ମଲାପୁଅ ହାଜର ହୋ : ଜଗତସିଂହପୁର ପୁଲିସର ଅଜବ ନିର୍ଦେଶକୁ ନେଇ ଚର୍ଚ୍ଚା

33

ଏରସମା : ମୃତକଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା । ବାପା ମାଆଙ୍କୁ ପୁଲିସର ନୋଟିସ, ମଲା ପୁଅକୁ ଥାନାରେ ହାଜର କର, ନହେଲେ ପୂରା ପରିବାର ଥାନାକୁ ଆସ । ପୁଲିସର ଆଚରଣରେ ପୁଅର ମୃତ୍ୟୁରେ ଭାଙ୍ଗି ପଡିଥିବା ବାପାମାଆଙ୍କ ଦୁଃଖ ଆହୁରି ବଢି ଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ନଜରକୁ ଆସିଛି ଜଗତସିଂହପୁର ଏରସମା ଅଂଚଳରେ ।

୬ ମାସ ହେବ ପୁଅକୁ ହରେଇବା ପରେ ଆଖିରୁ ଲୁହ ଶୁଖୁନି ବାପାମାଆଙ୍କର । ଏପଟେ ପୁଲିସର ଜୁଲୁମ୍ । ମଲା ପୁଅକୁ ପଠାଅ, ନଚେତ୍ ସପରିବାରେ ଥାନାରେ ହାଜର ହୁଅ । ପୁଅକୁ ହରେଇ ଭାଙ୍ଗି ପଡିଥିବା ପରିବାର ବିରୋଧରେ ଏବେ ଯୌତୁକ ନିର୍ଯାତନା ମାମଲା, ଥାନାରେ ହାଜର ପାଇଁ ଥରେ, ୨ଥର ନୁହେଁ ବାରମ୍ବାର ନୋଟିସ କରୁଛି ପୁଲିସ । ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗାଁର ଅର୍ଜୁନ ରାଉତଙ୍କ ପୁଅ ପ୍ରଦୀପ ରାଉତଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁୁଜୁ କରିଛି ଏରସମା ପୁଲିସ । ଗିରଫ ଭୟରେ ମାସେ ଧରି ଘରଛାଡି ବାହାରେ ବୁଲୁଥିବା ବାପା ମା ଏବେ ଘରକୁ ଫେରିଛନ୍ତି ।

ପ୍ରଦୀପ, ଭୁବନେଶ୍ୱରରେ ରହି ପଢୁଥିବା ବେଳେ ନିଜ ଗାଁର ଗାୟତ୍ରୀ ସ୍ୱାଇଁଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ମାତ୍ର ମାସ କେଇଟା ପରେ ଦୁହିଁଙ୍କ ବୈବାହିଜ ଜୀବନରେ ଭଟ୍ଟା ପଡେ । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ଏବଂ ତିକ୍ତତା ବଢିବାରୁ ଗାୟତ୍ରୀ ବାପଘରକୁ ଫେରି ଯାଇଥିଲେ, ଏବଂ ପ୍ରଦୀପ ମଧ୍ୟ ଘର ଛାଡି ପୁନେ ପଳାଇଯାଇଥିଲେ । ସେଠାରେ ମାନସିକ ଭାରସ୍ୟାମ ହରାଇ ଗତ ଡିସେମ୍ବର ୩୧ରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରଦୀପ । ମାତ୍ର ଅପ୍ରେଲ ୨୫ରେ ମୃତ ସ୍ୱାମୀଙ୍କ ସମେତ ଶାଶୁଘର ଲୋକଙ୍କ ବିରୋଧରେ ବୋହୂ ଗାୟତ୍ରୀ , ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛନ୍ତି । ତା ପରଠୁ ପୁଲିସ ମଲା ପୁଅ, ସହ ସପରିବାର ଥାନାରେ ହାଜର ପାଇଁ ତାଗିଦ କରୁଥିବା କହିଛନ୍ତି ପ୍ରଦୀପଙ୍କ ମା । ନ୍ୟୁଜ ସହ ଦେଖିବା ଏହି ଭିଡିଓ :