ଦିଲ୍ଲୀ ଗଲା ପଲ୍ଲୀ କଳି ! ରାଜନାଥଙ୍କୁ ଜୁଏଲଙ୍କ ଚିଠି, ସୁରକ୍ଷା ନଦେଇ ଅଣ୍ଡା ମାରିଲା ବିଜେଡି

49

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଖୁବ ବାଧିଛି କେନ୍ଦ୍ରାପଡାରେ ଅଣ୍ଡାମାଡ ପ୍ରସଙ୍ଗ । ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁସାରେ, ପୁରା ଘଟଣା ବାବଦରେ ସେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ମୋଦି ସରକାରଙ୍କ ତିନି ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜୁଏଲ କେନ୍ଦ୍ରାପଡା ଯାଇଥିବା ବେଳ ତାଙ୍କ ଉପରକୁ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ ହୋଇଥିଲା ।

ଜୁଏଲ ରାଜନାଥଙ୍କୁ ଲେଖିଛନ୍ତି, ସ୍ଥାନୀୟ ଗୁଣ୍ଡାଙ୍କ ଦ୍ୱାରା ଶାସକ ବିଜୁ ଜନତା ଦଳ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କଲା ଏପରିକି ତାଙ୍କ ଓଡିଶା ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିଲା । ୧୪ ଜୁନରେ ଜୁଏଲ ରାଜନଥାଙ୍କୁ ଏହି ଚିଠି ଲେଖିଥିଲେ । ଲେଖିଛନ୍ତି, ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉପଲକ୍ଷେ ହେଉଥିବା ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ କେନ୍ଦ୍ରାପଡାରୁ ରାଜକନିକା ଯାଉଥିବା ବେଳେ ଏହି ଘଟଣା ଘଟିଥିଲା ।

photo courtesy -https://www.google.co.in

କିଛି ଦୁର୍ବୃତ୍ତ ମୋ ଗାଡି ଉପରକୁ ଅଣ୍ଡାମାଡ କରିବା ସହ ପଥର ମଧ୍ୟ ଫୋପାଡିଥିଲେ । ମୋ ଗସ୍ତସୂଚୀ ବାବଦରେ ବହୁ ଆଗରୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଜଣାଯାଇଥିଲେ ବି ସେଦିନ ଏଭଳି ଘଟଣା ଚାରି ଥର ଘଟିଥିଲା । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ଯେତେବେଳେ ଜଣେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ କୌଣସି ଉତ୍ସବରେ ଯୋଗ ଦେବାକୁ ଆସନ୍ତି, ସେତେବେଳେ ତାଙ୍କର ସୁରକ୍ଷା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର ।

ହେଲେ ଜଣାପଡୁଛି, ରାଜ୍ୟ ପୋଲିସ ତାଙ୍କ କର୍ତ୍ତବ୍ୟ କରିବାରେ ଅର୍ଥାତ୍ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଫଳରେ, କିଛି ଅପରାଧିକ ଶ୍ରେଣୀର ବ୍ୟକ୍ତିଙ୍କୁ ଏଳି ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବାକୁ ସୁଯୋଗ ମିଳିଲା । କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କରିବା ଘଟଣା ଓଡିଶାରେ ପ୍ରଥମ ନୁହେଁ । କିଛିଦିନ ଆଗରୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ଉପରେ ହୋଇଥିବା ଆକ୍ରମଣର ମଧ୍ୟ ଉଦାହରଣ ଦେଇଛନ୍ତି ଜୁଏଲ ।

ରାଜ୍ୟ ସରକାରଙ୍କର କ୍ରିୟାଶୀଳତା ଉପରେ ପ୍ରଶ୍ନ ଉଠାଇ ଜୁଏଲ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀ ମାନାଙ୍କୁ ଆବଶ୍ୟକ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏପରିକି ଯେଉଁମାନଙ୍କ ଉପରେ ପୂର୍ବରୁ ନକ୍ସଲ ଆକ୍ରମଣ ମଧ୍ୟ କରିସାରିଛନ୍ତି, ସେମାନଙ୍କ ସୁରକ୍ଷା ନେଇ ମଧ୍ୟ ରାଜ୍ୟ ସରକାର ସଂପୂର୍ଣ୍ଣ ସଚେତନ ରହୁନାହାନ୍ତି । ପୁରା ଘଟଣାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।

ଘଟଣାର ତଦନ୍ତ କରି ରାଜ୍ୟକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିବା ପାଇଁ ଜୁଏଲ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ସରକାର ଯେଭଳି ସଠିକ ବ୍ୟବସ୍ଥା କରିବେ, ସେନେଇ କେନ୍ଦ୍ର ନିର୍ଦ୍ଦେଶ ଦେଉ ବୋଲି ଜୁଏଲ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଜୁଏଲଙ୍କ ଉପରେ ଅଣ୍ଡାମାଡ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା ।

କିଏ ଅଣ୍ଡା ମାରିଲା ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଜୁଏଲ ସିଧାସଳଖ ବିଜେଡିର ଭୂମିକା ପ୍ରତି ପ୍ରଶ୍ନ ଉଠାଇଥିଲେ । କହିଥିଲେ, ଆଦିବାସୀ ବିରୋଧୀ ପରିଚୟ ଦେଇ ଶାସକ ଦଳ ତାଙ୍କ ଉପରକୁ ଅଣ୍ଡାମାଡ କରିଛି । ଯାହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଥିଲା । ପୋଲିସ ଓ ଜିଲ୍ଲା ପ୍ରଶାସନର ଇଙ୍ଗିତରେ ପୂରା ଘଟଣା ଘଟିଥିବା ସେ ଅଭିଯୋଗ କରିଥିଲେ । ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।

ପୂର୍ବରୁ ବରଗଡ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ଶାସକ ବିଜେଡି ସାମିଲ ଥିଲା । ଓଡିଶାରେ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି ।
ତେବେ ଅଣ୍ଡାମାଡ ପ୍ରସଙ୍ଗରେ ଦାମୋଦର ରାଉତଙ୍କ ବୟାନ ଥିଲା ସବୁଠାରୁ ରୋଚକ । ସିଧାସଳଖ ବିଜେପିର କେନ୍ଦ୍ରାପଡା ରାଜନୀତି ଏଥିପାଇଁ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ ।

କହିଥିଲେ, କେନ୍ଦ୍ରାପଡା ରାଜନୀତିରେ ବିଜୟ ମହାପାତ୍ରଙ୍କୁ ଅଣଦେଖା କରାଯାଉଛି, ହୁଏତ ସେ ନିଜ କର୍ମୀଙ୍କ ଦ୍ୱାରା ଏଭଳି ଆକ୍ରମଣ କରିଥାଇପାରନ୍ତି । ବିଜେପିର ମିଶ୍ରଣ ପର୍ବ ଆଗରୁ ମୋଦି ଓ ଧର୍ମେନ୍ଦ୍ରଙ୍କ ପୋଷ୍ଟର ଚିରାଯାଇଥିଲା, ତେଣୁ ଜିଲ୍ଲା ରାଜନୀତିରେ ଥିବା ଅସନ୍ତୋଷର ଏହା ପ୍ରତିଫଳନ ବୋଲି ସଫା ସଫା କହିଥିଲେ ଦାମ ବାବୁ । ହେଲେ ନିଜ ଦଳ ଆକ୍ରମଣ କରିଥିବା ଅଭିଯୋଗକୁ କାଟି ଉଡାଇ ଦେଇଥିଲେ । ହେଲେ ଦାମୋଦର ରାଉତଙ୍କ ଏହି ଅଭିଯୋଗକୁ ବିଜୟ ମହାପାତ୍ର ଖଣ୍ଡନ କରିଥିଲେ ।

ଆଉ ଏବେ ରାଜନାଥ ସିଂଙ୍କୁ ଏହି ଅଣ୍ଡାମାଡ ଘଟଣା ବାବଦରେ ଜୁଏଲ ଅବଗତ କରାଇବା ପରେ ନଜର, କେନ୍ଦ୍ର ଏ ବାବଦରେ କଣ ପଦକ୍ଷେପ ନେଉଛି । କାରଣ, ସନ୍ତୋଷ ଗଙ୍ଗୱାରଙ୍କୁ ଯେତେବେଳେ ବରଗଡରେ ଶାସକ ଦଳର ବିଧାୟକ ଓ ତାଙ୍କ ସମର୍ଥକ ଆକ୍ରମଣ କରିଥିଲେ, ସେତେବେଳେ ରାଜନାଥ ସିଂ ଘଟଣାରେ ହସ୍ତକ୍ଷେପ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏବେ ଜୁଏଲ ରାଜନାଥଙ୍କୁ ଚିଠି ଲେଖିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ କେନ୍ଦ୍ର କଣ ଆଭିମୁଖ୍ୟ ଗ୍ରହଣ କରୁଛି, ତାଉପରେ ନଜର ।