ଭାରତୀୟ ସୀମାରେ ପାକିସ୍ତାନୀ ବିମାନ ! ହେଲିକପ୍ଟରେ ଥିଲେ ପିଓକେ ପ୍ରଧାନମନ୍ତ୍ରୀ, କହିଲେ, ବେସାମରିକ ବିମାନ ଉପରେ ଆକ୍ରମଣ କରିଥିଲା ଭାରତୀୟ ସେନା ।

49

କନକ ବ୍ୟୁରୋ : ରବିବାର ଦିନ ଭାରତୀୟ ଆକାଶ ସୀମା ଟପିଥିବା ପାକିସ୍ତାନୀ ହଲିକପ୍ଟରେ ଥିଲେ ପାକ୍ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର । ଭାରତୀୟ ସେନାର ଗୁଳି ଚାଳନା ପରେ ଏହି ହେଲିକପ୍ଟରଟି ଫେରି ଯାଇଥିଲା । ସେପଟେ ପିଓକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି କୁହାଯାଇଛି ଯେ, ଫାରୁକ ହାଇଦରଙ୍କ ହେଲିକପ୍ଟର ଉପରକୁ ଗୁଳିମାଡ କରିଛି ଭାରତୀୟ ସେନା ।

ଭାରତର ଆକାଶ ସୀମା ଟପିଲା ପାକିସ୍ତାନ । ଜମ୍ମୁ କଶ୍ମୀର ସ୍ଥିତ ଭାରତ-ପାକ୍ ନିୟନ୍ତ୍ରଣ ରେଖାରେ ୭ଶହ ମିଟର ଯାଏ ଭାରତ ସୀମାକୁ ପ୍ରବେଶ କରିଥିଲା ପାକିସ୍ତାନ ହେଲିକପ୍ଟର । ପୁଂଚ ସେକ୍ଟରର ଏଲଓସିରେ ପାକିସ୍ତାନ ହେଲିକପ୍ଟର ଦେଖିବାକୁ ମିଳିଥିଲା । ସବୁଠାରୁ ବଡ କଥା ହେଲା ଏହି ହେଲିକପ୍ଟରରେ ଥିଲେ ପାକ୍ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ । ତେବେ ଭାରତ ସୀମାକୁ ପ୍ରବେଶ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିଓକେ ପ୍ରଧାନମନ୍ତ୍ରୀ । ତାଙ୍କ କହିବା କଥା ହେଲା ଏହା ଏକ ବେସାମରିକ ବିମାନ । ଏହି ହେଲିକପ୍ଟର କୌଣସି ନିୟମ ଉଲ୍ଲଙ୍ଘନ କରିନାହିଁ । ପାକ୍ ଅଧିକୃତ କଶ୍ମୀର ଭିତରେ ହିଁ ଏହି ହେଲିକପ୍ଟର ରହିଥିଲା ବୋଲି ସେ କହିଛନ୍ତି । ତେବେ ଭାରତୀୟ ସେନାର ଗୁଳିଚାଳନା ପରେ ଏହି ବିମାନଟି ଫେରିଯାଇଥିଲା ।

ପାକିସ୍ତାନର ଡନ୍ ଖବରକାଜଗରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏଥିରେ ପିଓକେ ପ୍ରଧାନମନ୍ତ୍ରୀ ଓ ଦୁଇ ଜଣ ମନ୍ତ୍ରୀ ଥିଲେ । ସେହିପରି ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁସାରେ ପିଓକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତିରେ କୁହାଯାଇଛି ଯେ, ଫାରୁକ ହାଇଦରଙ୍କ ହେଲିକପ୍ଟର ଉପରକୁ ଗୁଳିମାଡ କରିଛି ଭାରତୀୟ ସେନା ।

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ କୌଣସି ହେଲିକପ୍ଟର ନିୟନ୍ତ୍ରଣ ରେଖାର ୧ କିଲୋମିଟର ଅଂଚଳକୁ ଆସିପାରିବ ନାହିଁ । ସେହିପରି ଲଢ଼ୁଆ ବିମାନ ଆକାଶ ସୀମାର ୧୦ କିଲୋମିଟର ଦୂରରେ ଉଡିପାରିବ । ଯୁଦ୍ଧ ବିରତି ସମୟରେ ଦୁଇଦେଶ ଏହି ଚୁକ୍ତିକୁ ମାନିବା ପାଇଁ ବାଧ୍ୟ । ହେଲେ ଚୁକ୍ତିର ଖୋଲାଖୋଲି ଉଲଂଘନ କରି ମାଡି ଆସିଛି ପାକିସ୍ତାନୀ ହେଲିକପ୍ଟର ।  ପାକିସ୍ତାନ ଏଭଳି କାଣ୍ଡ କରିବା ନୂଆ ନୁହେଁ । ଗତ ଫେବୃୟାରୀରେ ମଧ୍ୟ ଅନୁରୁପ ଭାବରେ ପାକ୍ ସେନାର ଏକ ହେଲିକପ୍ଟର ଭାରତୀୟ ସୀମା ମଧ୍ୟକୁ ପଶିଆସିଥିଲା ।