ପୁଣି ଜଷ୍ଟିସ୍ କାଟଜୁଙ୍କ ବିବାଦୀୟ ବୟାନ । ଓଡ଼ିଶାବାସୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଲେ ‘ସାହସ ଅଛି ତ ଗିରଫ କର’ ।

1,072

କନକ ବ୍ୟୁରୋ: ଚର୍ଚ୍ଚାରେ ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁଙ୍କ ବିବାଦୀୟ ବୟାନ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କାଟଜୁ ଓଡ଼ିଶାର ଲୋକଙ୍କ ଭାବନାକୁ ପୁଣି ଉଖାରିଛନ୍ତି । ଏବଂ କହିଛନ୍ତି ଯେ ଯଦି ସାହସ ଅଛି ତେବେ ଗିରଫ କରି ଜେଲ ବନ୍ଦୀ କରି ଦେଖାଅ । ନିକଟରେ ଓଡ଼ିଶାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାକୁ ଉପହାସ କରି ଜଷ୍ଟିସ୍ କାଟଜୁ କହିଛନ୍ତି ସେ ମଧ୍ୟ ଓଡ଼ିଶା ଏବଂ ଓଡ଼ିଆଙ୍କୁ ନେଇ ପୂର୍ବରୁ ଥଟ୍ଟା ପରିହାସ କରିଛନ୍ତି ।


କାଟଜୁ ନିଜ ଟ୍ୱିଟ୍ ପେଜରେ ଓଡ଼ିଆଙ୍କୁ ନେଇ କହିଛନ୍ତି ଯେ, ମୁଁ ମଧ୍ୟ ଓଡ଼ିଆଙ୍କୁ ନେଇ ଥଟ୍ଟା ପରିହାସ କରିଛି, ଯାହା ମୋ ପୂର୍ବ ଫେସବୁକ ପୋଷ୍ଟରେ ଉଲ୍ଲେଖ ଅଛି । ତେବେ କେବେ ମୋତେ ଜେଲରେ ଭର୍ତ୍ତି କରିବ ବୋଲି ପ୍ରଶ୍ନ କରିଛନ୍ତି କାଟଜୁ । ମୁଁ ମଧ୍ୟ ଅଭିଜିତ ଭଳି କ୍ଷମା ପ୍ରାର୍ଥନା କରିବି । କିନ୍ତୁ ମୁଁ ଚାହୁଁଛି ମୋତେ ଅଭିଜିତଙ୍କ ଭଳି ଯଦି ୪୩ ଦିନ ପର୍ଯ୍ୟନ୍ତ ଜେଲରେ ବନ୍ଦୀ କରିପାରିବ ତାହା ହେଲେ କ୍ଷମା ପ୍ରାର୍ଥନା କରିବି ବୋଲି କାଟଜୁ ଖୋଲାଖୋଲି ଓଡ଼ିଶାବାସୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

ପୂର୍ବରୁ ମଧ୍ୟ କାଟଜୁ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ୨୦୧୬ ମସିହାରେ ନିଜ ଫେସବୁକ ପୋଷ୍ଟରେ ଓଡ଼ିଶାର ମର୍ଯ୍ୟାଦାହାନୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଏବଂ ଓଡ଼ିଶା ଏବଂ ଓଡ଼ିଆଙ୍କ ଭାବନା ସହିତ ଉପହାସ କରିଥିଲେ । ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଆଜି ପୁଣି ଅଭିଜିତଙ୍କୁ ଦର୍ଶାଇ ଓଡ଼ିଶାବାସୀଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି କାଟଜୁ ।