ଭୋଟ୍ କେ ଲିୟେ କୁଚ୍ଛ ଭି କରେଗା: ଭୋଟରଙ୍କୁ ମନାଇବା ପାଇଁ କିଏ ମାଜୁଛି ବାସନ ତ କିଏ ଧରୁଛି ଗୋଡ

99

ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ରାଜନୀତି । ଏଭଳି ପରିସ୍ଥିତିରେ ଭୋଟରଙ୍କୁ ମନାଇବା ପାଇଁ କିଏ ବାସନ ମାଜିଲାଣି ତ ପୁଣି କିଏ ବାଟରେ ଯାଉଥିବା ପ୍ରତିଟି ବ୍ୟକ୍ତିର ଗୋଡ ଧରିଲାଣି । ଆଜ୍ଞା ହିଁ ! ଏଭଳି କିଛି ଆଶ୍ଚର୍ଯ୍ୟକର ଚିତ୍ର ସାମ୍ନାକୁ ଏବେ ଆସିଛି ।

ସୂଚନା ମୁତାବକ, ମଧ୍ୟପ୍ରଦେଶରେ ନିର୍ବାଚନ ମାହୋଲ ଚରମ ସୀମାରେ ପହଂଚିଛି । ଗୋଟିଏ ଗୋଟିଏ ଭୋଟକୁ ନିଜ ପକ୍ଷରେ ଆଣିବା ପାଇଁ ନେତା ମାନେ ପୂରା ଦମ୍ ଲଗେଇ ଦେଇଛନ୍ତି । ଏହି ଫଟୋ ହେଉଛି ଏହାର ଏକ ସଦ୍ୟ ଉଦାହରଣ । ଇନ୍ଦୋରର ସନୱେର ସିଟରୁ ବିଜେପି ପ୍ରାର୍ଥୀ ରାଜେଶ ସୋନକର ଶନିବାର ଦିନ ଜଣେ ମହିଳା ଭୋଟରଙ୍କ ଘରେ ପସି ବାସନ ମାଜିବାକୁ ଆରମ୍ଭ କରିଦେଇଥିଲେ । ବଡ କଥା ହେଲା କି ଏଥିପାଇଁ ତାଙ୍କୁ ମହିଳା ଜଣକ ବାରମ୍ବାର ବାରଣ କରିବା ପରେ ବି ସେ ଅଟକି ନଥିଲେ । ଆଉ ସବୁ ଯାକ ବାସନ ମାଜି ସଫା କରିଦେଇଥିଲେ ।

ଖାଲି ଏତିକିରେ କଥା ସରିନି । ଭୋଟରକୁ ମନାଇବା ପାଇଁ ଆଉ ଜଣେ ନେତା ଭୋଟରଙ୍କ ଗୋଡ ବି ଧରିବାକୁ ବି ପଛେଇ ନଥିଲେ । ଏହି ଫଟୋଟି ମଧ୍ୟପ୍ରଦେଶର ଗୁନାର । ଗୁନାରେ ଜଣେ ନିର୍ବାଚନ ପ୍ରାର୍ଥୀ ନିଜର ଏକ ବଡ ପଟୁଆର ଧରି ପ୍ରଚାର ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ସେ ବାଟରେ ଯିଏ ବି ଯାଉଥିଲା ତାର ଗୋଡ ଧରି ପକାଉଥିଲେ । ଖାଲି ଏତିକି ନୁହେଁ, ସେ ସେପର୍ଯ୍ୟନ୍ତ ଗୋଡ ଛାଡୁନଥିଲେ ଯେପର୍ଯ୍ୟନ୍ତ ଉକ୍ତ ବାଟୋଇ ଜଣକଠାରୁ ତାଙ୍କୁ ଜିତିବାକୁ ଆଶୀର୍ବାଦ ମିଳୁନଥିଲା ।

ଏହି ଫଟୋଟି ହେଉଛି ରାଜସ୍ଥାନ ଭାଦ୍ରାର । ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ମହନ୍ତ ରୁପନାଥ ଶନିବାର ଦିନ ନିଜ ନାମାଙ୍କନ ଦାଖଲ କରିବା ପାଇଁ ହାତୀ ପିଠିରେ ବସି ପହଂଚିଥିଲେ । ମହନ୍ତ ପ୍ରଥମେ ବିଜେପିରୁ ଟିକେଟ ମାଗୁଥିଲେ । ହେଲେ ଟିକେଟ ନମିଳିବା କାରଣରୁ ସେ ବହୁଜନ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ତେବେ ତାଙ୍କୁ ପାର୍ଟି ତରଫରୁ ଭାଦ୍ରା ସିଟରୁ ଲଢିବାକୁ ଟିକେଟ ମିଳିଥିଲା ।

ସେହିପରି ବିଜେପିର ବାହୁବଳୀ ନେତା ରାଜେନ୍ଦ୍ର ରାଠୋଡଙ୍କର ଶନିବାର ଦିନ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ଥିଲା । ଯେଉଁଥି ପାଇଁ ଅପରାହ୍ମ ୨ଟା ୧୧ ରେ ସମୟ ଧାର୍ଯ୍ୟ କରାଯାଇଥିଲା । ଅପରାହ୍ନ ୧ଟା୫୯ରେ ତାଙ୍କର ରାଲି କାର୍ଯ୍ୟାଳୟଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିଲା । ହେଲେ ଏତିକି ବେଳେ ଦଳୀୟ କର୍ମୀମାନେ ରାଠୋଡଙ୍କୁ କହିଥିଲେ କି, ନାମାଙ୍କନ ଦାଖଲ କରିବାର ମୁହୂର୍ତ୍ତ ହୋଇଯାଇଛି ବୋଲି । ଯାହାପରେ ରାଠୋଡ କାରରୁ ଓହ୍ଲାଇ ପଡିଥିଲେ ଆଉ ଜଣେ କର୍ମୀଙ୍କ ବାଇକରେ ବସି ନାମାଙ୍କନ ପତ୍ର ଦାଖଲ କରିବାକୁ ଅଫିସରେ ପହଂଚିଥିଲେ ।