେ ଚାଲିଥିଲା ସେମାନଙ୍କ ସଂସାର । ହେଲେ ହଠାତ୍ ଘୋଟି ଆସିଲା ସେମାନଙ୍କ ଜୀବନରେ କଳାବାଦଲ । ଦୁରାରୋଗ୍ୟ କ୍ୟାନସରରେ ପୂର୍ଣଚନ୍ଦ୍ର ପୀଡିତ ହେବା ପରେ ବଦଳିଗଲା ପୂରା ଜୀବନ । ପୂର୍ଣଚନ୍ଦ୍ରଙ୍କ ସ୍ତ୍ରୀ ପର ଘରେ କାମ କରି ଦୁଇ ପଇସା ରୋଜଗାର କରନ୍ତି । ଆଉ ସେଥିରେ ପରିବାର ଚଳିବା ପାଖରୁ ଆରମ୍ଭ କରି ପୂର୍ଣଚନ୍ଦ୍ରଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା କାଠିକର ପାଠ । ସେପଟେ ଏସବୁ ଭିତରେ କିଛି ବୁଝି ପାରୁନଥିବା ଦୁଇ ଶିଶୁ କନ୍ୟା, ଦୀପାବଳିରେ ରିମୋର୍ଟ ଖେଳଣା ଗାଡି ପାଇଁ ମା ଆଗରେ ଜିଦ୍ କରନ୍ତି ।

ଏମାନଙ୍କ ଦୁଃଖଭରା କାହାଣୀ ଶୁଣି ହସ ବଜାରରୁ କିଛି ହସ କିଣି ପହଁଚିଥିଲେ ଓଲିଉଡ ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ । ଏହି ପରିବାର ନିକଟରେ ପହଁଚିବା ପରେ ସୃଷ୍ଟି ହୋଇଥିଲା ଏକ ଭାବବିହ୍ୱଳ ପରିବେଶ । ଉପହାର ଧରି ସେମାନଙ୍କ ଘରେ ପହଁଚିବା ପରେ ଦେଖିବାକୁ ମିଳିଥିଲା ଖୁସିର କିଛି ମୁହୂର୍ତ୍ତ । ଧୀରେ ଧୀରେ ଭିଡ ବି ଜମିଥିଲା, ଅଭିନେତ୍ରୀ ବର୍ଷା ଏହି ପରିବାର ସହ କାଟିଥିଲେ କିଛି ସମୟ । ଆଉ ହସବଜାରରୁ କିଣିଥିବା ରିମୋଟ କଂଟ୍ରୋଲ ଗାଡି ଓ କଣ୍ଡେଇ ଦେଖି ଦୁଇ କୁନି ଝିଅ ଦେବି ଆଉ ବେବି ବି ବହୁତ ଖୁସି ।

ଦିନେ ଏହି ପରିବାରରେ ପୁନେଇ ଚାନ୍ଦ ଖିଲି ଖିଲି ହସୁଥିଲା । କିନ୍ତୁ ଆଜି ଅମାବାସ୍ୟାର ନିଷ୍ଠୁର ଅନ୍ଧାର ବସା ବାନ୍ଧିଛି । ଏଭଳି ସ୍ଥିତିରେ ଏମାନେ ଚାହାନ୍ତି ହସ ଟିକେ ଖୁସି ଟିକେ । ଅଭିନେତ୍ରୀ ବର୍ଷା ତ ଦୀପାବଳିରେ ବାଣ ଫୁଟାଇବା ବଦଳରେ ଏ ପରିବାର ମୁହଁରେ ହସ ଫୁଟାଇଛନ୍ତି ।