ଗୋଟିଏ କାମକୁ ଦୁଇ ଥର ନିର୍ମାଣ : ଯାଜପୁର ବ୍ୟାସ ସରୋବରରେ ଦୁର୍ନୀତି ଅଭିଯୋଗ ପରେ ଦ୍ୱିତୀୟ ଥର ନିର୍ମାଣ ନିର୍ଦ୍ଦେଶ ଦେଲା ପୁର୍ତ୍ତ ବିଭାଗ

39

କନକ ବ୍ୟୁରୋ : ଯାଜପୁର ବ୍ୟାସ ସରୋବରରେ ହୋଇଥିବା ନିର୍ମାଣ କାମ ୫ମାସ ନପୁରୁଣୁ ପୁଣି ଥରେ ଆରମ୍ଭ ହୋଇଛି କାମ । କାରଣ ୧କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି କାମକୁ ଆଉଥରେ କରିବା ପାଇଁ ନିର୍ଦ୍ଦେଶ ଦେଇଛି ପୁର୍ତ୍ତ ବିଭାଗ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ତରବରିଆ ଭାବେ ହେଉଛି ଟାଇଲ କାମ ଆଉ ଏହା ନିର୍ମାଣ ନୁହେଁ ଚାଲିଛି ଭଙ୍ଗା କାମ । କାରଣ ଏହି ନିର୍ମାଣ କାମରେ ଏମିତି ଦୁର୍ନୀତି ହୋଇଛି ଯେ, କୋଟିଏ ଟଙ୍କାର କାମ ୫ମାସ ମଧ୍ୟ ଗଲାନାହିିଁ । ଠିକାଦାର ଓ ଯନ୍ତ୍ରୀଙ୍କ ସମ୍ପୃକ୍ତିରେ ହୋଇଥିବା ଦୁର୍ନୀତି ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସିଥିବା ଏହି ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହା ହେଉଛି ଯାଜପୁର ଜିଲ୍ଲା ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳୀର ଚିତ୍ର ।

୨୦୧୬ରେ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବିଭାଗ ପକ୍ଷରୁ ଏକ କୋଟିର ଅନୁଦାନ ଆସିଥିଲା । ଠିକାଦାର ଗୋବିନ୍ଦ୍ର ଚନ୍ଦ୍ର ମଲ୍ଲିକ କାମ ହାତକୁ ନେଇ ବର୍ଷେ ମଧ୍ୟରେ କାମ ସାରିବା ପରେ ଏଠାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ପୁର୍ତ୍ତ ବିଭାଗ ଠିକାଦାରଙ୍କ କୈଫିୟତ ମାଗିବା ସହ ଆଉଥରେ ନିର୍ମାଣ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ପୁଣି ଥରେ ଆରମ୍ଭ ହୋଇଛି କାମ । ସେପଟେ ଦୁର୍ନୀତିର ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଓ ଜିଲ୍ଲାପାଳ କହିଛନ୍ତି ।