ବାରବାଟୀ ଟି-ଟ୍ୱେଂଟି ପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ! ୯ହଜାର ୧୩୦ ଟିକେଟ୍ ବିକିବାକୁ ଓସିଏର ପ୍ରସ୍ତୁତ

85

କନକ ବ୍ୟୁରୋ: ବାରବାଟୀ ଟି-ଟ୍ୱେଂଟି ପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ । www.get2thegames.com ୱେବସାଇଟରେ ଏଥର ୯୧୩୦ ଟିକେଟ୍ ବିକ୍ରି ପାଇଁ ଛଡାଯାଇଥିବା ଓସିଏ ସୂଚନା ଦେଇଛି ।

ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କ ମଧ୍ୟରେ ବାରବାଟୀରେ ଟିଟ୍ୱେଂଟି ମ୍ୟାଚ୍ ଖେଳାଯିବ । ଗ୍ୟାଲେରୀ ନମ୍ବର ୨, ୪, ୬, ୭ , ସ୍ପେଶାଲ ଏନକ୍ଲୋଜର ବ୍ଲକ୍ ଏ, ନ୍ୟୁ ପାଭିଲିୟନ, ୪ ନମ୍ବର ଏସି ଗ୍ୟାଲେରୀ ଏବଂ କର୍ପୋରେଟ୍ ବକ୍ସ ଟିକେଟ ଅନଲାଇନରେ ମିଳିବ । ଗ୍ୟାଲେରୀ ନମ୍ବର ୬ ଓ ୭ ପାଇଁ ଟିକେଟ୍ ଦର ୪୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ ପାଇଁ ୫ଶହ ଟଙ୍କା, ସ୍ପେଶାଲ ଏନକ୍ଲୋଜର ୩ ହଜାର, ନ୍ୟୁ ପାଭିଲିୟନ ଓ ୪ ନମ୍ବର ଏସି ଗ୍ୟାଲେରୀ ପାଇଁ ୫ ହଜାର ଏବଂ କର୍ପୋରେଟ୍ ବକ୍ସ ଟିକେଟ୍ ଦର ୮ ହଜାର ଟଙ୍କା ରହିଛି । ଅନ୍ଲାଇନରେ କିଣୁଥିବା ଦର୍ଶକମାନେ ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ୍ ସ୍କୁଲ୍ ପାଖରେ ଖୋଲାଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରିପାରିବେ ବୋଲି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତବର୍ଷ ୮୩୧୦ ଟିକେଟ ଅନଲାଇନରେ ବିକ୍ରି କରାଯାଇଥିଲା । ଡିସେମ୍ବର ୧୪ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ । ପ୍ରଥମ ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାମାନଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ କନଫରେନ୍ସ ହଲରେ ଟିକେଟ ବିକ୍ରି ହେବ । ମୋଟ ୩୨,୪୦୩ ଟିକେଟ ଛପାଯାଉଥିବାବେଳେ ସେଥିମଧ୍ୟରୁ ୨୨,୦୪୧ ଟିକେଟ ସାଧାରଣ ଲୋକଙ୍କ ପାଇଁ ଏବଂ ୧୦,୩୬୨ ଟିକେଟ ବିସିସିଆଇ ପ୍ରାୟୋଜକ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ଉଦ୍ଧିଷ୍ଟ ରହିବ । ଓସିଏ ଓ ବିସିସିଆଇ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ବିକ୍ରି ଟିକେଟରୁ ବକଳା ଗୁଡ଼ିକ ୧୬ ତାରିଖଠୁ କାଉଣ୍ଟରରେ ବିକ୍ରି କରାଯିବ। ସକାଳ ୯ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ତିନୋଟି କାଉଣ୍ଟରରେ ସମସ୍ତ ଟିକେଟ ଗୁଡ଼ିକ ବିକ୍ରି ହେବ । ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାରକୋଡ୍ ଓ ହୋଲୋଗ୍ରାମ୍ ରହିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।