ବିଶ୍ୱବିଜୟୀ ହେବା ପରେ ଜୁନିୟର୍ ଟିମକୁ ଶୁଭେଚ୍ଛାର ସୁଅ । ବିସିସିଆଇର ପୁରସ୍କାର ଘୋଷଣା, କ୍ରିକେଟ କିମ୍ବଦନ୍ତୀଙ୍କ ସହ ରାଜନେତା ପ୍ରଶଂସାରେ ଶତମୁଖ ।

34

ଚତୁର୍ଥଥର ପାଇଁ ଅଣ୍ଡର ୧୯ ବିଶ୍ୱକପ କ୍ରିକେଟ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ନ୍ୟୁଜିଲାଣ୍ଡରେ ହୋଇଥିବା କ୍ରିକେଟର ଏହି ମହାକୁମ୍ଭରେ ଅପରାଜେୟ ରହି ଟାଇଟଲ ହାସଲ କରିଛି ଜୁନିୟର୍ ଟିମ୍ ଇଣ୍ଡିଆ ।

ଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ଭାରତୀୟ ଯୁବ ଦଳ ବିଶ୍ୱକପ୍ କବଜା କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୭.୨ ଓଭରରେ ୨୧୬ ରନ୍ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ଭାରତ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।

ମନଜୋତ ୧୦୨ ବଲରୁ ୮ ଚୌକା ଓ ୩ଛକ୍କା ସହ ୧୦୧ରନର ଶତକୀୟ ଇନିଂସ ଖେଳିଛନ୍ତି । ଅଧିନାୟକ ପୃଥ୍ୱୀ ସ’ ୨୯, ପାକିସ୍ତାନ ବିପକ୍ଷ ସେମିଫାଇନାଲର ହିରୋ ଶୁଭମନ ଗିଲ୍ ୩୧ ଓ ହାର୍ଭିକ ଦେଶାଇ ୪୭ରନ୍ କରିଛନ୍ତି । ବିଜୟ ପରେ ଜୁନିୟର ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଓ ପୁରସ୍କାରର ସୁଅ ଛୁଟୁଛି । ବିସିସିଆଇ ଖେଳାଳି, କୋଚ୍ ଓ ସପୋର୍ଟିଂ ଷ୍ଟାଫଙ୍କ ପାଇଁ ପୁରସ୍କାର ଘୋଷଣା କରିଛି ।

ପୂର୍ବରୁ ମହମ୍ମଦ କୈଫଙ୍କ ନେତୃତ୍ୱରେ ୨୦୦୦ମସିହାରେ, ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୦୮ରେ, ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ୨୦୧୨ରେ ଭାରତ ଅଣ୍ଡର ୧୯ ବିଶ୍ୱକପ ବିଜେତା ହୋଇଥିଲା ।