ନିଆଁ ଲଗାଇ ଦୁର୍ନୀତି ଲୁଚାଇବାକୁ ଉଦ୍ୟମ : ଜୟପୁର ସମବାୟ ନିବନ୍ଧକ କାର୍ଯ୍ୟାଳୟର ରେକର୍ଡ ରୁମରେ ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ

30

କନକ ବ୍ୟୁରୋ :  ନାଲି ଫିତା ତଳେ ବନ୍ଧା ହୋଇଥିବା ଦୁର୍ନୀତିର କୁହୁକ ପେଡ଼ି, ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଆଉ ତା’ସହ ଲିଭି ଯାଇଛି ସେହି ଦୁର୍ନୀତିର ଅନେକ ଚିହ୍ନ ଯାହାକୁ ନେଇ ଗତ ତିନି ବର୍ଷ ହେଲା ତନାଘନା କରୁଥିଲା ଭିଜିଲାନ୍ସ । ଜୟପୁର ସମବାୟ ସମିତି ଉପ-ନିବନ୍ଧକ କାର୍ଯ୍ୟାଳୟର ରେକର୍ଡ ରୁମରେ ନିଆଁ ଲାଗିବା ସହ ଜଳିଗଲା ଆସବାବପତ୍ର ଏବଂ ଆନୁସଙ୍ଗିକ ସାମଗ୍ରୀ ।

ସ୍ପଷ୍ଟ ଦିବାଲୋକରେ ଏକ ସରକାରୀ ଅଫିସରରେ ନିଆଁ ଲାଗିଥିଲେ ସୁଦ୍ଧା କେହି କେମିତି ଜାଣି ପାରିଲେ ନାହିଁ । ଆଉ ଯେତେବେଳେ ଜାଣିଲେ ବୋଲି ଦାବି ହେଉଛି-ଯେତେବେଳକୁ ଜଳିପାଡ଼ି ପାଉଁସ ହୋଇ ସାରିଥିଲା ସବୁ କିଛି । ଆଉ ଏହି ଅଗ୍ନିକାଣ୍ଡ ଘଟଣା ଏଇଥିପାଇଁ ସନ୍ଦେହ ବଢ଼ାଉଛି- କାରଣ ଲ୍ୟାମ୍ପ ଦୁର୍ନୀତିର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ଅଫିସରେ ହିଁ ଥିଲା ।

ଅବିଭକ୍ତ କୋରପୁଟ ଜିଲ୍ଳାର ୪୮ ଲ୍ୟାମ୍ପସରେ ନିଯୁକ୍ତି ଠାରୁ ଆରମ୍ବ କରି ମଣ୍ଡି ଲେବର ଚାର୍ଜ ବାବଦକୁ ୩ କୋଟି ୩୬ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଥିବା, ସ୍ୱତନ୍ତ୍ର ଅଡ଼ିଟ୍ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା । ଜୟପୁର ଉମୁରି ଲ୍ୟାମ୍ପରେ ୭୪ ଲକ୍ଷ ଟଙ୍କାର ଧାନ କମ୍ ଥିବାର ଅଡ଼ିଟ ବେଳେ ଧରା ବି ପଡ଼ିଥିଲା । ତଦନ୍ତ କରିବାକୁ ସମବାୟ ବିଭାଗ, ଭିଜିଲାନସକୁ ଦାୟିତ୍ୱ ଦେଇଥିବା ବେଳେ ଅନେକ ଫାଇଲ ପୋଡ଼ିଯିବା ଘଟଣା, ସନ୍ଦେହକୁ ଘନିଭୂତ କରୁଛି । ୨୦୧୫, ୨୦୧୬, ୨୦୧୭ ତିନି ବର୍ଷ ଧରି ଭିଜିଲାନ୍ସ ଏହାର ତଦନ୍ତ କରୁଥିଲେ ସୁଦ୍ଧା ଆଜି ଯାଏଁ ଫଳଶୂନ । ଆଉ ଏହାରି ଭିତରେ ଫାଇଲ ଗୁଡ଼ିକରେ ଲାଗିଛି ନିଆଁ ।

କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟୋର ରୁମକୁ ଲାଗି ଅଫିସର ଜଗୁଆଳ ପରିବାର ନେଇ ରହୁଛନ୍ତି । ଏଠି ପ୍ରଶ୍ନ ଉଠୁଛି-
-ଅଗ୍ନିକାଣ୍ଡ ସମ୍ପର୍କରେ କେମିତି ଜାଣିପାରିଲେ ନାହିଁ ଜଗୁଆଳି ?
-ଅଗ୍ନିକାଣ୍ଡ ପଛରେ ରହିଛି କି ଷଡଯନ୍ତ୍ର ?
ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ହେଲେ ହିଁ ଅଗ୍ନିକାଣ୍ଡର ପ୍ରକୃତ ସତ ପଦାକୁ ଆସିବ ।