ଭାରତର ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର : ବିଶ୍ବ ବ୍ୟାଙ୍କ ଆକଳନ, ୭.୫% ହାରରେ ଆଗକୁ ବଢ଼ିବ ଭାରତ

111

ଭାରତର ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର । ପୁଞ୍ଜିନିବେଶ, ବିଶେଷ କରି ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିବ। ରପ୍ତାନୀ ପ୍ରଦର୍ଶନରେ ଉନ୍ନତି ହେବ। ଗ୍ରାହକଙ୍କ ଉପଯୋଗିତା ମଧ୍ୟ ବଢ଼ିବ। ଏହାର ପ୍ରଭାବରେ ୨୦୧୯-୨୦ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୫% ହେବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ବିଶ୍ବ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆଗାମୀ ଦିନରେ ହେବାକୁ ଥିବା ବୈଠକ ପୂର୍ବରୁ ବିଶ୍ବ ବ୍ୟାଙ୍କ ଜାରି କରିଥିବା ଏହାର ସଦ୍ୟତମ ରିପୋର୍ଟରେ ଏଭଳି ଆକଳନ କରିଛି। ଏଥିରେ ଏହା କହିଛି ଯେ, ୨୦୧୮-୧୯ରେ ଭାରତର ଅଭିବୃଦ୍ଧି ହାର ୭.୨% ରହିବ। ୨୦୧୯-୨୦ରେ ତାହା ୭.୫%କୁ ବଢ଼ିବ। ସବୁ କ୍ଷେତ୍ରର ପ୍ରଦର୍ଶନ ଭଲ ରହିବା ଯୋଗୁଁ ଭାରତର ଅର୍ଥନୀତି ଆଗକୁ ବଢ଼ିବ।

ବର୍ଷର ପ୍ରଥମ ତିନି ମାସର ପ୍ରଦର୍ଶନକୁ ବିଚାରକୁ ନେଇ ବିଶ୍ବ ବ୍ୟାଙ୍କ କହିଛି। ଏହି ତିନି ମାସରେ ଶିଳ୍ପ ଅଭିବୃଦ୍ଧି ୭.୯% ରହିଥିବା ବେଳେ ସେବା କ୍ଷେତ୍ରରେ ଯେଉଁ ଅବନତିର ଧାରା ଜାରି ରହିଥିଲା ସେଥିରେ ସୁଧାର ହୋଇଛି। କୃଷି ଅଭିବୃଦ୍ଧି ହାର ୪% ରହିଛି। ଦେଶର ଅଭିବୃଦ୍ଧି ବଢ଼ିଲେ ଖାଦ୍ୟ ମୁଦ୍ରାସ୍ଫୀତିରେ ସଂଶୋଧନ ହେବ ଏବଂ ତାହା ୪% ଭଳି ସ୍ତରରେ ପହଞ୍ଚିବ। ଏହା ବ୍ୟତୀତ ଦେଶର ଉଭୟ ଚଳନ୍ତା ଏବଂ ବିତ୍ତୀୟ ନିଅଣ୍ଟ ସଙ୍କୁଚିତ ହେବ ବୋଲି ବିଶ୍ବ ବ୍ୟାଙ୍କ କହିଛି।