ଅତି ଗୁରୁତର ଆମ୍ମା ! ହସ୍ପିଟାଲ୍ ସାମ୍ନାରେ ସମର୍ଥକଙ୍କ ଭିଡ

34

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଅତି ସଂକଟାପନ୍ନ ରହିଛି । ଚେନ୍ନାଇ ଆପୋଲୋ ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ତାଜା ହେଲଥ ବୁଲେଟିନ୍ ଅନୁସାରେ ଜୟଲଳିତାଙ୍କ ଅବସ୍ଥା ଏକ୍ସଟ୍ରିମଲି ଗ୍ରେଭ୍ ଅର୍ଥାତ୍ ଅତ୍ୟନ୍ତ ଗମ୍ଭୀର ରହିଛି । ଅତି ଗୁରୁତର ଅବସ୍ଥାରେ ଜୟଲଳିତାଙ୍କ ଚିକିତ୍ସା ଜାରି ରହିଛି । ତାଙ୍କୁ ବର୍ତମାନ ଏକ୍ସଟ୍ରା କର୍ପୋରାଲ ଲାଇଭ ସପୋର୍ଟ ସିଷ୍ଟମରେ ରଖାଯାଇଛି ।

ଜୟଲଳିତାଙ୍କୁ ଏହି ସ୍ଥିତିରୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଥିବା କହିଛନ୍ତି ଲଣ୍ଡନରୁ ଆସିଥିବା ବିଶେଷଜ୍ଞ ଡାକ୍ତର ପ୍ରୋଫେସର ରିଚାଡ ବେଲେ । ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମକୁ ନେଇ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିବା ଏହି ହେଲଥ ବୁଲେଟିନରେ ପ୍ରକାଶ କରାଯାଇଛି । ଜୟଲଳିତାଙ୍କୁ ଆପୋଲୋ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଏବଂ ଦିଲ୍ଲୀ ଏମ୍ସରୁ ଆସିଥିବା ବିଶେଷଜ୍ଞ ଦଳ ଜୟଲଳିତାଙ୍କ ଚିକିତ୍ସାର ତଦାରଖ କରୁଥିବା ନେଇ ସୂଚନା ଦିଆଯାଇଛି ।

ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାମିଲନାଡ଼ୁ ରାଜଭବନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରତି ମୁହୂର୍ତରେ ଅବଗତ କରାଯାଉଛି । ଏପଟେ ଜୟଲଳିତାଙ୍କ ଅବସ୍ଥା ଅତି ଗୁରୁତର ଥିବା ଦେଖି ଆଜି ସନ୍ଧ୍ୟାରେ ବସୁଛି ବିଧାୟକ ଦଳ ବୈଠକ । କୁହାଯାଉଛି ଏହି ବୈଠକରେ ବିଧାୟକ ଦଳ ନେତା ବାଛିବାର ସଂଭାବନା ରହିଛି । ପୂର୍ବରୁ ଦାୟିତ୍ୱରେ ଥିବା ଦଳର ନେତା ପନିରସେଲଭମଙ୍କୁ ବିଧାୟକ ଦଳର ନେତା ବାଛିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଗତକାଲି ସନ୍ଧ୍ୟାରେ ହଠାତ୍ ଜୟଲଳିତାଙ୍କ ହୃଦଘାତ ହୋଇଥିଲା ।

ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ହୃଦଘାତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ମାଙ୍କ ଆଶୁୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।