କେଉଁ ରାଜ୍ୟରୁ ରାଜ୍ୟସଭା ଯିବେ ଧର୍ମେନ୍ଦ୍ର ! ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା

48

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬ଟି ରାଜ୍ୟର ୫୮ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଖାଲି ହେବାକୁ ଥିବା ୫୮ଟି ଆସନରୁ ଅନେକ ହେଭିୱେଟ ନେତା ନିର୍ବାଚିତ ହୋଇଥିଲେ । ଏଥିମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ମଧ୍ୟ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେଉଛି । ତେଣୁ ଧର୍ମେନ୍ଦ୍ରଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଯିବ କି ନାହିଁ ତାହା ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

DHARMENDRAଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ରାଜନୀତିର ଏକ ଜଣାଶୁଣା ଚେହେରା । ମୋଦିଙ୍କ ମନ୍ତ୍ରୀମଣ୍ଡଳର ସବୁଠୁ ଦକ୍ଷ ମନ୍ତ୍ରୀ । ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ମନ୍ତ୍ରୀପଦ ହାତେଇଥିଲେ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା ଧର୍ମେନ୍ଦ୍ରଙ୍କୁ । ୨୦୧୪ ପୂର୍ବରୁ ଅଧିକାଂଶ ଲୋକଙ୍କ ପାଇଁ ଅଜଣା ଥିବା ଧର୍ମେନ୍ଦ୍ର ମୋଦି ସରକାରରେ ମନ୍ତ୍ରୀପଦ ପାଇବା ପରେ ପୂରା ଦେଶ ପାଇଁ ପାଲଟିଗଲେ ଜଣାଶୁଣା ଚେହେରା । ଏପରିକି ଉଜ୍ଜଳା ଯୋଜନା ପ୍ରଣୟନ କରି ମୋଦିଙ୍କ ଗୁଡ ବୁକରେ ସ୍ଥାନ ପାଇଥିଲେ ଧର୍ମେନ୍ଦ୍ର ।

ଏସବୁ ଭିତରେ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟସଭାରୁ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ମନ୍ତ୍ରୀପଦରେ ରହିବାକୁ ହେଲେ ଧର୍ମେନ୍ଦ୍ରଙ୍କୁ ପୁନଶ୍ଚ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ପଡିବ । କିନ୍ତୁ ଧର୍ମେନ୍ଦ୍ରଙ୍କୁ କଣ ପୁଣିଥରେ ରାଜ୍ୟସଭା ପଠାଇବେ କି ନରେନ୍ଦ୍ର-ଅମିତ ଯୋଡି । ଯଦି ଧର୍ମେନ୍ଦ୍ରଙ୍କୁ ରାଜ୍ୟସଭା ପଠାଇବେ ତେବେ କେଉଁ ରାଜ୍ୟରୁ ପଠାଇବେ । ଧର୍ମେନ୍ଦ୍ର ରାଜ୍ୟ ରାଜନୀତିରେ ଏଣ୍ଟ୍ରି ମାରିବେ ନା ପୂର୍ବଭଳି ଜାତୀୟ ରାଜନୀତିରେ ରହିବାକୁ ପସନ୍ଦ କରିବେ । ଏହା ଏବେ ରାଜନୈତିକ ମହଲରେ ସବୁଠାରୁ ବଡ ପ୍ରଶ୍ନ ପାଲଟିଛି । କାରଣ ପଞ୍ଚାୟତ ନିର୍ବାଚନର ଫଳାଫଳ ଦେଖିବା ପରେ ଧର୍ମେନ୍ଦ୍ର ଏବେ ରାଜ୍ୟ ରାଜନୀତି ମୁହାଁ ହୋଇଛନ୍ତି । ଏପରିକି ଓଡ଼ିଶାରେ ଅମିତଙ୍କ ମିଶନ ୧୨୦ର ଦାୟିତ୍ୱ ନେଇଛନ୍ତି ଧର୍ମେନ୍ଦ୍ର । ଆଉ ଏହା ତାଙ୍କ ପାଇଁ ଏବେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।

dharmendraଧର୍ମେନ୍ଦ୍ର ନିଜ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଆଉ ଧର୍ମେନ୍ଦ୍ରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ବିଜେପୁର ଉପନିର୍ବାଚନ । ବିଜେପୁର ଉପନିର୍ବାଚନର ଫଳାଫଳ ଓ ଧର୍ମେନ୍ଦ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ମଧ୍ୟରେ ମାତ୍ର ଗୋଟିଏ ମାସ ଫାଙ୍କା ରହୁଛି । ଯଦି ବିଜେପୁରରେ ବିଜେପିର ପରାଜୟ ହୁଏ ତେବେ ଓଡ଼ିଶାକୁ ନେଇ ଧର୍ମେନ୍ଦ୍ର ଦେଖୁଥିବା ସ୍ୱପ୍ନ ଚୁରମାର ହେବ ଏହାସହ ଅମିତଙ୍କ ମିଶନ ୧୨୦କୁ ମଧ୍ୟ ବଡ ଧରଣର ଝଟକା ଲାଗିବ । ଯାହାର ସିଧାସଳଖ ପ୍ରଭାବ ଧର୍ମେନ୍ଦ୍ରଙ୍କ ରାଜ୍ୟସଭା ଟିକଟ ଉପରେ ମଧ୍ୟ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ବିଜେପୁରରେ ବିଜେପିର ପରାଜୟ ହୁଏ ତେବେ ଏହା ଧର୍ମେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତା ଓ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନର ପାହାଡ ଛିଡା କରିବ । ଯାହା ଧର୍ମେନ୍ଦ୍ରଙ୍କ ପାଇଁ କିଛି ମାତ୍ରାରେ ଅଡୁଆ ସୃଷ୍ଟି କରିପାରେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ସରକାରରେ ଧର୍ମେନ୍ଦ୍ର ଯେଉଁଭଳି ଭାବେ ନିଜ ଦକ୍ଷତା ଦେଖାଇଛନ୍ତି ସେଥିପାଇଁ ତାଙ୍କୁ ପୁଣିଥରେ ରାଜ୍ୟସଭା ଟିକଟର ପୁରସ୍କାର ମିଳେପାରେ । କିନ୍ତୁ ବଡ ପ୍ରଶ୍ନ ଧର୍ମେନ୍ଦ୍ରଙ୍କୁ କେଉଁ ରାଜ୍ୟରୁ ରାଜ୍ୟସଭା ପଠାଯିବ । ଯଦି ବିହାର ଉପରେ ନଜର ପକାଇବା ତେବେ ଏଠାରେ ମଧ୍ୟ ୬ଟି ଆସନ ପାଇଁ ନିର୍ବାଚନ ହେବ । ତେଣୁ ପୂର୍ବଭଳି ବିହାରକୁ ବାଛିବେ କି ଧର୍ମେନ୍ଦ୍ର । ତେବେ ଏସବୁ ଭିତରେ ଦେଖିବା ବାକି ରହିଲା ଧର୍ମେନ୍ଦ୍ର ପୁଣିଥରେ ଜାତୀୟ ରାଜନୀତିକୁ ଫେରିବେ ନା ରାଜ୍ୟରେ ରହି ୨୦୧୯ ପାଇଁ ଦଳର ମଙ୍ଗ ଧରିବେ ।