ଡ଼ାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ : ଲୋକେ ଫାର୍ମାସିଷ୍ଟଙ୍କ ଉପରେ ନିର୍ଭରଶୀଳ

26

କନକ ବ୍ୟୁରୋ : ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ । ଏ ହେଉଛି ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିତିଦିନିଆ ଦୃଶ୍ୟ । ଯେଉଁଠି ରହିଛି ଆବଶ୍ୟକ ଭିତ୍ତିଭୂମି । କିନ୍ତୁ ଡାକ୍ତର ଠିକଣା ସମୟରେ ଆସୁନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ରୋଗୀ ଫାର୍ମାସିଷ୍ଟ ଉପରେ ସଂପୂର୍ଣ୍ଣ ନିର୍ଭର କରିବା ସହିତ ଘରୋଇ ଡାକ୍ତରଖାନା ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏଭଳି ସମସ୍ୟା ଦୀର୍ଘଦିନରୁ ଚାଲିଆସୁଥିଲେ ହେଁ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗର କୌଣସି ନିଘା ନାହିଁ ।

ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । କିନ୍ତୁ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ଓ ଡାକ୍ତର ଠିକ ସମୟରେ ନ ଆସିବା କାରଣରୁ ରୋଗୀ ମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ସମସ୍ତ ସୁବିଧା ଥିଲେ ମଧ୍ୟ ଅନେକ ବିଭାଗରେ ତାଲା ଝୁଲୁଛି । ଏ ନେଇ ବାରମ୍ବାର ଜିଲା ପ୍ରଶାସନ ସହିତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାଜପୁର ସିଡିଏମଓ ।

ଉନ୍ନତ ମାନର ରୋଗୀ ସେବା ନେଇ ସରକାର ସବୁବେଳେ ବ୍ୟଗ୍ର ବୋଲି ଦାବୀ କରୁଥିବା ବେଳେ ଏଠାରେ ଏହାର ଓଲଟା ଚିିତ୍ର ଦେଖିବାକୁ ମିଳିଛି ।