ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତୀୟ ସେନା ଯୋଜନା କରୁଥିବା ନେଇ ଚର୍ଚ୍ଚା

27

କନକ ବ୍ୟୁରୋ : ସୀମାପାର ଆତଙ୍କବାଦୀଙ୍କୁ ଚେତାବନୀ । ଠିକଣାରେ ପଶି ଖୋଜି ଖୋଜି ଆତଙ୍କବାଦୀଙ୍କୁ ଭାରତୀୟ ସେନା ଧ୍ୱଂସ କରିବ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ଯୋଜନା କରୁଛି । ଏଲଓସି ନିକଟରେ ଭାରତ ସେନା ଠୁଳ କରୁଛି । ଏ ନେଇ  ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏହି ଯୋଜନା ଅନୁସାରେ ଏଲଓସି ନିକଟବର୍ତି ଅଂଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରାଯିବ ।

ସେନାର ଟାର୍ଗେଟରେ ରହିଛି ଏଲଓସିର ଆଖପାଖ ଅଂଚଳ । ସେନାର ଲକ୍ଷ୍ୟ ଏହି ସବୁ ଅଂଚଳକୁ ଆତଙ୍କବାଦ ମୁକ୍ତ କରିବା ଏବଂ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରିବା । ଏଥିପାଇଁ ସେନା ନିଜର ଭିତିଭୂମିକୁ ମଝବୁତ କରିବାରେ ଲାଗି ପଡିଛି । ସେହିପରି ଆତଙ୍କବାଦୀଙ୍କ କମ୍ୟୁନିକେସନ ନେଟୱର୍କକୁ  ନଷ୍ଟ କରିବା ପାଇଁ ସେନା ସମସ୍ତ ପ୍ରକାର ଯୋଜନା କରୁଛି ।

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ପାକିସ୍ତାନ ପଟରୁ ବହୁ ସଂଖ୍ୟାରେ ଆତଙ୍କବାଦୀ ଏଲଓସିରେ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ଯୋଜନାରେ ଅଛନ୍ତି । ଆତଙ୍କବାଦୀମାନେ ଏଲଓସିର ନିକଟବର୍ତି ଅଂଚଳରେ ଛପି ରହିଥବାର କେତେକ ସ୍ଥାନକୁ ସେନା ଚିହ୍ନଟ କରିଛି । ସେହି ସ୍ଥାନ ମାନଙ୍କ ମଧ୍ୟରେ ରହିଛି ଲୋଲାବ ବୈଲି, କୁଲଗାମ୍, ତଂଗଧାର, ରାଜବର, ବାଂଦିପୁରା, ହନ୍ଦୱାଡା, ରଫିଆବାଦ ।