ଖାଁ ଖାଁ କଳିଙ୍ଗ । ୨୦ ଦିନର ସ୍ମୃତିକୁ ଝୁରୁଛି, ୨୦୧୯କୁ ଅପେକ୍ଷା କରିଛି

850

କନକ ବ୍ୟୁରୋ : କଳିଙ୍ଗ କାନ୍ଦୁଛି, ଭିଡକୁ ଝୁରୁଛି । ହକି ବିଶ୍ୱକପ ସରିଯିବା ପରେ ଦୀର୍ଘ ୨୦ ଦିନ ଧରି ଚଳଚଞ୍ଚଳ ଥିବା କଳିଙ୍ଗ ଷ୍ଟାଡିୟମ ପୂରା ଚୁପଚାପ ହୋଇଯାଇଛି । ଆଉ ଆଗଭଳି ଗହଳି ଚହଳି ନାହିଁ କି ଦର୍ଶକଙ୍କ କରତାଳିରେ ପ୍ରକମ୍ପତି ହେଉନାହିଁ କଳିଙ୍ଗ ଷ୍ଟାଡିୟମ । ବାହାଘର ବେଳେ ଯେମିତି ଘରେ ଗହଳିଚହଳି ଲାଗି ରୁହେ ଆଉ ବାହାଘର ପରେ ସବୁ ଖାଁ ଖାଁ ହୋଇଯାଇଥାଏ ଠିକ୍ ସେହିଭଳି ଏବେ କଳିଙ୍ଗ ଷ୍ଟାଡିୟମର ଅବସ୍ଥା । ହକି ବିଶ୍ୱକପ ସମୟରେ ଟିକିଏ ବି ଚୁପ ରହୁନଥିବା କଳିଙ୍ଗ ଷ୍ଟାଡିୟମ ଏବେ ଟୁର୍ଣ୍ଣାମେଣ୍ଟ ସରିଯିବା ପରେ ପୂରା ମୌନ ହୋଇଯାଇଛି । ଆଉ ହକି ବିଶ୍ୱକପର ସେହି ୨୦ ଦିନର ସ୍ମୃତିକୁ ଏବେ ମନେପକାଇ ଗୁମୁରି ଗୁମୁରି କାନ୍ଦୁଛି କଳିଙ୍ଗ ଷ୍ଟାଡିୟମ ।

ନଭେମ୍ବର ୨୭ରୁ ଡିସେମ୍ବର ୧୬ । ଏହି ୨୦ ଦିନର ଯାତ୍ରା ଏବେ ପୂରା ବିଶ୍ୱରେ କଳିଙ୍ଗ ଷ୍ଟାଡିୟମକୁ ନୂଆ ପରିଚୟ ଦେଇଛି । ବିଶ୍ୱକପ ଭଳି ବଡ ଇଭେଣ୍ଟର ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମକୁ ଦେଶ ଓ ବିଦେଶରୁ ପ୍ରଂଶସାର ସୁଅ ଛୁଟୁଛି । କିନ୍ତୁ ଏତେ ପ୍ରଂଶସା ପାଇ ମଧ୍ୟ ବହୁତ କିଛି ହରାଇବା ଭଳି ଅନୁଭବ କରୁଛି କଳିଙ୍ଗ ଷ୍ଟାଡିୟମ । ଏହି ୨୦ ଦିନର ସ୍ମୃତିକୁ ପୁଣିଥରେ ମନେ ପକାଇବା ବେଳକୁ କଳିଙ୍ଗ ଆଖିରେ ସତେ ଯେମିତି ଲୁହ ଚାଲି ଆସୁଛି । କାରଣ ଅପରାହ୍ନରୁ ହୋ-ହାଲ୍ଲାରେ ପୂରି ଆସୁଥିବା ଷ୍ଟାଡିୟମରେ ଏବେ ଫ୍ଲଡ ଲାଇଟର ଆଲୁଅରେ କେବଳ ଲାଲ ଓ ଧଳା ରଙ୍ଗର ଚେୟାର ଦିଶୁଛି । ଆଉ ଏଭଳି ଦୃଶ୍ୟକୁ ଦେଖି ବେଶ ଭାବବିହ୍ୱଳ ହୋଇ ଉଠିଛି କଳିଙ୍ଗ ଷ୍ଟାଡିୟମ । କାରଣ ନଭେମ୍ବର ୨୭ରୁ ଡିସେମ୍ବର ୧୬ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଯେଉଁ ସ୍ମୃତି ସାଉଁଟିଥିଲା ତାହାକୁ ଭୁଲିବା ଏତେ ସହଜ ନୁହେଁ ।

ନଭେମ୍ବର ୨୭, ୨୦୧୮ । ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତ ହୋଇ ରହିଥିଲା କଳିଙ୍ଗ ଷ୍ଟାଡିୟମ । ପୂରା ବିଶ୍ୱର ନଜରରେ ରହିଥିଲା କଳିଙ୍ଗ ଷ୍ଟାଡିୟମ । ଆଉ ଷ୍ଟାଡିୟମ ଭିତରେ ଲାଇଟ ପଡିବା କ୍ଷଣି ଚାତକ ଭଳି ଚାହିଁ ରହିଥିଲେ ଦର୍ଶକ । କାରଣ ଦୀର୍ଘ ଦିନ ଧରି ରାଜଧାନୀ ବାସିନ୍ଦା ଦେଖି ଆସୁଥିବା କଳିଙ୍ଗ ଷ୍ଟାଡିୟମର ନବକଳେବର ଦେଖିବାକୁ ମିଳିଥିଲା । ପୂରା ନୂଆ ବୋହୂ ରୂପରେ ସଜେଇ ହୋଇଥିଲା କଳିଙ୍ଗ ଷ୍ଟାଡିୟମ । ହକି ବିଶ୍ୱକପ ପୂର୍ବରୁ ମଳିନ ହୋଇ ପଡିଥିବା କଳିଙ୍ଗ ଷ୍ଟାଡିୟମକୁ ଦେଶ ବିଦେଶର କଳାକାର ନିଜର କାରୁକାର୍ଯ୍ୟ ଓ ରଙ୍ଗରେ ଏମିତି ରଙ୍ଗୀନ କରିଥିଲେ ଯେ, ସାଧାରଣ ଲୋକ ପକ୍ଷେ ଚିହ୍ନିବା କଷ୍ଟକର ହୋଇପଡିଥିଲା । ବିଶ୍ୱକପ ପୂର୍ବରୁ କୁଆଁରୀ ଥିଲା କଳିଙ୍ଗ ଷ୍ଟାଡିୟମ । ଆଉ ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମକୁ ନବବଧୂ ପରି ସଜେଇ ଦିଆଯାଇଥିଲା । ଯାହାକୁ ନେଇ ଅତି ଆନନ୍ଦିତ ହୋଇ ଉଠିଥିଲା କଳିଙ୍ଗ ଷ୍ଟାଡିୟମ । ନୂଆ ବୋହୂ ପରି ରଙ୍ଗ ବେରଙ୍ଗର ଆଲୋକମାଳାରେ ସତେ ଯେମିତି ଖିଲି ଖିଲି ହୋଇ ହସିଉଠୁଥିଲା କଳିଙ୍ଗ ଷ୍ଟାଡିୟମ । ନବବଧୂକୁ ଦେଖିବା ପାଇଁ ଯେମିତି ସମସ୍ତଙ୍କ ମନରେ ଟିକିଏ ଜିଜ୍ଞାସା ରହିଥାଏ ଠିକ୍ ସେହିଭଳି କଳିଙ୍ଗ ଷ୍ଟାଡିୟମକୁ ଦେଖିବାକୁ ଦେଶ ବିଦେଶରୁ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଥିଲା । ଆଉ କାହାର ମନ ଉଣା କରିନଥିଲା କଳିଙ୍ଗ ଷ୍ଟାଡିୟମ ମନୋରମ ଦୃଶ୍ୟ ।

????????????????????????????????????

ଉଦଘାଟନୀ ଉତ୍ସବର ସନ୍ଧ୍ୟା ହେବା କ୍ଷଣି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ । କଳିଙ୍ଗର ଛାତି ଉପରେ ଏକାଠି ହୋଇଥିଲେ ୧୬ଟି ଦେଶର ଖେଳାଳି ଓ ହଜାର ହଜାର ସଂଖ୍ୟାରେ ଦର୍ଶକ । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଦର୍ଶକଙ୍କ କୋଳାହଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା କଳିଙ୍ଗ ଷ୍ଟାଡିୟମ । ଟିକିଏ ଭୟ ବି ଲାଗୁଥିଲା କାରଣ ଯେଉଁ କୋଳାହଳକୁ ଦେଖି ସେ ଆଜି ଏତେ ଖୁସି ହେଉଛି ତାହା ଦିନ ବିତିବା ସହ ଶେଷ ମଧ୍ୟ ହୋଇଯିବ । ସେଥିପାଇଁ ବେଶି ଖୁସି ହେଉନଥିଲା ବରଂ ଏହି ସମୟର ସ୍ମୃତିକୁ ସାଉଁଟି ରଖିବାରେ ଲାଗି ପଡିଥିଲା କଳିଙ୍ଗ ଷ୍ଟାଡିୟମ ।

ଆଉ ଉଦଘାଟନୀ ଉତ୍ସବର ସ୍ମୃତିକୁ ସାଉଁଟୁ ସାଉଁଟୁ ଆରମ୍ଭ ହୋଇଥିଲା ହକି ବିଶ୍ୱକପ । ନୂଆ ଷ୍ଟାଡିୟମର ଫ୍ଲଡ ଲାଇଟ ଆଗରେ କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ସମ୍ପୂର୍ଣ୍ଣ ଫିକା ପଡିଯାଇଥିଲା । ଷ୍ଟାଡିୟମର ଧଳା ଓ ଲାଲ୍ ରଙ୍ଗର ଚେୟାର ଖୁବ ଶୀଘ୍ର ଭତ୍ତି ହୋଇଯାଇଥିଲା । ଆଉ ରେଫରିଙ୍କ ହୁଇସଲ ବାଜିବା କ୍ଷଣି ତାଳି ମାଡ ସହ ସିନ୍ଥେଟିକ ବ୍ଲୁ-ଟ୍ରଫରେ ଗଡିଥିଲା ଧଳା ବଲ । ସମୟ ବିତିବା ସହ ଦେଖିବାକୁ ମିଳିଥିଲା ହକି ଷ୍ଟିକର ଯାଦୁ । ଆଉ ଗୋଲ ହେବା କ୍ଷଣି ପୂରା ଷ୍ଟାଡିୟମରେ ଶୁଭୁଥିଲା କେବଳ ଦର୍ଶକଙ୍କ କରତାଳି । ଆଉ ଏଭଳି ସ୍ମୃତିକୁ ସାଉଁଟି ରଖିବାରେ ଟିକିଏ ପଛଘୁଞ୍ଚା ଦେଇନଥିଲା କଳିଙ୍ଗ ଷ୍ଟାଡିୟମ । କାରଣ କଳିଙ୍ଗ ଷ୍ଟାଡିୟମ ପାଇଁ ଏଭଳି କୋଳାହଳମୟ ପରିବେଶ ଥିଲା ସମ୍ପୂର୍ଣ୍ଣ ନୂଆ ।

ଷ୍ଟାଡିୟମର ଭିତର ଦୃଶ୍ୟ ଯେତିକି ଚିତାର୍କଷକ ଥିଲା ଷ୍ଟାଡିୟମ ବାହାରର ଦୃଶ୍ୟ ତାହାକୁ ଆହୁରି ମନୋରମ କରି ଦେଇଥିଲା । ଯେ କେହି ବି ଷ୍ଟାଡିୟମ ବାଟେ ଯାଉଥିବା ବେଳେ କ୍ଷଣିକ ପଛକୁ ବୁଲି ଚାହିଁବାକୁ ଆଦୌ ଭୁଲୁନଥିଲେ । ଷ୍ଟାଡିୟମ ପରିସରରେ ଥିବା ଗଛ ଗୁଡିକୁ ଆଲୋକମାଳାରେ ସଜ୍ଜିତ କରିବା ସହ ଏହାକୁ ନବବଧୂର ଆଭୂଷଣର ରୂପ ଦିଆଯାଇଥିଲା । ଆଉ ଷ୍ଟାଡିୟମ ମଥାରେ ସିନ୍ଦୁର ଭାବେ ଫର ଫର ହୋଇ ଉଡୁଥିଲା ୧୬ଟି ଦେଶର ପତାକା ।

ଦିନ ବିତିବା ସହ ଷ୍ଟାଡିୟମରେ କୋଳାହଳ ମଧ୍ୟ ବଢି ବଢି ଚାଲିଥିଲା । ସନ୍ଧ୍ୟା ହେବା କ୍ଷଣି କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ପହଞ୍ଚି ଯାଉଥିଲେ ଦେଶ ବିଦେଶର ପର୍ଯ୍ୟଟକଙ୍କ ସହ ରାଜଧାନୀ ବାସିନ୍ଦା । ନିଜ କୋଳରେ ଦେଶ ଓ ବିଦେଶର ଲୋକଙ୍କୁ ଏକାଠି କରି ପାରିଥିବାରୁ ବେଶ ଗର୍ବ ଅନୁଭବ କରୁଥିଲା କଳିଙ୍ଗ ଷ୍ଟାଡିୟମ । କିନ୍ତୁ ଏହି ଖୁସି ଯେ ମାତ୍ର ୨୦ ଦିନର ତାହା ବେଶ ଭଲ ଭାବେ ବୁଝି ସାରିଥିଲା କଳିଙ୍ଗ ଷ୍ଟାଡିୟମ । ଦିନ ବିତିବା ସହ ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ କଳିଙ୍ଗ ଷ୍ଟାଡିୟମର ଭିଡ ଭିତରୁ ନିଜକୁ ଦୂରେଇ ଦୂରେଇ ନେଉଥିଲେ । ଆଉ ଯେତେବେଳେ ଡିସେମ୍ବର ୧୬ ଆସି ପହଞ୍ଚିଲା ସେତେବେଳେ କଇଁ କଇଁ ହୋଇ କାନ୍ଦୁଥିଲା କଳିଙ୍ଗ ଷ୍ଟାଡିୟମ । କିନ୍ତୁ ଏତେ କୋଳାହଳ ମଧ୍ୟରେ ସତେ ଯେମିତି କାହାକୁ ଶୁଭୁନଥିଲା କଳିଙ୍ଗ ଷ୍ଟାଡିୟମର କାନ୍ଦ । କିନ୍ତୁ ଏହି କାନ୍ଦ ମଧ୍ୟରେ ବି ଲୁଚି ରହିଥିଲା ଖୁସି । କାରଣ ଡିସେମ୍ବର ୧୬ ପରେ ଇତିହାସ ପୃଷ୍ଠାରେ ଲେଖାହେବାକୁ ଯାଉଥିଲା କଳିଙ୍ଗ ଷ୍ଟାଡିୟମର ନାଁ । ସେଥିପାଇଁ ତ ନିଜ ଦୁଃଖକୁ ଲୁଚାଇ ସମସ୍ତଙ୍କ ଖୁସିରେ ଖୁସି ହୋଇ ନାଚି ଉଠିଥିଲା କଳିଙ୍ଗ ଷ୍ଟାଡିୟମ । ବେଲଜିୟମ ହକି ବିଶ୍ୱକପର ଟ୍ରଫି ଉଠାଇବା ସହ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥିଲା କଳିଙ୍ଗ ଷ୍ଟାଡିୟମର ନାଁ ।

ଏହି ଖୁସିକୁ ସେଲିବ୍ରେଟ କରିବା ମଧ୍ୟ ଇଚ୍ଛା କରିନଥିଲା କଳିଙ୍ଗ ଷ୍ଟାଡିୟମ । କାରଣ ରାତି ପାହିଲେ କଳିଙ୍ଗ ଷ୍ଟାଡିୟମ ଖାଁ ଖାଁ ହୋଇଯିବ ଏକଥା ବୁଝି ସାରିଥିଲା କଳିଙ୍ଗ ଷ୍ଟାଡିୟମ । କିନ୍ତୁ ଏସବୁ ଭିତରେ ପୁଣିଥରେ କଳିଙ୍ଗ ଷ୍ଟାଡିୟମକୁ ଖୁସି ହେବାର ଆଉ ଏକ ସୁଯୋଗ ଦେଇଥିଲେ ଏଫଆଇଏଚ୍ ସଭାପତି ନରିନ୍ଦର ବାର୍ତ୍ତା । ବାହାଘର ପରେ ବାପଘରକୁ ଝିଅର ଲେଉଟାଣି ଭଳି ପୁଣିଥରେ ୨୦୧୯ରେ ଫେରିବ ହକିର ଫିଭର । ପୁଣିଥରେ କଳିଙ୍ଗ ଛାତିରେ ଏକାଠି ହେବେ ବିଭିନ୍ନ ଦେଶର ଖେଳାଳି । ପୁଣି ଥରେ ଦର୍ଶକଙ୍କ ତାଳି ମାଡରେ କମ୍ପି ଉଠିବ ଇଷ୍ଟ, ୱେଷ୍ଟ, ନର୍ଥ ଓ ସାଉଥର ଗ୍ୟାଲେରୀ । କାରଣ ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଅଲିମ୍ପିକ୍ସ ପାଇଁ ହକି କ୍ୱାଲିଫାୟର ମ୍ୟାଚ୍ । ଅଲିମ୍ପିକ୍ସ କ୍ୱାଲିଫାୟର ହକି ମ୍ୟାଚର ଆଶା ଓ ବିଶ୍ୱକପ ହକିର ସ୍ମୃତିକୁ ନେଇ ଏବେ ଆଗେଇ ଯିବାକୁ ଲକ୍ଷ୍ୟ ରଖିଛି କଳିଙ୍ଗ ଷ୍ଟାଡିୟମ ।